Home Administration ଅବଢା ଯୋଜନା ପାଇଁ ରୟାଲିଟି ଛାଡ

ଅବଢା ଯୋଜନା ପାଇଁ ରୟାଲିଟି ଛାଡ

ଭୁବନେଶ୍ୱର : ଅବଢା ଯୋଜନା ଅର୍ନ୍ତଗତ ପ୍ରକଳ୍ପର କାର୍ଯ୍ୟକୁ ସହଜ କରିବାପାଇଁ ଏଥିପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଉଥିବା ଖଣିଜ ପଦାର୍ଥ (ଖଣ୍ଡାଲାଇଟ୍‍) ଉପରୁ ରୟାଲିଟି ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି ।

କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅବଢା ଯୋଜନା ଅର୍ନ୍ତଗତ ପ୍ରକଳ୍ପ ମାଧ୍ୟମରେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାପାଇଁ ରାଜ୍ୟ ସରକାର ୨୦୧୯ ଡିସେମ୍ବର ମାସରେ ୬ଟି ଖଣ୍ଡାଲାଇଟ୍‍ ଖଣିକୁ ଓଡିଶା ଖଣି ନିଗମ ନିମନ୍ତେ ସଂରକ୍ଷିତ ରଖିଥିଲେ ।

ଏହିସବୁ ଖଣିଗୁଡିକ ହେଲା ଯାଜପୁର ଜିଲ୍ଲାର ଚାନ୍ଦିଆ, ସୁଖୁଆପଡା ଓ ତେଲିଗଡ, କଟକ ଜିଲ୍ଲାର ଗୋବିନ୍ଦପୁର ଏବଂ ଖୋର୍ଦ୍ଧାର କୁରୁମପଡା, କୁଣ୍ଡାକୁଣ୍ଡି କୁଣ୍ଡାପଥର ଖଣି ଏବଂ ନଗରଣଗଡ ଖଣି । ଏଥି ମଧ୍ୟରୁ ନରଣଗଡ ଠାରେ ଥିବା ଖଣିକୁ ଓଡିଶା ଖଣି ନିଗମକୁ ଖଣି କାର୍ଯ୍ୟ ନିମନ୍ତେ ଲିଜ୍‍ ପ୍ରଦାନ କରାଯାଇଛି ।

ତେବେ ଅବଢା ଯୋଜନାର ପ୍ରକଳ୍ପକୁ ସୁନିଶ୍ଚିତ କରିବାପାଇଁ ଖଣିଜ ପଦାର୍ଥ ଉପରୁ ରୟାଲିଟି ଛାଡ କରିବାକୁ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ରାଜ୍ୟରେ ପୁରୀ ଭଳି ସହରକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାରେ ସହାୟକ ହୋଇପାରିବ ।