Home Agriculture ଅଧିକ ସଂସ୍ଥାଙ୍କ ମାଧ୍ୟମରେ ଧାନ କିଣ

ଅଧିକ ସଂସ୍ଥାଙ୍କ ମାଧ୍ୟମରେ ଧାନ କିଣ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଙ୍ଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍‌.ଏମ୍‌.ସି. ଏବଂ କୃଷିବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଏବଂ ସମବାୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଭିଡ଼ିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଜିଲ୍ଲାମାନଙ୍କରେ ଧାନକିଣା ସ୍ଥିତି ସମୀକ୍ଷାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାନବିକ୍ରୀ କରିବା ପାଇଁ ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଏ ତା’ଉପରେ ଦୃଷ୍ଟି ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଓସ୍‌ୱାନ ପ୍ଲାଟ୍‌ଫର୍ମ ମାଧ୍ୟମରେ ଅନୁଷ୍ଠିତ ଏହି ଭିଡିଓ କନ୍‌-ଫେରେନ୍‌ସିଂରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବିଭିନ୍ନ ଜିଲ୍ଲାରେ ଧାନସଂଗ୍ରହ ସମ୍ବନ୍ଧିତ ବୈଷୟିକ ଏବଂ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲାଯେ ସାଧାରଣତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ନଭେମ୍ବର-ଡିସେମ୍ବର ରୁ ଜାନୁଆରୀ-ଫେବୃଆରୀ ପର୍ଯ୍ୟନ୍ତ, ଏବଂ ଉପକୂଳ ଜିଲ୍ଲାମାନଙ୍କରେ ଡିସେମ୍ବର-ଜାନୁଆରୀ ରୁ ମାର୍ଚ୍ଚ-ଏପ୍ରିଲ୍‌ ପର୍ଯ୍ୟନ୍ତ ଧାନକିଣା ହୋଇଥାଏ ।

ସେହି ଅନୁସାରେ ବର୍ତ୍ତମାନ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା ଆଦି ଜିଲ୍ଲାରେ ଧାନକିଣା ଅବ୍ୟାହତ ରହିଛି । ଅନ୍ୟାନ୍ୟ ଜିଲ୍ଲାରେ ଧାନକିଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ବିଭିନ୍ନ ମଣ୍ଡିରେ ଧାନକିଣା ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ହଜାର ଚାଷୀଙ୍କଠାରୁ ୫.୧୩ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ସରିଛି ।

ବିଭିନ୍ନ ମଣ୍ଡିମାନଙ୍କରେ ଅଧିକ ସଂଖ୍ୟାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍‌.ଏମ୍‌.ସି. କର୍ମଚାରୀ, ଯୋଗାଣ ସହାୟକ, କୃଷି ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗରୁ ଡାଟା ଏଣ୍ଟ୍ରି ଅପରେଟର ଆଦିଙ୍କୁ ମୁତୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସ୍ଥାକୁ ଚାଷୀମାନଙ୍କ ନିମନ୍ତେ ଅଧିକ ସୁଗମ କରିବା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ସଂସ୍ଥା ଓ ବିଭାଗମାନଙ୍କୁ ମଧ୍ୟ ମୁତୟନ କରିପାରିବେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ କହିଥିଲେ ଯେ ଧାନକିଣା ପି-ପାସ୍‌ ନାମକ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି । ଏହା ଏକ ସ୍ୱୟଂକ୍ରିୟ ଓ ସରଳ ବ୍ୟବସ୍ଥା । ଏଥିରେ ଦୈନିକ ଧାନକିଣା ତଥ୍ୟ ଅପ୍‌ଲୋଡ୍‌ ହୁଏ ଏବଂ ସେହି ତଥ୍ୟ ଭିତ୍ତିରେ ଚାଷୀମାନଙ୍କୁ ଧାନର ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ମାଧ୍ୟମରେ ସିଧା ସଳଖ ପଠାଇ ଦିଆଯାଏ । ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରକ୍ରିୟା ବିଷୟରେ ତୁରନ୍ତ ଅନ୍‌ଲାଇନ୍‌ ତାଲିମ୍‌ ଦିଆଯିବ । ଜିଲ୍ଲାସ୍ତରରେ ଥିବା ସମବାୟ ବିଭାଗ ଏବଂ ଯୋଗାଣ ବିଭାଗ ଅଧିକାରୀମାନେ ମଧ୍ୟ ଏଥିରେ ସକ୍ରିୟଭାବେ ସାମିଲ୍‌ ହେବେ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଜେନ୍ଦ୍ର ମିଶ୍ର ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଧାନକିଣା ପ୍ରସ୍ତୁତି ଓ ଅଗ୍ରଗତି ବିଷୟ ଜଣାଇଥିଲେ । ଆବଶ୍ୟକତା ଅନୁସାରେ ଜିଲ୍ଲାମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ଜଣାଇଥିଲେ ।