Home Agriculture ଧାନ ସଂଗ୍ରହରେ ଆଇଭିଆର୍‌ଏସ୍‌ ବ୍ୟବସ୍ଥା

ଧାନ ସଂଗ୍ରହରେ ଆଇଭିଆର୍‌ଏସ୍‌ ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟର ପଂଜୀକୃତ ଚାଷୀମାନଙ୍କଠାରୁ ଧାନ କିଣାକୁ ଅଧିକ ଲୋକାଭିମୁଖୀ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଇଣ୍ଟରଆକଫିଭ୍‌ ଭଏସ୍‌ ରେସପନ୍ସ ସିଷ୍ଟମର ପ୍ରଚଳନ କରାଯାଇଛି । ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପଂଜୀକୃତ ମୋବାଇଲ୍‌ ନମ୍ବର ମାଧ୍ୟମରେ ଧାନକିଣା ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ସବୁ ପାଇପାରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟର ପରିସରରେ ଆଇଭିଆର୍‌ଏସ୍‌ ବ୍ୟବସ୍ଥାର ଶୁଭ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପି-ପାସ୍‌ ଓ ଆଗୁଆ ଟୋକେନ ମାଧ୍ୟମରେ ଧାନକିଣାର ବ୍ୟବସ୍ଥା ଚାଷୀମାନଙ୍କ ଦ୍ୱାରା ଆଦୃତ ହୋଇଛି । ଫଳସ୍ୱରୂପ ଗତ ଖରିଫ ଧାନ ବିକି୍ର ନିମନ୍ତେ ଚାଷୀ ନାମ ପଂଜୀକରଣ ଅପେକ୍ଷା ଚଳିତ ଖରିଫରେ ଚାଷୀ ପଂଜୀକରଣ ୫ ପ୍ରତିଶତ ଅଧିକ ହୋଇପାରିଛି ।

ଚାଷୀମାନେ ଯେପରି ସୁବିଧାରେ ଓ ସହଜରେ ସେମାନଙ୍କ ଧାନ ବିକି୍ର କରି ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ସେଥି ନିମନ୍ତେ ବିଭାଗ ପକ୍ଷରୁ ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ଉପରେ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଇଛି । ଆଇଭିଆର୍‌ଏସ୍‌ ପ୍ରଚଳନ ଓ ଏହାର କାର୍ଯ୍ୟକାରିତା ସଂପର୍କରେ ଚାଷୀମାନଙ୍କୁ ବ୍ୟାପକ ସଚେତନ କରାଇବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିବା ସହିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବ୍ୟବସ୍ଥାରେ ପଂଜୀକୃତ ଚାଷୀ ସେମାନଙ୍କ ଦ୍ୱାରା ପଂଜୀକୃତ ମୋବାଇଲ୍‌ ନମ୍ବର ଦ୍ୱାରା ଟୋଲ୍‌ ଫ୍ରି ନମ୍ବର ‘୧୯୬୭’କୁ ଫୋନ କଲେ ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । କଲ୍‌ ଗୃହୀତ ହେବା ପରେ ‘୫’ ଡାଏଲ୍‌ କଲେ ଚାଷୀଙ୍କ ଯାଞ୍ଚ କରାଯାଇଥିବା ଜମିର ପରିମାଣ ‘୬’ ଡାଏଲ୍‌ କଲେ ବିକ୍ରିଯୋଗ୍ୟ ଧାନର ପରିମାଣର ତଥ୍ୟ ଏବଂ ‘୭’ ଡାଏଲ୍‌ କଲେ ଧାନ ବିକି୍ର ବାବଦ ଅର୍ଥ ପ୍ରଦାନ ସଂପର୍କରେ ସଙ୍ଗେ ସଙ୍ଗେ ସ୍ୱୟଂକି୍ରିୟ ଭଏସ୍‌ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା ରହିଛି ।

ଏହି ବ୍ୟବସ୍ଥା ଦ୍ୱାରା ଚାଷୀ ଘରେ ବସି ଧାନବିକି୍ର ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ । ସୂଚନାଯୋଗ୍ୟ ଯେ ଚାଷୀ ଧାନବିକି୍ର ନିମନ୍ତେ ନାମ ପଂଜୀକରଣ ସମୟରେ ପଂଜୀକୃତ କରିଥିବା ମୋବାଇଲ୍‌ ନମ୍ବର ମାଧ୍ୟମରେ ହିଁ ଏହି ସୁବିଧାପ୍ରାପ୍ତ ହୋଇପାରିବେ । ଅନ୍ୟ ନମ୍ବରରେ ଏହି ସୁବିଧା ମିଳିବ ନାହିଁ । ଆଇଭିଆର୍‌ଏସ୍‌ ବ୍ୟବସ୍ଥା ଯେପରି ସୁଚାରୁ ରୂପେ କାର୍ଯ୍ୟକ୍ଷମ ହେବ ଏବଂ ଏହାର ସୁଫଳ ଚାଷୀମାନେ ପାଇପାରିବେ ସେଥି ନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏହି ପ୍ରକ୍ରିୟାର ନିୟମିତ ନିରୀକ୍ଷଣ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ବୈଷୟିକ ଟିମ୍‌ ଦ୍ୱାରା ଆଇଭିଆର୍‌ଏସ୍‌ର କାର୍ଯ୍ୟକାରିତା ସଂପର୍କରେ ପ୍ରଦର୍ଶନ କରାଯାଇଥିଲା । ଲୋକାର୍ପଣ ଉତ୍ସବ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଗମ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କଲ୍‌ ସେଣ୍ଟର ପରିଦର୍ଶନ କରିବା ସହିତ କାର୍ଯ୍ୟରତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଉତ୍ସବରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ କେଶରୀ ଦାସ ଆଇଭିଆର୍‌ଏସ୍‌ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର ବିଭାଗ ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।