Home Education ଅପ୍ରେଲ ୨୯ରୁ ଅଫଲାଇନ୍‍ ରେ ମାଟ୍ରିକ ପରୀକ୍ଷା

ଅପ୍ରେଲ ୨୯ରୁ ଅଫଲାଇନ୍‍ ରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : କରୋନା ମହାମାରୀ ୨୦୧୯ ମସିହାଠାରୁ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରି ରଖିଛି । ଛାତ୍ରସମାଜ ମଧ୍ୟ ଏହି ମହାମାରୀ ଦ୍ୱାରା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏକ ଭୟାବହ ପରିସ୍ଥିତି ମଧ୍ୟରେ ଗତି କରିଛନ୍ତି । ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯାଇପାରି ନାହାନ୍ତି । ଘର ଭିତରେ ପ୍ରାୟତଃ ବନ୍ଦ ହୋଇ ରହିଛନ୍ତି । ବହୁ ପରିବାର ତାଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ।

ପିଲାମାନେ ତାଙ୍କର ମାନସିକ ଭାରସ୍ୟାମ ହରାଇଛନ୍ତି । ୨୦୨୧ ମସିହାରେ କରୋନାର ପ୍ରକୋପ ବଢ଼ିବାକୁ ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷା ମଧ୍ୟ କରାଯାଇପାରିନଥିଲା ଏବଂ ଏକ ନୂତନ ମୂଲ୍ୟାୟନ ପଦ୍ଧତି ଦ୍ୱାରା ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା । ୨୦୨୧-୨୨ ଶିକ୍ଷାବର୍ଷରେ ପରିସ୍ଥିତି ସାମାନ୍ୟ ପରିବର୍ତ୍ତନ ହୋଇଛି ଓ କିଛି ପରିମାଣରେ ଶ୍ରେଣୀ ଗୃହ ଶିକ୍ଷାଦାନ କରାଯାଇଅଛି । ପାଖାପାଖି ୬୦ ଭାଗ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ଶିକ୍ଷାଲାଭ କରିଛନ୍ତି ।

ମାଟ୍ରିକ ପରୀକ୍ଷା କରିବା ପୂର୍ବରୁ, ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପାଇଁ ପ୍ରସ୍ତୁତି ତଥା ପରୀକ୍ଷା କରିବାକୁ ଯଥାର୍ଥ ସମୟ ଆସିଛି କି’ନାହିଁ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କେତେକ ହିତାଧିକାରୀ ଯଥା ଛାତ୍ରଛାତ୍ରୀ, ଶିକ୍ଷକସମାଜ, ଶିକ୍ଷକ ସଂଗଠନର ସଦସ୍ୟ, ଅଭିଭାବକ, ଅଭିଭାବକ ସଂଗଠନର ସଦସ୍ୟ ଏବଂ ବିଭିନ୍ନ ଶିକ୍ଷା ପଦାଧିକାରୀ ଏବଂ ଓଡ଼ିଶାର ମାନ୍ୟଗଣ୍ୟ ଶିକ୍ଷାବିତ୍‌ଗଣଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷା ତଥା ଶିକ୍ଷାବିତ୍‌ମାନଙ୍କ ମତାମତକୁ ଆଧାର କରି ସରକାର Summative Assessment-II  ପରୀକ୍ଷା କରିବାକୁ ନିଷ୍ପତ୍ତି ନେଉଛନ୍ତି ।

ଗତ ଦୁଇବର୍ଷର କରୋନା ମହାମାରୀରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାର ସ୍ଥିତିକୁ ଦୃଷ୍ଟିରେ ରଖି ଓ ଛାତ୍ରଛାତ୍ରୀମାନଙ୍କ ଉପରେ ପରୀକ୍ଷାର ଚାପ ସୃଷ୍ଟି ନକରିବାକୁ ସରକାର ପରୀକ୍ଷା ସମ୍ବନ୍ଧୀୟ କେତେକ ନିଷ୍ପତ୍ତି ନେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା Summative Assessment-II ପରୀକ୍ଷା କରାଯିବ ଏବଂ ଏହା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ।

ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ଓ ଏହା ପରିଚାଳନା କରିବା ପାଇଁ ଅନ୍ୟ ବିଦ୍ୟାଳୟର ଶିକ୍ଷକ ନିୟୋଜିତ ହେବେ । ଆବଶ୍ୟକ ସ୍ଥଳେ ଯଦି କୌଣସି କାରଣରୁ କୌଣସି ବିଦ୍ୟାଳୟରେ ପରୀକ୍ଷା କରାଯାଇପାରିବ ନାହିଁ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିକଟରେ ଥିବା ଅନ୍ୟ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯିବ । ଏହି ବିଷୟରେ ପରିଷଦ Guideline ପ୍ରସ୍ତୁତ କରିବେ ।

ବିଗତ ଦୁଇବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ଏବଂ ଛାତ୍ରଛାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ପରିଷଦ ନିମ୍ନ ତିନୋଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବ । ଏହି ତିନୋଟି ପଦ୍ଧତି ମଧ୍ୟରୁ ପ୍ରଥମ ଦୁଇଟି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି ଏବଂ ତୃତୀୟଟି ପରିଷଦ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ନୂତନ ମୂଲ୍ୟାୟନ ପଦ୍ଧତି ଅନୁସାରେ ଫଳ ନିର୍ଦ୍ଧାରଣ ହେବ ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଉପରୋକ୍ତ ପଦ୍ଧତିରେ ନିର୍ଦ୍ଧାରଣ କରାଯିବ ଏବଂ ଯେଉଁଥିରେ ସେମାନେ ସର୍ବାଧିକ ନମ୍ବର ରଖିବେ ତାହା ତାଙ୍କର Final Result  ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ଚଳିତ ବର୍ଷର ହାଇସ୍କୁଲ, ମଧ୍ୟମା(ସଂସ୍କୃତ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷା ତା. ୨୯/୦୪/୨୦୨୨ରିଖଠାରୁ ଆରମ୍ଭ କରାଯାଇ ତା.୦୬/୦୫/୨୦୨୨ରିଖ ମଧ୍ୟରେ ଶେଷ କରିବାକୁ ସ୍ଥିର କରାଯାଇଅଛି ।