Home General ଅନିଶ୍ଚିତତା ଆଡକୁ ଯାଉଛି ପଞ୍ଚାୟତ ନିର୍ବାଚନ

ଅନିଶ୍ଚିତତା ଆଡକୁ ଯାଉଛି ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର : ଆସନ୍ତା ଜାନୁଆରୀ-ଫେବୃଆରୀ ମାସରେ ଓମିକ୍ରନ ଜନିତ କରୋନା ସଂକ୍ରମଣ ଯୋଗୁଁ ଢେର ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବା ଘେନି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରୁଥିବା ପରିପ୍ରେକ୍ଷୀରେ ପଞ୍ଚାୟତ ନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲିହୋଇ ଯାଉଛ । ପଛୁଆବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ ଓଡିଶାରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଛି ।

ଇତି ମଧ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ୍‍ ଦେଇ ନୂଆ ଚିଠା ପ୍ରକାଶ ପାଇଛି ଏବଂ ଏହା ଉପରେ ଆପତ୍ତି ଅଭିଯୋଗ ଲୋଡା ଯାଇଥିବା ପରିପ୍ରେକ୍ଷୀରେ ଜାନୁୟାରୀ ୭ତାରିଖ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବାକୁ ଯାଉଛି । ଏହି ତାଲିକା ପାଇବାପରେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସୂଚୀ ପ୍ରସ୍ତୁତ ସହ ବିଜ୍ଞପ୍ତି ଜାରି କରିବା କଥା ।

ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏବେ ବିଭିନ୍ନ ରାଜନୈତିକଦଳ ଏବଂ ସମ୍ଭାବ୍ୟ ପ୍ରାର୍ଥୀମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାଲାଗି କସରତ ଆରମ୍ଭ କରିଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ଉପାନ୍ତ ଅଞ୍ଚଳମାନଙ୍କରେ ବି ସଭା, ସମିତି, ଶୋଭାଯାତ୍ରାମାନ ଚାଲୁଥିବାବେଳେ ସେଥିରେ କେହି କେନ୍ଦ୍ର କି ରାଜ୍ୟ ସରକାରଙ୍କ କରୋନା କଟକଣାକୁ ମାନୁଥିବା ଭଳି ମନେ ହେଉନାହିଁ ।

ଅତୀତରେ ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନବେଳେ ରାଜନୈତିକ ସମାବେଶ ଯୋଗୁଁ କରୋନା ଏଭଳି ବ୍ୟାପିଲା ଯେ ମାଡ୍ରାସ ହାଇକୋର୍ଟ ଭାରତର ନିର୍ବାଚନ କମିଶନଙ୍କ ଉପରେ ବିରକ୍ତି ପ୍ରକାଶ କରି କମିଶନ ବିରୁଦ୍ଧରେ କାହିଁକି ନରହତ୍ୟା ମାମଲା ରୁଜୁ କରାନଯିବ ବୋଲି ମନ୍ତବ୍ୟ ଦେଇଥିଲେ । ଓଡିଶାରେ ହୋଇଥିବା ବିଧାନସଭା ଉପନିର୍ବାଚନଗୁଡିକରେ ବି କରୋନା କଟକଣାର ଖୋଲା ଉଲ୍ଲଙ୍ଘନ ହୋଇଥିଲା । ଏପରିକି ପିପିଲି ବିଧାନସଭା ଉପନିର୍ବାଚନରେ କରୋନାରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିବା ସହ ପ୍ରଚାର ଅଭିଯାନରେ ସାମିଲ ବହୁ ଲୋକ ସଂକ୍ରମିତ ହୋଇଥିଲେ ।

ଭାରତ ବିଶେଷକରି ଓଡିଶାରେ ଓମିକ୍ରନ ଭାରିଆଣ୍ଟ ଜନିତ କରୋନା ସଂକ୍ରମଣ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞ ମହଲ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ରାଜନୈତିକ ନେତାମାନେ ଯେଭଳି ବିଶୃଙ୍ଖଳ ଆଚରଣ କରି ସଭା ସମିତି, ଶୋଭାଯାତ୍ରାମାନ ଆୟୋଜନରେ ଲାଗି ପଡିଛନ୍ତି ସେଥିରୁ ମତଦାନ କରୋନା ସମ୍ପ୍ରସାରଣରେ ସହାୟକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । କିଛି ପ୍ରାର୍ଥୀ ଓ ଦଳ ତୁରନ୍ତ ନିର୍ବାଚନ ହେବା ସପକ୍ଷରେ ଥିବାବେଳେ ଅନେକ ସମ୍ଭାବ୍ୟ ପ୍ରାର୍ଥୀ କିନ୍ତୁ କାଳେ ମଝିରୁ ନିର୍ବାଚନ ବନ୍ଦ ହୋଇଯିବ ସେହି ଆଶଙ୍କାରେ ଏବେ ଠାରୁ ଜଗି ରଖି ପଇସା ଖର୍ଚ୍ଚ କରୁଛନ୍ତି । ତେବେ କରୋନା ସଂକ୍ରମଣର ସ୍ଥିତିକୁ ଆଖିଆଗରେ ରଖି ଠିକଣା ସମୟରେ ନିର୍ବାଚନ କମିଶନ ଠିକଣା ନିଷ୍ପତ୍ତି ନେଇପାରନ୍ତି ବୋଲି ପର୍ଯ୍ୟବେକ୍ଷକ ମହଲ ଆଶାବ୍ୟକ୍ତ କରୁଛନ୍ତି । (ତଥ୍ୟ)