Home General ଅବ୍ୟବହୃତ ଜମି ସ୍ମାର୍ଟସିଟିବାସୀଙ୍କୁ କାଳ

ଅବ୍ୟବହୃତ ଜମି ସ୍ମାର୍ଟସିଟିବାସୀଙ୍କୁ କାଳ

ଭୁବନେଶ୍ୱର : ଅବ୍ୟବହୃତ ଜମି ଓ ସରକାରୀ ଘର ଏବେ ରାଜଧାନୀବାସୀଙ୍କୁ କାଳ ହେଲାଣି । ମଶାବଂଶ ବୃଦ୍ଧି ସହିତ ବିଭିନ୍ନ ପ୍ରକାର ବେଆଇନ୍‍ କାର୍ଯ୍ୟର ଏହା ପେଣ୍ଠସ୍ଥଳୀ ପାଲଟିଛି । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।

ରାଜଧାନୀର ବିଭିନ୍ନ ୱାର୍ଡରେ ଏବେ ଶହ ଶହ ଅବ୍ୟବହୃତ ଜମି ପଡି ରହିଛି । ଏପରିକି ବିଭିନ୍ନ ଆବାସିକ କଲୋନୀ ମଝିରେ ବି ଏକାଧିକ ଖାଲି ପ୍ଲଟ ପଡିଛି । ଏ ପ୍ଲଟ କାହାର ଓ କାହିଁକି ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡିରହିଛି ତାହାର ହିସାବ କାହାରି ପାଖରେ ନାହିଁ । ସାଧାରଣ ପ୍ରଶାସନ ବିଭାଗ ଠାରୁ ଖରିଦ ହୋଇଥିବା ପ୍ଲଟ ସମେତ ଘରୋଇ ଲୋକଙ୍କ ଠାରୁ କିଣାଯାଇଥିବା ପ୍ଲଟ ଏହା ମଧ୍ୟରେ ରହିଛି ।

ଏହି ସବୁ ଅବ୍ୟବହୃତ ପ୍ଲଟ ଏବେ ରାଜଧାନୀରେ ମଶାବଂଶ ବୃଦ୍ଧିର ମାଧ୍ୟମ ପାଲଟିଛି । କେତେକ ଖାଲି ପ୍ଲଟରେ ଲୋକେ ଗାଈଗୋରୁ ରଖି କ୍ଷୀର ବେପାର ବି କରୁଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳ ପୂତ୍ତିଗନ୍ଧମୟ ଓ ଅପରିଷ୍କାର ହୋଇପଡୁଛି । ସାଧାରଣ ପ୍ରଶାସନ ବିଭାଗ ଠାରୁ ନିଆଯାଉଥିବା ପ୍ଲଟ ଉପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ତିଆରି କରିବାପାଇଁ ନିୟମ ରହିଥିଲେ ମଧ୍ୟ ତାହାକୁ କେହି ମାନୁ ନାହାନ୍ତି । ଅମାନିଆଙ୍କ ଠାରୁ ବି ସରକାର ଜୋରିମାନା ଆଦାୟ କରୁନାହାନ୍ତି । ଫଳରେ ଜଣେ ଜଣେ ଲୋକ ଏକାଧିକ ପ୍ଲଟ ପକାଇରଖି ତାହାର ଦର ବଢାଉଛନ୍ତି । ଫଳରେ ଏହା ଆଖପାଖରେ ଘର କରି ରହିଥିବା ଲୋକେ ଏବେ ଅପରିଷ୍କାର ଓ ପୂତ୍ତି ଗନ୍ଧମୟ କରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ।

ବିଏମ୍‍ସିର ସମସ୍ତ ୬୭ଟି ୱାର୍ଡରେ ଏହିଭଳି ଅବ୍ୟବହୃତ ଜମି ପଡିରହିଥିଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ, ବିଏମ୍‍ସି କିମ୍ବା ସ୍ମାର୍ଟସିଟି କର୍ତ୍ତୃପକ୍ଷ କେହି ଏଥିପ୍ରତି ନଜର ଦେଉନାହାନ୍ତି । ସରକାରୀ ନିୟମ ଅନୁଯାୟୀ ଏହି ଜମିମାଲିକଙ୍କ ଠାରୁ ଜୋରିମାନା ଆଦାୟ ହେଲେ ରାଜ୍ୟ ରାଜକୋଷକୁ ମୋଟା ଅଙ୍କର ଅର୍ଥ ଆସିବା ସହିତ ରାଜଧାନୀରେ ଜମି ଦର ଆକାଛୁଆଁ ହୁଅନ୍ତା ନାହିଁ ବୋଲି ମତପ୍ରକାଶ ପାଉଛି ।

କେବଳ ଅବ୍ୟବହୃତ ଜମି ନୁହେଁ, ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ପରିତ୍ୟକ୍ତ ଭାବେ ରହିଥିବା ସରକାରୀ କ୍ୱାଟର୍ସ ଗୁଡିକ ମଧ୍ୟ ସ୍ଥାନୀୟବାସିନ୍ଦା ଓ ସହରବାସୀଙ୍କ ପାଇଁ ବିପଦ ପାଲଟିଲାଣି । ଖାଲି ପଡିଥିବା ଏହି ଘର ଗୁଡିକରୁ ହିଁ ଅନେକ ଅପରାଧର ନକ୍ସା ପ୍ରସ୍ତୁତ ହେବା ସହିତ ନିଶା ସାମଗ୍ରୀ କାରବାର ହେଉଛି । ସରକାରୀ କ୍ୱାଟର୍ସ ଖଣ୍ଡିଏ ପାଇବାକୁ ଲୋକେ ଡହଳ ବିକଳ ହେଉଥିବାବେଳେ ଶହ ଶହ ଘର ଖାଲି ପଡିବା ଓ ଏଠାରେ ଅସାମାଜିକ ଲୋକେ ଆଡ୍ଡା ଜମାଇବା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ବିଭିନ୍ନ ୟୁନିଟ୍‍ରେ ଖାଲି ପଡିଥିବା ସରକାରୀ ଘରର ତାଲିକା ପ୍ରସ୍ତୁତ ସହିତ ତୁରନ୍ତ ଏହାକୁ ବାଣ୍ଟିବାକୁ ଦାବି ହେଉଛି