Home General ଅନଲାଇନରେ ପଇଠ ହୋଇପାରୁନି ପାଣି ବିଲ୍‍

ଅନଲାଇନରେ ପଇଠ ହୋଇପାରୁନି ପାଣି ବିଲ୍‍

ଭୁବନେଶ୍ୱର : ସହରାଞ୍ଚଳର ହିତାଧିକାରୀମାନେ ଅନ୍‍ଲାଇନରେ ପାଣି ବିଲ୍‍ ପଇଠ କରିପାରୁ ନାହାନ୍ତି । କାରଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ କୌଣସି ସୁବିଧା ହୋଇନାହିଁ । ନବ ନିର୍ମିତ ପୋର୍ଟାଲ ‘ଓଡିଶା ୱାନ’ କିମ୍ବା ୱାଟ୍‍କୋର ନିଜସ୍ୱ ପୋର୍ଟାଲରେ ଏହି ସୁବିଧା ଉପଲବ୍ଧ ହେଉନଥିବାରୁ ହିତାଧିକାରୀମାନେ ଚାହିଁଲେ ବି ମାର୍ଚ୍ଚ ମାସରେ ନିଜ ନିଜର ପାଣି ବିଲ୍‍ ଦେଇପାରୁ ନାହାନ୍ତି ।

ନାଗରିକମାନଙ୍କୁ ଗୋଟିଏ ପୋର୍ଟାଲରେ ସମସ୍ତ ପ୍ରକାର ସେବା ଯୋଗାଣ ପାଇଁ ରାଜ୍ୟ ସରକାର ‘ଓଡିଶାୱାନ୍‍’ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଏହା ସବୁଠାରୁ ସୁରକ୍ଷିତ ଓ ସୁବିଧା ଜନକ ହୋଇଥିବାରୁ ଲୋକେ ଏହା ଜରିଆରେ ବିଦ୍ୟୁତ୍‍ ବିଲ୍‍ ପଇଠ ସମେତ ବିଭିନ୍ନ ବିଭାଗର ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ହେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଜରିଆରେ ପାଣି ବିଲ୍‍ ପଇଠର ସୁବିଧା ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏହି ସୁବିଧାକୁ ବିଭାଗ ପ୍ରତ୍ୟାହାର କରିନେଇଛି ।

ସେହିଭଳି ସହରାଞ୍ଚଳରେ ଜଳଯୋଗାଣ ଦାୟିତ୍ୱରେ ଥିବା ୱାଟ୍‍କୋ ପୋର୍ଟାଲରେ ବିଲ୍‍ ପଇଠ ପାଇଁ ଗୋଟିଏ ‘ଅପ୍ସନ’ ରହିଛି । ହେଲେ ତାହା ବି କାର୍ଯ୍ୟ କରୁନାହିଁ । ତେଣୁ ଲୋକେ ଚାହିଁଲେ ବି ଏହି ଦୁଇ ସରକାରୀ ପୋର୍ଟାଲ ଜରିଆରେ ନିଜ ନିଜର ପାଣି ବିଲ୍‍ ଦାଖଲ କରିପାରୁ ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶା ୱାନ୍‍ରେ ପ୍ରଥମେ ପାଣି ବିଲ୍‍ ପଇଠ ପାଇଁ ବ୍ୟବସ୍ଥା ଥିବାବେଳେ ଏହା ଜରିଆରେ ରାଜ୍ୟ ଏପରିକି ଦେଶ ବାହାରେ ରହୁଥିବା ଲୋକେ ନିଜ ନିଜ ଘରର ପାଣି ବିଲ୍‍ ଠିକଣା ସମୟରେ ପଇଠ କରିଦେଉଥିଲେ । ହେଲେ କୌଣସି କାରଣରୁ ନଗର ଉନ୍ନୟନ ବିଭାଗ ଓଡିଶା ୱାନ୍‍ ପୋର୍ଟାଲରୁ ଏହି ସୁବିଧାକୁ ପ୍ରତ୍ୟାହାର କରିନେଇଛି । ତେଣୁ ଏବେ ଲୋକେ ବିଲ୍‍ ପଇଠ କରିବାପାଇଁ ଏ ସଂକ୍ରାନ୍ତରେ ଖୋଳତାଡ କରୁଥିବା ଜଣାଯାଇଛି ।

ସେହିଭଳି ସହରାଞ୍ଚଳରେ ପାଣି ବିଲ୍‍ ଆଦାୟ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଜଳ ସାଥି’ ନିଯୁକ୍ତ ହୋଇଛନ୍ତି । ଏମାନଙ୍କୁ ତାଲିମ ପ୍ରଦାନ ସହିତ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ସହିତ ରାଜିନାମା ହୋଇ ଡିଜିଟାଲ ବ୍ୟବସ୍ଥାରେ ଅର୍ଥ ଆଦାୟ ଲାଗି ମେସିନ୍‍ ବି ଯୋଗାଇ ଦିଆଯାଇଛି । କେବଳ ଅର୍ଥ ଆଦାୟ ନୁହେଁ, ଜଳସାଥିମାନେ ନିୟମିତ ବ୍ୟବଧାନରେ ଲୋକଙ୍କ ଘରକୁ ଯାଇ ଜଳର ମାନ ପରୀକ୍ଷା ପାଇଁ ତାଲିମ ନେଇଛନ୍ତି । ଏପରିକି ଥରେ ଜଳ ପରୀକ୍ଷା କଲେ କେତେ କମିଶନ ପାଇବେ ତାହା ବି ଧାର୍ଯ୍ୟ ହୋଇଛି । ଅମୃତ ଯୋଜନାରେ ୱାଟ୍‍କୋ କର୍ତ୍ତୃପକ୍ଷ ପ୍ରତ୍ୟେକ ଘରେ ଜଳ ମିଟର ଲଗାଇଛନ୍ତି ।

ହେଲେ ବହୁ ସ୍ଥାନରେ ଏହି ଜଳସାଥିମାନଙ୍କର ଦେଖା ଦର୍ଶନ ନାହିଁ । ପାଣିର ମାନ ପରୀକ୍ଷା ତ ଦୂରରକଥା ନିୟମିତ ବ୍ୟବଧାନରେ ଆସି ଘରକୁ ଘର ଅର୍ଥ ଆଦାୟ ବି କରୁନାହାନ୍ତି । ଗୋଟିଏ ପଟେ ଜଳ ସାଥିଙ୍କର ଦେଖା ନଥିବାବେଳେ ଅନ୍ୟ ପଟେ ଅର୍ଥ ପଇଠ ପାଇଁ ଥିବା ପୋର୍ଟାଲ ଅଚଳ ହେବା ଏବେ ହିତାଧିକାରୀଙ୍କ ପାଇଁ ସମସ୍ୟା ହୋଇଛି । ଏଥି ଯୋଗୁଁ ମାର୍ଚ୍ଚମାସରେ ଜଳ ଟିକସ ଆଦାୟ କମିବା ସହିତ ନିୟମିତ ଟିକସ ପଇଠ କରି ଲୋକେ ବି ରିହାତି ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । (ତଥ୍ୟ)