Home Agriculture ଅଧା ଧାନ ବିହନ ବି ବିକ୍ରି ହୋଇନି

ଅଧା ଧାନ ବିହନ ବି ବିକ୍ରି ହୋଇନି

ଭୁବନେଶ୍ୱର : ଧାନ ବିହନ ବିକ୍ରି କ୍ଷେତ୍ରରେ ସରକାରଙ୍କ ନୂଆ ଡିବିଟି ଓ ଓଟିପି ବ୍ୟବସ୍ଥା ଯୋଗୁଁ ଚଳିତବର୍ଷ ବିହନ ବିକ୍ରି ପୂରା ମାନ୍ଦା । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡିଲର, ପ୍ୟାକ୍‍ସ ଓ ଲ୍ୟାମ୍ପସ ମାନେ ଏକ ଲକ୍ଷ ୮ହଜାର କୁଇଣ୍ଟାଲ ବିହନ ନେଇଥିବାବେଳେ ସେଥିରୁ ଅଧା ବି ଚାଷୀମାନେ କିଣି ନାହାନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ଡିଲର ଓ ଅନ୍ୟ ବିକ୍ରେତାମାନେ ପ୍ରାୟ ୨ଲକ୍ଷ ଟନ୍‍ ବିହନ ନେଇ ସାରିଥିଲେ ।

ରାଜ୍ୟ ସରକାର ପୁଣିଥରେ ଚାଷୀମାନଙ୍କୁ ବିହନର ପୂରା ଦାମ୍‍ ଦେଇ ନେବା ସହିତ ପରେ ସେମାନଙ୍କୁ ସବ୍‍ସିଡ୍‍ ଅର୍ଥ ଦେବାର ବ୍ୟବସ୍ଥା କରିଛନ୍ତି । ୧୦ବର୍ଷରୁ କମ୍‍ ସମୟର ବିହନକୁ ଚାଷୀମାନେ କୁଇଣ୍ଟାଲ ପିଛା ୩୫୦୭ ଟଙ୍କା ଦରରେ ଖରିଦ କରିବେ ଓ ପରେ ଡିବିଟି ବ୍ୟବସ୍ଥାରେ ସେମାନଙ୍କ ଖାତାକୁ ୧୪୫୭ ଟଙ୍କା ସବସିଡ୍‍ ଯିବ । ସେହିଭଳି ୧୦ବର୍ଷରୁ ଅଧିକ ସମୟର ବିହନ ଉପରେ ୧୧୨୭ ଟଙ୍କା ସବସିଡ୍‍ ମିଳିବ । ତେବେ ଏହି ସବସିଡ୍‍ ପାଇଁ ଚାଷୀମାନଙ୍କ ପଞ୍ଜିକୃତ ମୋବାଇଲ୍‍କୁ ଓଟିପି ଯିବ ଏବଂ ସେହି ଓଟିପି ଦେଖାଇଲେ ସବସିଡ୍‍ ଅର୍ଥ ମିଳିବ ।

ତେବେ ରାଜ୍ୟର ଅନେକ ଚାଷୀ ପୂର୍ଣ୍ଣ ଅର୍ଥ ଦେଇ ବିହନ ଖରିଦ କରିବାକୁ ସକ୍ଷମ ହେଉନଥିବାବେଳେ ଆଉ କେତେକ ଚାଷୀ କାଳେ ଆକାଉଣ୍ଟରୁ ଟଙ୍କା ଉଡିଯିବ ସେହି ଭୟରେ ଓଟିପି କଥା ଶୁଣି ପଛଘୁଞ୍ଚା ଦେଉଛନ୍ତି । ତେବେ ଚାଷୀଙ୍କ କହିବା କଥା ହେଉଛି ସବସିଡ୍‍ ବାଦ ସେମାନଙ୍କୁ ଧାନ ବିହନ କୁଇଣ୍ଟାଲ ପିଛା ଦୁଇ ହଜାର ଟଙ୍କାରୁ ଅଧିକ ଦର ଦେବାକୁ ପଡୁଛି । ବର୍ତ୍ତମାନ ସରକାର ଧାନ କୁଇଣ୍ଟାଲ ପିଛା ୧୯୪୦ ଟଙ୍କାରେ ଖରିଦ କରୁଥିବାବେଳେ ବେପାରୀମାନେ ୧୨୦୦ ଟଙ୍କାରେ କିଣୁଛନ୍ତି । ତେଣୁ ୨୦୦୦ ଟଙ୍କାରେ ଧାନ କିଣି ତାହାକୁ ଚାଷୀମାନେ କଳାବଜାରୀ କରିବାର ଅବକାଶ ନାହିଁ । ପୂର୍ବରୁ ସାଧାରଣ ଧାନ ଦର ତୁଳନାରେ ବିହନ ଦର କୁଇଣ୍ଟାଲ ପିଛା ୪୦୦ ରୁ ୫୦୦ ଟଙ୍କା କମ୍‍ ରହୁଥିବାରୁ କେତେକ ସ୍ଥାନରେ କଳାବଜାରୀ ସମ୍ଭାବନା ଥିଲା ।

