Home News in Odia ଅମାନିଆଙ୍କ ଉତ୍ପାତ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା

ଅମାନିଆଙ୍କ ଉତ୍ପାତ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା

ଭୁବନେଶ୍ୱର : ଟ୍ରାଫିକ ନିୟମ ଅନୁପାଳନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ସହ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ମାଇକ ଯୋଗେ ତୁହାକୁତୁହା ସଚେତନତାର ବାର୍ତ୍ତା ଦିଆଯିବା ସଂଗେ ସଂଗେ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ହେବ ବୋଲି ଘୋଷଣା କରାଯାଉଛି । ଏହାସତ୍ତ୍ୱେ ବି ଖୋଦ୍‍ ରାଜଧାନୀର ସଂଖ୍ୟାଧିକ ଅମାନିଆ ଗାଡି ଚାଳକ ପୋଲିସର ଏଭଳି ସତର୍କ ବାଣୀକୁ ଖାତିର୍‍ କରୁନାହାନ୍ତି ।

ବିଭିନ୍ନ ଟ୍ରାଫିକ ଛକ ନିକଟରେ ସଂପୂର୍ଣ୍ଣ ରାସ୍ତା ଜାମ୍‍ ରହୁଥିବାରୁ ଆମ୍ବୁଲାନ୍ସ, ଦମକଳ, ପିସିଆର ସମେତ ଅନ୍ୟାନ୍ୟ ଜରୁରିକାଳୀନ ଗାଡି ଯାତାୟାତରେ ବାଧା ଉପୁଜୁଛି । ଏହାଛଡା ଟ୍ରାଫିକ ନିୟମ ମାନୁଥିବା ଗାଡି ଚାଳକମାନେ ଏହି ଅମାନିଆଙ୍କ ପାଇଁ ବି ହଇରାଣରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଷ୍ଟଗୁଡିକରେ ଯେଉଁ ଦିଗକୁ ଲାଲ ସଂକେତ ଦିଆଯାଉଛି ସେ ଦିଗରେ ଥିବା ଗାଡିଗୁଡିକ ବାଁ ପଟ ଲେନ୍‍କୁ ଖାଲି ରଖିବା ପାଇଁ ବାରମ୍ବାର ତାଗିଦ୍‍ କରାଯାଉଛି । ବୁଝାଇ ବୁଝାଇ କମିଶନରେଟ ପୋଲିସର ଟ୍ରାଫିକ୍‍ କର୍ମଚାରୀମାନେ ହାଲିଆ ହୋଇଗଲେଣି । ତଥାପି ବି ରାଜଧାନୀର ସଂଖ୍ୟାଧିକ ଛକରେ ରାସ୍ତାର ବାମପଟ ଲେନ୍‍ଗୁଡିକରେ ଯାନବାହନ ଅଟକି ରହୁଥିବାରୁ ନାହିଁନଥିବା ସମସ୍ୟା ହେଉଛି ।

ସେହିଭଳି ଟ୍ରାଫିକ ପୋଷ୍ଟଗୁଡିକରେ ଟ୍ରାଫିକ ନିୟମର କଡା ଅନୁପାଳନ କରିବା, ଯେବ୍ରା କ୍ରସିଂଠାରୁ ପଛରେ ରହିବା, ଲାଲ ସିଗନାଲ ବେଳେ ଟ୍ରାଫିକ ଛକ ଭିତରକୁ ଗାଡି ନ ପୁରାଇବା, ସିଟ୍‍ବେଲ୍ଟ ଓ ହେଲମେଟ ପରିଧାନ କରିବା, ନିଶାପାନ କରି ଗାଡି ନ ଚଳାଇବା, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା ନ କରିବା, ଅପ୍ରାପ୍ତ ବୟସ୍କ ପିଲାମାନଙ୍କୁ ଗାଡି ଚଳାଇବାକୁ ନ ଦେବା, ଗାଡିର ଗତିକୁ ସୀମିତ ରଖିବା, ସର୍ପିଳ ଗତିରେ ଗାଡି ନ ଚଳାଇ ଲେନ୍‍ ଡ୍ରାଇଭିଂର ନିୟମ ମାନିବା, ଗାଡିର ସମସ୍ତ କାଗଜପତ୍ର ଠିକ୍‍ ରଖିବା, କୋଭିଡ ନିୟମ ଅନୁପାଳନ କରି ଚାଳକ ଓ ଆରୋହୀ ମାସ୍କ ପିନ୍ଧିବା ଆଦି ଅନେକ ପରାମର୍ଶ ପୋଲିସ ପକ୍ଷରୁ ଦିଆଚାଲିଛି ।

ଅନ୍ୟପକ୍ଷରେ ଏହି ପରାମର୍ଶକୁ ଉଲ୍ଲଂଘନ କରୁଥିବା ଅମାନିଆମାନଙ୍କୁ ଧରି ବିପୁଳ ପରିମାଣର ଅର୍ଥ ତଣ୍ଡ ମଧ୍ୟ ପୋଲିସ ଆଦାୟ କରୁଛି । ଏସବୁ ସତ୍ତ୍ୱେ ବି ଅନେକ ଅମାନିଆ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଗାଡି ଚଳାଇବା ଫଳରେ ସାଧାରଣ ଲୋକଙ୍କର ବହୁ ଅସୁବିଧା ହେଉଛି । ଏ ପରିପ୍ରେକ୍ଷୀରେ ଜରିମାନା ଆଦାୟ ସହ ଉଲ୍ଲଂଘନକାରୀଙ୍କ ଗାଡିକୁ ଜବତ କରିବା ଓ ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ଗାଡି ଚାଳନା ଲାଇସେନ୍ସ ବାତିଲ ସହିତ ସେମାନଙ୍କୁ ଜେଲ୍‍ ପଠାଇବା ପାଇଁ ସଡକ ସୁରକ୍ଷା ସହ ଜଡିତ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ବାର୍ଷିକ ପ୍ରାୟ ୫ ହଜାର ପାଖାପାଖି ରହୁଥିବା ବେଳେ ଏଥିରେ ୫୦ ହଜାରରୁ ଅଧିକ ଲୋକ ଆହତ ହେଉଛନ୍ତି । ଏମିତିକି ଦୁର୍ଘଟଣାଜନିତ କାରଣରୁ କେତେକ ମଧ୍ୟ ସାରା ଜୀବନ ଅକର୍ମଣ୍ୟ ହୋଇପଡୁଛନ୍ତି । କ୍ଷତିଗ୍ରସ୍ତ ବ୍ୟକ୍ତି ଓ ତାଙ୍କ ପରିବାର ସହିତ ରାଷ୍ଟ୍ର ମଧ୍ୟ ଏମାନଙ୍କ ଚିକିତ୍ସା ଆଦି ପାଇଁ ବିପୁଳ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛି । ଏ ପରିପ୍ରେକ୍ଷୀରେ କମିଶନରେଟ ପୋଲିସ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହାର ପ୍ରଭାବ ଅନ୍ୟ ଥାନା ଅଞ୍ଚଳରେ ପଡିବ ବୋଲି ସଡକ ସୁରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here