Home Judiciary ଅପମିଶ୍ରଣ ମାମଲାରେ ଦଣ୍ଡ ହାର କମ୍‌

ଅପମିଶ୍ରଣ ମାମଲାରେ ଦଣ୍ଡ ହାର କମ୍‌

ଭୁବନେଶ୍ୱର : ଖାଦ୍ୟ ଅପମିଶ୍ରଣ, ନକଲି ଔଷଧ ପ୍ରସ୍ତୁତି ଓ ଚୋରା ନିଶା କାରବାର କ୍ଷେତ୍ରରେ ରାଜ୍ୟରେ ଦଣ୍ଡବିଧାନ ହାର ଢେର୍‌ କମ୍‌ ରହୁଥିବାରୁ ମୁନାଫାଖୋର୍‌ ଚୋରା ବେପାରୀମାନେ ବେଧଡ଼କ ଭାବେ ସେମାନଙ୍କ ବେଆଇନ୍‌ ସାମ୍ରାଜ୍ୟ ବଢ଼ାଇ ଚାଲୁଛନ୍ତି । ଅନ୍ୟପକ୍ଷରେ ଏହି ସାମଗ୍ରୀ ସେବନ କରୁଥିବା ଖାଉଟିମାନଙ୍କ ଭିତରୁ ଅଧିକାଂଶ ବିଭିନ୍ନ ରୋଗବ୍ୟାଧିର ଶିକାର ହେଉଛନ୍ତି ।

ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଯେତେ ସଂଖ୍ୟକ ଚୋରା ନିଶା ସାମଗ୍ରୀ, ନକଲି ଔଷଧ ଏବଂ ବିଷାକ୍ତ ତଥା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା ଘେନି ମାମଲା ରୁଜୁ ହେଉଛି ସେଥିରୁ ୧୦ ପ୍ରତିଶତ ମାମଲାରେ ବି ଅଭିଯୁକ୍ତମାନେ ଦଣ୍ଡିତ ହୋଇନାହାନ୍ତି । ତ୍ରୁଟିପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା, ବିଳମ୍ବିତ ନ୍ୟାୟିକ ବ୍ୟବସ୍ଥା ଏବଂ ସର୍ବପରି ସରକାରୀ ମାମଲା ପରିଚାଳନାରେ ଗୁରୁତର ତ୍ରୁଟି ଯୋଗୁ ମଣିଷର ଧନଜୀବନକୁ ବାଜି ଲଗାଇ ଦେଉଥିବା ମୁନାଫାଖୋର୍‌ ବେପାରୀମାନେ ସହଜରେ ଖସିଯାଇ ପୁଣି ସେମାନଙ୍କ କଳା ସାମ୍ରାଜ୍ୟ ବଢ଼ାଇ ଚାଲୁଛନ୍ତି ।

ଓଡ଼ିଶାରେ ସିନ୍ଥେଟିକ୍‌ ଦୁଧ ଓ ସିନ୍ଥେଟିକ୍‌ ପନିର୍‌ କାରବାର ହେଉଥିବା ଘେନି ପ୍ରାୟ ୨୦ ବର୍ଷ ଧରି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଏବଂ ମଝିରେ ମଝିରେ ବି ଏଭଳି ବିଷାକ୍ତ ଖାଦ୍ୟ ସାମଗ୍ରୀ କର୍ତ୍ତୃପକ୍ଷ ଜବତ କରୁଛନ୍ତି । କିନ୍ତୁ ଏହାସତ୍ତ୍ୱେ ଓଡ଼ିଶାର ବିଷାକ୍ତ ପନିର୍‌ ବଜାର ପାଇଁ ଯେତେ ପରିମାଣର ସାମଗ୍ରୀ ଆବଶ୍ୟକ ପଡ଼ୁଛି ତାହା ଉପଲବ୍ଧ ହେଉନଥିବାରୁ ପଶ୍ଚିମବଙ୍ଗରୁ ଏହା ଆମଦାନୀ କରାଯାଉଛି । ଗାଁ ଗହଳରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଡିଟରଜେଣ୍ଟ ପାଉଡର୍‌ ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ବ୍ୟବହାର କରି ନକଲି ଗାଈ ଦୁଧ ପ୍ରସ୍ତୁତ ହେଉଛି । କିନ୍ତୁ ଏ ବ୍ୟାପାରରେ ଧରପଗଡ଼ ଅଭିଯାନ ଜୋରଦାର୍‌ ହୋଇପାରୁନାହିଁ ।

ସେହିଭଳି ବିନା ଗାଈ ଓ ମଇଁଷି ଦୁଧରେ ଓଡ଼ିଶାରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଘିଅ ଉତ୍ପାଦନ କରାଯାଇ ବଜାରରେ ବେଧଡ଼କ ଭାବେ ବିକ୍ରି ଚାଲୁଛି । ମନ୍ଦିରରୁ ଶ୍ମଶାନ ଏବଂ ହାଣ୍ଡିଶାଳ ପର୍ଯ୍ୟନ୍ତ ଚାରିଆଡ଼େ ଏହି ବିଷାକ୍ତ ଘିଅ, ତେଲ, ମସଲା ଆଦିର କାରବାର ବଢ଼ି ବଢ଼ି ଚାଲୁଛି । ଏମିତିକି ସ୍ୱାଦିଷ୍ଟ ଖାଦ୍ୟର ମଜା ନେବା ପାଇଁ ନାମୀଦାମୀ କମ୍ପାନୀ ବ୍ରାଣ୍ଡରେ ବି ନକଲି ସସ୍‌ ତିଆରି ହେଉଛି । ରାସ୍ତାଘାଟଠାରୁ ଆରମ୍ଭ କରି ଘର ତିଆରି ଲାଗି ବ୍ୟବହୃତ ହେଉଥିବା ସିମେଣ୍ଟ ମଧ୍ୟ ନକଲି କାରଖାନାରେ କେତେକ ସ୍ଥଳରେ ତିଆରି ହେଉଛି । କେବଳ କଟକ କି ଭୁବନେଶ୍ୱର ଉପକଣ୍ଠ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଶୁଦ୍ଧ ଖାଦ୍ୟ ସାମଗ୍ରୀ ନାମରେ ଏମିତି ବିଷ ବେପାର ଚାଲିଛି ।

ଗୁଟ୍‌ଖା, ଖଇନି, ପାନମସଲାଠାରୁ ଆରମ୍ଭ କରି ଗଞ୍ଜେଇ ସିଗାରେଟ୍‌, ବ୍ରାଉନ୍‌ ସୁଗାର, ଚୋରା ମଦର ପ୍ରାବଲ୍ୟ ଏବେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡ଼େ ଜଳ ଜଳ ଦିଶୁଛି । ଅଥଚ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୨ରୁ ୮ ପ୍ରତିଶତ ମଧ୍ୟରେ ସୀମିତ ରହୁଛି । ମୋଟାମୋଟି ଭାବେ ନକଲି ଖାଦ୍ୟ, ଔଷଧ ଓ ନିଶା ସାମଗ୍ରୀ ପ୍ରସ୍ତୁତି ଲାଗି ସତେଯେମିତି କୂଟୀର ଶିଳ୍ପ ଚାଲିଛି । ଏହାର ଭୟଙ୍କର ଦିଗ କଥା ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଥିଲେ ବି କଠୋର ଦଣ୍ଡବିଧାନ ହେଉନଥିବା ଫଳରେ ଖାଦ୍ୟ ନାମରେ ବିଷଦେଇ ଅସାଧୁ ବେପାରୀ ମାଲାମାଲ ହୋଇଚାଲୁଛନ୍ତି ।