ଚାଷୀଙ୍କ କହିବାକଥା ଯେ ବିହନ ସବସିଡ୍‍ ଡିବିଟି ଜରିଆରେ ଦେବାପାଇଁ କେନ୍ଦ୍ର ସରକାର କହିଥିବାରୁ ରାଜ୍ୟ ସରକାର ତାହାକୁ କଡାକଡି ପାଳନ କରୁଛନ୍ତି । ଏଥିପାଇଁ ଚାଷୀମାନେ ନିଜର ଆଧାର ନମ୍ବର ସହିତ କୃଷକ ପଞ୍ଜିକରଣ ନମ୍ବର ବି ଦେଉଛନ୍ତି । ଏହାପରେ କିନ୍ତୁ କର୍ତ୍ତୃପକ୍ଷ ଓଟିପି ଉପରେ ଜୋର ଦେଉଥିବାରୁ ଏଥିପ୍ରତି ଚାଷୀମାନେ ରାଜି ହେଉନାହାନ୍ତି ।

ବିହନ ବିକ୍ରି ଦାୟିତ୍ୱରେ ଥିବା ଓଡିଶା ରାଜ୍ୟ ବିହନ ନିଗମ ୨୦୧୬-୧୭ ବର୍ଷରେ ଡିବିଟି ବ୍ୟବସ୍ଥା ପ୍ରଚଳନ ସହିତ ବିହନର ପୂରା ଦାମ୍‍ ଦେଇ ନେବାକୁ ଚାଷୀମାନଙ୍କୁ କହିଥିଲା । ଏଥିପ୍ରତି ଚାଷୀମାନେ ଆଗ୍ରହ ପ୍ରକାଶ ନକରିବାରୁ ବିହନ ପଡି ରହିଥିଲା ଓ ନିଗମର ୨୭କୋଟି ଟଙ୍କା କ୍ଷତି ହୋଇଥିଲା । ଏହାକୁ ଭରଣା କରିବାପାଇଁ ରାଜ୍ୟ ସରକାର ମାତ୍ର ୭କୋଟି ଟଙ୍କା ଦେଇଥିବାବେଳେ ଏବେ ବି ନିଗମ ସେହି କ୍ଷତି ବୋଝରୁ ମୁକୁଳି ପାରିନାହିଁ ।

ଇତି ମଧ୍ୟରେ ବିହନ ବିକ୍ରିରେ ଏଭଳି ବିଶୃଙ୍ଖଳା ନେଇ ଚାଷୀ ପ୍ରତିନିଧିମାନେ ବିଭିନ୍ନ ସ୍ତରରେ ଆପତ୍ତି କରିଥିଲେ ମଧ୍ୟ ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । କୃଷି ମନ୍ତ୍ରୀ କିମ୍ବା ବିଭାଗର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଚଳିତବର୍ଷ କେବଳ ବିହନ ବିକ୍ରି କମିବନାହିଁ ଧାନ ଉତ୍ପାଦନ ହ୍ରାସ ପାଇବା ସହିତ ରାଜ୍ୟ ସରକାରଙ୍କ ବିହନ ନିଗମ ବି ବୁଡିଯିବ ବୋଲି ଚାଷୀମାନେ ମତ ଦେଇଛନ୍ତି । (ତଥ୍ୟ)