Home General ଅବେଳରେ ଚାଲିଗଲେ ରାମଚନ୍ଦ୍ର

ଅବେଳରେ ଚାଲିଗଲେ ରାମଚନ୍ଦ୍ର

ଭୁବନେଶ୍ୱର : ଦେଶର ପ୍ରତିଷ୍ଠିତ ହୋଟେଲ ଶିଳ୍ପ ମେ ଫେୟାର ହୋଟେଲ ଗୋଷ୍ଠିର ପରାମର୍ଶଦାତା ରାମଚନ୍ଦ୍ର ମିଶ୍ରଙ୍କର ଆଜି ଏଠାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୧ବର୍ଷ ବୟସ ହୋଇଥିଲା ।

ନୋଇଡାରେ ଅବସ୍ଥାପନ କରୁଥିବା ଶ୍ରୀ ମିଶ୍ର କରୋନାରେ ସଂକ୍ରମିତ ହେବାପରେ ସେଠାରେ ଚିକିତ୍ସା ସୁବିଧା କିମ୍ବା ଅମ୍ଳଜାନ ନପାଇ ଭୁବନେଶ୍ୱର ଆସିଥିଲେ । ତାଙ୍କ ପତ୍ନୀ ଓ ପୁତ୍ର ମଧ୍ୟ କରୋନା ସଂକ୍ରମିତ ଥିଲେ । ତେବେ ପତ୍ନୀ ଓ ପୁତ୍ର କରୋନାରୁ ସୁସ୍ଥହୋଇ ଯାଇଥିବାବେଳେ ଡାକ୍ତରମାନଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ହୃଦ୍‍ଘାତରେ ତାଙ୍କର ପରଲୋକ ଘଟିଛି ।

ଓଡିଶାରେ ବିଭିନ୍ନ ପ୍ରାକୃତିକ ବିପତ୍ତି ସମୟରେ ସେ ବ୍ୟାପକ ରିଲିଫ କାର୍ଯ୍ୟ କରୁଥିଲେ । ଗତ ଫନି ବାତ୍ୟା ସମୟରେ ପୁରୀ ଜିଲ୍ଲାର ବେରବୋଇ ସମେତ ବହୁ ଅଞ୍ଚଳରେ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ ହୋଇପଡିଥିବାବେଳେ ସେ ୧୦ହଜାରରୁ ଅଧିକ ସୋଲାର ଲାଇଟ୍‍ ବଣ୍ଟନର ବ୍ୟବସ୍ଥା କରିଥିଲେ ।

ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ ଠାରୁ ଆରମ୍ଭ କରି ସମାଜସେବା କାମରେ ସେ ବ୍ରତୀ ରହୁଥିଲେ । ଏହାଛଡା ସାମ୍ବାଦିକତା ପାଇଁ ତାଙ୍କର ମଧ୍ୟ ରୁଚି ଥିଲା । ରାମଚନ୍ଦ୍ର ହେଉଛନ୍ତି ବରିଷ୍ଠ ସାମ୍ବାଦିକ ବ୍ରଜ କିଶୋର ମିଶ୍ରଙ୍କର ସାନ ଭାଇ । ଶ୍ରୀ ମିଶ୍ରଙ୍କ ଧର୍ମପତ୍ନୀ ଅନୁପମା ମିଶ୍ର ଏବଂ ପୁତ୍ର ଆଶୁତୋଷ ମିଶ୍ର ଓ ଅଭିଷେକ ମିଶ୍ର ଶେଷ ସମୟରେ ଉପସ୍ଥିତ ଥିଲେ ।

ଆଜି ସତ୍ୟନଗର ଶ୍ମଶାନରେ କୋଭିଡ କଟକଣା ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମେ ଫେୟାର ଗ୍ରୁପର ପ୍ରତିଷ୍ଠାତା ଦିଲ୍ଲୀପ ରାୟ ରାମଚନ୍ଦ୍ରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରି ସେ ଜଣେ ଦରଦୀ ଓ ସମର୍ପିତ ସହକର୍ମୀଙ୍କୁ ହରାଇଲେ ଏବଂ ତାଙ୍କ ମୃତ୍ୟୁ ମେ ଫେୟାର ଗ୍ରୁପ୍‍ ପାଇଁ ବଡ କ୍ଷତି ବୋଲି କହିଛନ୍ତି ।

ରାମଚନ୍ଦ୍ରଙ୍କ ସହପାଠୀ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ସ୍ୱର୍ଗତ ମିଶ୍ରଙ୍କ ସହକର୍ମୀ ସୌଭାଗ୍ୟ କୁମାର ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ବନ୍ଧୁ ପରିଜନ ତାଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିଲେ । ରାଜଧାନୀ କଲେଜ ପୁରାତନ ଛାତ୍ର ସଂସଦ ଏବଂ ମେ ଫେୟାର ପରିବାର ପକ୍ଷରୁ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରାଯାଇଛି । ତାଙ୍କ ବିୟୋଗରେ ଜନ୍ମମାଟି ଭଦ୍ରକ ଜିଲ୍ଲାର ଧାମନଗର ଅର୍ନ୍ତଗତ ଗୁରୁନଗରଶାସନରେ ଶୋକର ଛାୟା ଖେଳିଯାଇଛି ।