Home Education ଅନ୍‍ଲାଇନ୍‍ ପାଠପଢାକୁ ନେଇ ଆଶଙ୍କା ପ୍ରକାଶ

ଅନ୍‍ଲାଇନ୍‍ ପାଠପଢାକୁ ନେଇ ଆଶଙ୍କା ପ୍ରକାଶ

ଭୁବନେଶ୍ୱର : ରାଜ୍ୟ ସରକାର କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣାକୁ ଅଧିକ କଡାକଡି କରିବା ସହିତ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଅନ୍‍ଲାଇନ୍‍ରେ ପାଠ ପଢିବାକୁ କୁହାଯାଇଛି । ତେବେ ଗତ ବର୍ଷ ଜାରି କଟକଣା ସମୟରେ ମାତ୍ର ୩୩ ପ୍ରତିଶତରୁ ସାମାନ୍ୟ ଅଧିକ ଛାତ୍ରଛାତ୍ରୀ ୟୁଟ୍ୟୁବ ଜରିଆରେ ପାଠ ପଢିଥିବାବେଳେ ଏବେ କେତେ ସଂଖ୍ୟାରେ ଛାତ୍ରଛାତ୍ରୀ ପଢିବେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

ଗତବର୍ଷ କରୋନା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ଅନ୍‍ଲାଇନ୍‍ରେ ପାଠ ପଢାଇବାପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ୟୁଟ୍ୟୁବ ଜରିଆରେ ପାଠପଢା ସହିତ ଆକାଶବାଣୀ ଓ ଦୂରଦର୍ଶନରେ ବି ପାଠପଢା ହୋଇଥିଲା । ତେବେ ଜଣାପଡିଛି ଯେ ୟୁଟ୍ୟୁବ ଜରିଆରେ ମାତ୍ର ୩୩.୫୨ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢିବାରେ ସଫଳ ହୋଇଥିଲେ । ସୁନ୍ଦରଗଡ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନବମ ଓ ଦଶମଶ୍ରେଣୀରେ ପଢୁଥିବା ପିଲାଙ୍କ ମଧ୍ୟରୁ ମାତ୍ର ୨୧ ପ୍ରତିଶତ ୟୁଟ୍ୟୁବ ଦେଖିଥିଲେ ।

ବର୍ତ୍ତମାନ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଉଛି । କାରଣ ଇତି ମଧ୍ୟରେ ରାଷ୍ଟ୍ରାୟତ ସଂସ୍ଥା ବିଏସ୍‍ଏନ୍‍ଏଲ୍‍କୁ ବାଦ୍‍ ଦେଲେ ରାଜ୍ୟରେ ଥିବା ଅନ୍ୟ ସମସ୍ତ ଟେଲିକମ ସଂସ୍ଥା ସେମାନଙ୍କ ଦର ଅହେତୁକ ଭାବେ ବୃଦ୍ଧି କରିଛନ୍ତି । ଏଥିଯୋଗୁଁ ଗାଁ ଗହଳର ଲୋକେ ପିଲାଙ୍କୁ ଇଣ୍ଟରନେଟ୍‍ ସଂଯୋଗ ଦେଇ ପାଠପଢାଇବା ଏତେଟା ସହଜ ହେବନାହିଁ । ସେହିଭଳି ଏବେ ବି ଅଧିକାଂଶ ଅଭିଭାବକଙ୍କ ନିଟକରେ ପିଲାଙ୍କ ପାଠପଢା ପାଇଁ ଅତିରିକ୍ତ ସ୍ମାର୍ଟଫୋନ୍‍ଟିଏ ନାହିଁ ।

ରାଜ୍ୟର ଅନେକ ଅଞ୍ଚଳରେ ଏବେ ମୋବାଇଲ୍‍ ସେବା ଅପହଞ୍ଚ । ଭାରତ ନେଟ୍‍ ଯୋଜନାରେ ପଞ୍ଚାୟତକୁ ଯେଉଁ ବ୍ରଡବ୍ୟାଣ୍ଡ ସଂଯୋଗ ଦିଆଯାଇଛି ସେଥିରୁ ସାଧାରଣ ଲୋକେ ସୁଫଳ ପାଇପାରୁ ନାହାନ୍ତି । ଏଥି ସହିତ ଗାଁ ଗହଳରେ ବିଜୁଳି ସମସ୍ୟା ବି ଉତ୍କଟ । ଘନ ଘନ ବିଜୁଳିକାଟ୍‍ ଯୋଗୁଁ ଦୂରଦର୍ଶନ ଭଳି ମାଧ୍ୟମରେ ପାଠ ପଢିବା ସହଜ ହେଉନାହିଁ । ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ପିଲାଏ ଅନ୍‍ଲାଇନ୍‍ରେ କିଭଳି ପାଠ ପଢିବେ ଓ ପରୀକ୍ଷା ଦେବେ ତାହା ବଡ ପ୍ରଶ୍ନବାଚୀ ହୋଇଛି ।

ସେହିଭଳି କରୋନାର ପ୍ରଥମ ଲହର ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ରାଜ୍ୟରେ ୮ହଜାରରୁ ଅଧିକ ପିଲା ଅଧାରୁ ପାଠ ଛାଡିଥିବାବେଳେ ଏମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାରୁ ୪୨୮ଜଣ ପିଲା ରହିଥିଲେ । ନୂଆପଡା ଜିଲ୍ଲାରେ ପାଖାପାଖି ୯ଶହ ପିଲା ପାଠ ଛାଡି ଦେଇଥିଲେ । ଏବେ ପୁଣିଥରେ ଶ୍ରେଣୀ ପଢା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢିବା ନେଇ ଶିକ୍ଷାବିତ୍‍ମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ଗୋଟିଏ ପଟେ ଅନ୍‍ଲାଇନ୍‍ ପାଠପଢା ପାଇଁ ସାଧନର ଅଭାବ ଓ ଅନ୍ୟପଟେ ବିଦ୍ୟାଳୟ ବନ୍ଦ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଙ୍କଟକୁ ଠେଲିଦେବ ବୋଲି ଆଶଙ୍କା ପ୍ରକାଶ କରାଗଲାଣି । ତେଣୁ ଗାଁ ଗହଳର ପିଲାଏ କିଭଳି ଅନ୍‍ଲାଇନ୍‍ ଜରିଆରେ ଠିକଣା ଭାବେ ପାଠ ପଢିପାରିବେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ ପାଇଁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)