Home Health ଅଧିକ ମେଡ଼ିକାଲ କଲେଜ ସପକ୍ଷରେ ନୀତି ଆୟୋଗ

ଅଧିକ ମେଡ଼ିକାଲ କଲେଜ ସପକ୍ଷରେ ନୀତି ଆୟୋଗ

କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟସେବା ପାଇଁ ସାଧାରଣ ଲୋକେ ଡହଳବିକଳ ହେଉଥିବା ବେଳେ ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାଗୁଡ଼ିକୁ ମେଡ଼ିକାଲ କଲେଜରେ ପରିଣତ କରିବା ଉପରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଗୁରୁତ୍ୱାରୋପ କରୁଛି । ଏଥିପାଇଁ ବିଭିନ୍ନ ରାଜ୍ୟର ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ଅଗ୍ରାଧିକାର ଦେବାକୁ ବ୍ୟବସ୍ଥା ରହିଥିବାରୁ ରାଜ୍ୟ ସରକାରମାନେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ପରାମର୍ଶ ଦେଇଛି ।

ଯେଉଁ ଜିଲ୍ଲା ମହକୁମା ଡାକ୍ତରଖାନାଗୁଡ଼ିକରେ ୨୦୦ରୁ ଅଧିକ ଶଯ୍ୟା ଥିବ ସେଗୁଡ଼ିକୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି । ଏହାଫଳରେ ଡାକ୍ତର ଅଭାବଜନିତ ପରିସ୍ଥିତି ସୁଧୁରିବା ସହିତ ରୋଗୀସେବାର ମାନ ବୃଦ୍ଧି ଘଟିବ ।

ଓଡ଼ିଶାର ପୁରୀ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ସମେତ ଯେଉଁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୦ରୁ ଅଧିକ କରି ଶଯ୍ୟା ରହିଛି ସେଗୁଡ଼ିକ ମେଡ଼ିକାଲ କଲେଜ ହସ୍ପିଟାଲକୁ ଉନ୍ନୀତ ହେବାର ସମ୍ଭାବନା ଉଜ୍ଜ୍ୱଳ ବୋଲି ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ତେବେ ନୂଆ ମେଡ଼ିକାଲ କଲେଜ ହସ୍ପିଟାଲ ପିପିପି ମୋଡ୍‍ରେ କରିବା ଏବଂ ରାଜ୍ୟ ସରକାରମାନେ ଏଥିଲାଗି କେନ୍ଦ୍ର ସରକାରଙ୍କ ଭାୟାବିଲିଟି ଗ୍ୟାପ୍‍ ଫଣ୍ଡିଂ (ଭିଜିଏଫ୍‍)ର ସୁଯୋଗ ନେବାକୁ ଆୟୋଗ କହୁଛି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ୍‍ରେ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଘରୋଇ ସଂସ୍ଥାଙ୍କୁ ଯୋଡ଼ିବା ପାଇଁ ୮୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବରାଦ ହୋଇଛି ।

ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ କେଉଁ ଜିଲ୍ଲାର ସଦର ମହକୁମା ମେଡ଼ିକାଲ କଲେଜକୁ କେଉଁ ଘରୋଇ ସଂସ୍ଥା ମେଡ଼ିକାଲ କଲେଜରେ ଉନ୍ନୀତ କରିବେ ସେଥିପାଇଁ ଖୋଲା ବିଜ୍ଞାପନ ମାଧ୍ୟମରେ ରାଜ୍ୟ ସରକାରମାନେ ସଂସ୍ଥା ଚୟନ କରିବେ । ପ୍ରକଳ୍ପ ଖର୍ଚ୍ଚର ୩୦ ପ୍ରତିଶତ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଭିଜିଏଫ୍‍ରୁ ପୂରଣ କରାଯିବ । ଏଥିପାଇଁ ନୀତି ଆୟୋଗ ଚୂଡ଼ାନ୍ତ ଚିଠା ତିଆରି କରିବା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଯେଉଁ ମାର୍ଗ ନିର୍ଦ୍ଦେଶିକା ରଖିଛି ସେହି ଆଧାରରେ ସାଧାରଣ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନାଗୁଡ଼ିକୁ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପବ୍ଲିକ୍‍ ପ୍ରାଇଭେଟ୍‍ ପାର୍ଟନରସିପ୍‍ ମଡେଲରେ ବିକଶିତ କରାଯାଇପାରିବ ।

ଶିଳ୍ପ କ୍ଷେତ୍ରରେ ବାହ୍ୟ ପୁଞ୍ଜିନିବେଶକୁ ଓଡ଼ିଶା ଆକୃଷ୍ଟ କରିପାରୁଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଘରୋଇ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟରେ ସୁଯୋଗ ରହିଥିବା କୁହାଯାଉଛି । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟ ପିପିପି ମୋଡ୍‍ରେ ଜିଲ୍ଲାସ୍ତରରେ ମେଡ଼ିକାଲ କଲେଜ ସ୍ଥାପନ ସମ୍ପର୍କରେ ଘୋଷଣା କରିଛନ୍ତି ।