Home General ଅଧ୍ୟାପକଙ୍କ ବୟସ ୬୨କୁ ବଢ଼ାଅ

ଅଧ୍ୟାପକଙ୍କ ବୟସ ୬୨କୁ ବଢ଼ାଅ

247
0

ଭୁବନେଶ୍ୱର : କଲେଜଗୁଡ଼ିକରେ ସଂଖ୍ୟାଧିକ ପଦବୀ ଖାଲିପଡ଼ିଥିବାରୁ ପାଠପଢ଼ା ଜାରି ରଖିବା ଲାଗି ଅଧ୍ୟାପକମାନଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବଢ଼ାଇବା ଲାଗି ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍ତି । ଏଥିସହିତ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।

ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିରେ ୧୧ଜଣ ସଦସ୍ୟ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଲାଗି କେତେଗୁଡ଼ିଏ ସୁପାରିଶ କରିଛନ୍ତି । ଏଥିମଧ୍ୟରେ କଲେଜଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ୧୫ଟି ଆଞ୍ଚଳିକ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିବାକୁ କୁହାଯାଇଛି । ଏଥିସହିତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକମାନଙ୍କ ବଦଳି ଲାଗି ଏକ ବଦଳି ନୀତି ପ୍ରସ୍ତୁତ ଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।

ଶତପ୍ରତିଶତ ବ୍ଲକ୍‍ଗ୍ରାଣ୍ଟ ପାଉଥିବା କଲେଜଗୁଡ଼ିକୁ ଗ୍ରାଣ୍ଟ ଇନ୍‍ ଏଡ ଦେବା ପାଇଁ ସୁପାରିଶ କରାଯାଇଥିବା ବେଳେ ଏଥିପାଇଁ ୨୦୧୦ ମସିହାରେ ଖୋଲିଥିବା କଲେଜକୁ ୨୦୦୧ ଜନଗଣନା ଆଧାର ବଦଳରେ ୨୦୧୧ ଜନଗଣନାକୁ ବିଚାରକୁ ନେବାକୁ କମିଟି ମତ ଦେଇଛନ୍ତି । ସେହିଭଳି ଯେଉଁ ବ୍ଲକ୍‍ରେ ବିଜ୍ଞାନ ଡିଗ୍ରୀ କଲେଜ ନାହିଁ ସେଠାରେ ଅତିକମ୍‍ରେ ଗୋଟିଏ ଯୁକ୍ତ ୩ ବିଜ୍ଞାନ କଲେଜ ଖୋଲିବାକୁ କୁହାଯାଇଛି । ଏହି କଲେଜଗୁଡ଼ିକ ଲାଗି ଭିତ୍ତିଭୂମି ଯୋଗାଇଦେବା ସକାଶେ ଅଧିକ ପାଣ୍ଠି ବ୍ୟବସ୍ଥା ଲାଗି କମିଟି କହିଛନ୍ତି ।

କଲେଜ ସ୍ତରରେ କ୍ରୀଡ଼ାର ବିକାଶ ଲାଗି ନିୟମିତ ଭାବେ ଆନ୍ତଃମହାବିଦ୍ୟାଳୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ସୁପାରିଶ କରାଯାଇଛି । ସେହିଭଳି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟରୁ ସରକାର ବାଦ୍‍ ଦେବା ବିଷୟକୁ ପରୀକ୍ଷା ନିରୀକ୍ଷା ଲାଗି ପଦକ୍ଷେପ ନେବାକୁ କମିଟି କହିଛନ୍ତି । ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ନନ୍‍-ଏଷ୍ଟାବ୍ଲିସ୍‍ମେଣ୍ଟ ବାବଦରେ ଯୋଗାଯାଉଥିବା ଅର୍ଥ ପର୍ଯ୍ୟାପ୍ତ ହେଉନଥିବାରୁ ଏଥିପାଇଁ ବଜେଟ୍‍ରେ ଅଧିକ ଅର୍ଥ ବରାଦ ଲାଗି କୁହାଯାଇଛି ।

ପୂର୍ବରୁ କଲେଜଗୁଡ଼ିକରେ ଅତିଥି ଅଧ୍ୟାପକମାନଙ୍କୁ ଗୋଟିଏ ଶ୍ରେଣୀ ପିଛା ୫୦୦ ଟଙ୍କା ହାରରେ ମୋଟ୍‍ ୪୦ଟି ଶ୍ରେଣୀ ପାଇଁ ମାସିକ ୨୦ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ତେବେ ଏହାକୁ ବର୍ତ୍ତମାନ ମାସିକ ୨୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧ୍ୟାପକମାନେ ଏଣିକି ମାସକୁ ସର୍ବାଧିକ ୫୦ଟି ଶ୍ରେଣୀ ନେବେ । ସେହିଭଳି ବେସରକାରୀ କଲେଜଗୁଡ଼ିକରେ ବିଧାୟକ ପାଣ୍ଠି ଅର୍ଥ ଖର୍ଚ୍ଚ ପାଇଁ କୌଣସି ସ୍ୱତନ୍ତ୍ର ମାର୍ଗଦର୍ଶିକା ନ ଥିବା ବେଳେ କେତେକ କଲେଜର ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଏହି ପାଣ୍ଠି ଯୋଗାଯାଇଛି ।

LEAVE A REPLY

Please enter your comment!
Please enter your name here