Home Judiciary ମାମଲାରେ ଛନ୍ଦି ହେଉଥିବା ନାବାଳକ ସଂଖ୍ୟା ବଢି ଚାଲିଛି

ମାମଲାରେ ଛନ୍ଦି ହେଉଥିବା ନାବାଳକ ସଂଖ୍ୟା ବଢି ଚାଲିଛି

ଭୁବନେଶ୍ୱର : ରାଜ୍ୟରେ ଆଇନ୍‍ଗତ ଜାଲରେ ଛନ୍ଦି ହେଉଥିବା ନାବାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୭ ମସିହାରେ ସରକାରୀ ହିସାବରେ ରାଜ୍ୟରେ ଏହି ଧରଣର ନାବାଳକଙ୍କ ସଂଖ୍ୟା ୫୬୬୧ ଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିଯାଇଛି । ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଆବଶ୍ୟକ ସୁଧାର ଗୃହର ସଂଖ୍ୟା କିନ୍ତୁ ବୃଦ୍ଧି ପାଉନାହିଁ ।

ସରକାରୀ ସୂଚନା ଅନୁଯାୟୀ ୨୦୧୭ ମସିହାରେ ରାଜ୍ୟରେ ଆଇନ୍‍ଗତ ଜାଲରେ ଛନ୍ଦି ହୋଇଥିବା ୫୬୬୧ ଜଣ ଶିଶୁ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୭୫୧ ଜଣ ଥିଲେ । ଖୋରଧାରେ ୬୭୬, ସୁନ୍ଦରଗଡରେ ୬୫୮ ଓ ଗଞ୍ଜାମରେ ୪୩୧ଜଣ ନାବାଳକ ଚିହ୍ନଟ ହୋଇଥିଲେ । ସବୁଠାରୁ କମ୍‍ ମାତ୍ର ୧୦ଜଣ ଶିଶୁ ରାୟଗଡା ଜିଲ୍ଲାରେ ରହିଥିଲେ ।

୨୦୧୮ରେ ରାଜ୍ୟରେ ଆଇନ୍‍ଗତ ବିବାଦରେ ଛନ୍ଦି ହୋଇଥିବା ନାବାଳକଙ୍କ ସଂଖ୍ୟା ୬୨୮୫ ଥିବାବେଳେ ୨୦୧୯ରେ ସେମାନଙ୍କ ସଂଖ୍ୟା ୬୮୭୨ରେ ପହଞ୍ଚିଥିଲା । ୨୦୨୦ ରେ ଏହି ସଂଖ୍ୟା ୮୭୧୨ ହୋଇଥିବାବେଳେ ଗତବର୍ଷ ଏହା ୧୦,୨୪୬ରେ ପହଞ୍ଚିଛି ।

ତେବେ ଯେଉଁ ଶିଶୁମାନେ ବିଭିନ୍ନ ଘଟଣାରେ ଜଡିତ ହୋଇ ପୁଲିସ୍‍ ଦ୍ୱାରା ଉଦ୍ଧାର ହୋଇଥାନ୍ତି ସେମାନଙ୍କୁ ସୁଧାର ଗୃହରେ ରଖାଯାଇଥାଏ । ତେବେ ରାଜ୍ୟରେ ଏବେ ବି ମାତ୍ର ୩ଟି ନାବାଳକ ସୁଧାର ଗୃହ ରହିଛି । ଏପରିକି ଭୁବନେଶ୍ୱରରୁ ଉଦ୍ଧାର ହେଉଥିବା ଶିଶୁଙ୍କୁ ଦେଢ ଶହ କିଲୋମିଟର ଦୂର ବ୍ରହ୍ମପୁରକୁ ପଠାଯାଉଛି । ସୁଧାରଗୃହ ଅଭାବରୁ ବହୁ ନାବାଳକ ଜାମିନ୍‍ରେ ଯାଇ ବାରମ୍ବାର ପୁଲିସ୍‍ ହାବୁଡରେ ପଡୁଥିବା ଶିଶୁ ସୁଧାର କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ଏହି ଧରଣର ଶିଶୁମାନେ ଯଦି କିଛିଦିନ ସୁଧାର ଗୃହରେ ରହିବେ ତେବେ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିପାରିବ ।

ସେହିଭଳି ଏହି ଧରଣର ମାମଲାର ବିଚାର ପାଇଁ ଦେୱାନୀ ଅଦାଲତର ରେଜିଷ୍ଟ୍ରାରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଥିବାରୁ ଯେଉଁ ଗତିରେ ମାମଲାଗୁଡିକ ପରିଚାଳନା ହେବାକଥା ତାହା ହୋଇପାରୁ ନାହିଁ । କାରଣ ଦେୱାନୀ ଅଦାଲତର ରେଜିଷ୍ଟ୍ରାରଙ୍କ ଉପରେ ଅନେକ ଗୁରୁ ଦାୟିତ୍ୱ ରହୁଥିବାରୁ ସେମାନେ ଆବଶ୍ୟକତା ଅନୁଯାୟୀ ସମୟ ବାହାର କରିବା କଷ୍ଟକର ହୋଇପଡୁଛି । ତେଣୁ ମାମଲାର ତ୍ୱରିତ ଫଏସଲା ଉପରେ ସରକାର ଗୁରୁତ୍ୱ ଦେବାକୁ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।

ସେହିଭଳି ରାଜ୍ୟରେ ଅନାଥ ପିଲାଙ୍କ ସଂଖ୍ୟା ସରକାରୀ ହିସାବରେ ୨୭,୫୪୦ ଥିବାବେଳେ ଏମାନଙ୍କ ମଧ୍ୟରେ ୧୩,୧୬୨ଜଣ ବାଳିକା ଅଛନ୍ତି । ଏହି ଅନାଥ ଶିଶୁଙ୍କ ମଧ୍ୟରୁ ସର୍ବାଧିକ ୩୯୪୯ ଜଣ ମୟୁରଭଞ୍ଜ ଜିଲ୍ଲାରେ ଥିବାବେଳେ କେନ୍ଦୁଝରରେ ଏହି ସଂଖ୍ୟା ୩୦୮୫, ନବରଙ୍ଗପୁରରେ ୨୩୯୯ ଓ ରାୟଗଡାରେ ୨୨୩୮ ରହିଛି ।

ଅନୁରୂପ ଭାବେ ରାଜ୍ୟରେ ରାସ୍ତାକଡରେ ଥିବା ପିଲାଙ୍କ ସଂଖ୍ୟା ୧୭୦୦ ଥିବା ସରକାରୀ ଭାବେ ଦର୍ଶାଯାଉଛି । ଏହି ପିଲାଙ୍କ ମଧ୍ୟରେ ୮୧୧ଜଣ ବାଳିକା ରହିଛନ୍ତି । ରାସ୍ତାକଡରେ ଥିବା ଏହି ଶିଶୁଙ୍କ ମଧ୍ୟରେ ସର୍ବାଧିକ ୨୫୯ଜଣ ଝାରସୁଗୁଡା ଜିଲ୍ଲାରେ ଥିବାବେଳେ ସୁବର୍ଣ୍ଣପୁର, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଜଣେ ହେଲେ ଶିଶୁ ରାସ୍ତାକଡରେ ନଥିବା ଜଣାଯାଇଛି । (ତଥ୍ୟ)