Home News in Odia ଅବକାରୀ ଧରପଗଡରେ ୫୮୮୬ ଗିରଫ

ଅବକାରୀ ଧରପଗଡରେ ୫୮୮୬ ଗିରଫ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବାପାଇଁ ରାଜ୍ୟ ଅବକାରୀ ବିଭାଗ ଚଳାଇଥିବା ଧରପଗଡ ଅଭିଯାନରେ ୫୮୮୬ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ପ୍ରାୟ ୧୭କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଗତ ଜାନୁୟାରୀ ୧୧ତାରିଖରୁ ଫେବୃୟାରୀ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚଳାଯାଇଥିଲା ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ର୍ନିବାଚନ ସମୟରେ ଯେଭଳି ବେଆଇନ୍‍ ନିଶା କାରବାର ଓ ଏ ସଂକ୍ରାନ୍ତରେ ଅଘଟଣ ନଘଟେ ସେଥିପାଇଁ କଡା ନଜର ରଖାଯାଇଥିଲା । ଜିଲ୍ଲା ସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍‍ ଖୋଲା ଯିବା ସହିତ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖାଯାଇଥିଲା ।

ଏହି ସମୟରେ ଚଳାଯାଇଥିବା ସ୍ୱତନ୍ତ୍ର ଧରପଗଡରେ ୫୮୮୬ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ୬୮୧୮ଟି ମାମଲା ରୁଜୁ ହୋଇଛି । ଏଥି ସହିତ ୧,୭୭,୬୨୫ ଲିଟର କାରଖାନା ପ୍ରସ୍ତୁତ ଦେଶୀମଦ, ୧୯,୪୬,୮୭୮ ଲିଟର ଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ, ୫୦୦୧ କିଲୋ ଗଞ୍ଜେଇ, ୨୬୬୩ ଗ୍ରାମ ବ୍ରାଉନସୁଗାର, ୫୦ ଲିଟର କଫ ସିରପ, ୩୬୮୯ ଲିଟର ବିଦେଶୀ ମଦ, ୨୦୨୦ ଲିଟର ବିୟର, ୫୯୬୬ ଲିଯର ଦେଶୀ ମଦ, ୪୯୯୬ ଲିଟର ଭାଟି ମଦ, ୧,୦୩,୨୦୦ ସଂଖ୍ୟକ ନକଲି ଇଏଏଲ୍‍, ବିଭିନ୍ନ କମ୍ପାନୀର ୩୬ହଜାର ନକଲି ଲେବଲ, ୨ଲକ୍ଷ ନକଲି ଠିପି ଜବତ ହୋଇଥିଲା । ଏଥି ସହିତ ୨୭୬ଟି ଦୁଇ ଓ ଚାରିଚକିଆ ଯାନ ବି ଜବତ ହୋଇଥିଲା । ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀର ଆନୁମାନିକ ମଲ୍ୟ ୧୬କୋଟି ୮୫ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଥିଲା ।

ତେବେ ନିର୍ବାଚନ ସମୟରେ ଚଳାଯାଇଥିବା ସ୍ୱତନ୍ତ୍ର ଅଭିଯାନରୁ ଯେଉଁ କେତେକ ବଡ ସଫଳତା ମିଳିଥିଲା ସେଥି ମଧ୍ୟରେ ବ୍ରହ୍ମପୁର ସହରରୁ ୫୦୦ କିଲୋ ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ସହିତ । ସେହିଭଳି ଅବକାରୀ ବିଭାଗର ଅଧିକାରୀମାନେ କୋରାପୁଟ ଠାରେ ଏକ ଟ୍ରକ ଜବତ କରିବା ସହିତ ସେଥିରୁ ୧୦୨୪ କିଲୋ ଗଞ୍ଜେଇ ଧରିଥିଲେ । ସେହିଭଳି ବ୍ରହ୍ମପୁରରୁ ଆୁ ୧୧୦୦ କିଲୋ ଗଞ୍ଜେଇ ଧରାପଡିଥିଲା ଯାହାର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ଆକଳନ କରାଯାଇଛି ।

ଅବକାରୀ ବିଭାଗର ଅଧିକାରୀମାନେ ଗତମାସ ୧୭ତାରିଖରେ ବାଲେଶ୍ୱରରୁ ୮୦୦ ଲିଟର ଦେଶୀମଦ ଜବତ କରିଥିବାବେଳେ ବ୍ରହ୍ମପୁର ଅବକାରୀ ବିଭାଗ ଗୋଟିଏ ମହିନ୍ଦ୍ରାଗାଡିକୁ ଧରିବା ସହିତ ସେଥିରୁ ୯୩୦ କିଲୋ ଗଞ୍ଜେଇ ଜବତ କରିଥିଲେ । ଏହାର ମୂଲ୍ୟ ପ୍ରାୟ ୯ଲକ୍ଷ ୩୦ହଜାର ଟଙ୍କା । ସେହିଭଳି କଟକ ଅବକାରୀ ବିଭାଗ ଗତମାସ ୨୩ତାରିଖ ଦିନ ଯାଜପୁରରୁ ୩୬ଲିଟର ନକଲି ବିଦେଶୀ ମଜଦ କରିଥିବାବେଳେ ଢେଙ୍କାନାଳ ଅବକାରୀ ବିଭାଗ ୮୪ଲିଟର ନକଲି ବିଦେଶୀ ମଦ ଧରିଥିଲେ । ଜାନୁଆରୀ ୩୦ତାରିଖରେ ରାଜ୍ୟ ସ୍ତରୀୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍‍ ଯାଜପୁରୁ ଜିଲ୍ଲାରୁ ୫୫୩ ବୋତଲ ନକଲି ବିଦେଶୀ ମଦ ସହିତ ଏହାକୁ ନେଉଥିବା ଗୋଟିଏ ଇକୋସ୍ପୋର୍ଟସ କାର୍‍ ଜବତ କରିଥିଲେ ।

ମୋଟାମୋଟି ଭାବେ ଅବକାରୀ ବିଭାଗ ପକ୍ଷରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ଅଭିଯାନ ଚଳାଯାଇଥିଲା ସେଥିରୁ ବେଶ୍‍ ସଫଳତା ମିଳିଛି । କାରଣ ଏହି ସମୟରେ କୌଣସି ଠାରେ ମଦ କାରବାରକୁ ନେଇ ଅଘଟଣ ପରିଲକ୍ଷିତ ହୋଇନଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । (ତଥ୍ୟ)