Home Agriculture ଅଧା ଦାମରେ କ୍ଷୀର ବିକ୍ରି

ଅଧା ଦାମରେ କ୍ଷୀର ବିକ୍ରି

ଭୁବନେଶ୍ୱର : କରୋନା ପାଇଁ ଓମଫେଡ୍‍ ଦୁଗ୍ଧ ସଂଗ୍ରହ କରୁନଥିବାରୁ ଗାଁ ଗହଳର ଚାଷୀମାନେ ଏବେ ଅଧା ଦାମରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଲୋକଙ୍କୁ ଯାଚିକରି ଦେଉଛନ୍ତି । କ୍ଷୀର ଲିଟର ୨୦ ଟଙ୍କାରେ ଓ ପନିର କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଲାଣି । ଏପରିକି ବାକିରେ ଦେବାକୁ ବି ଚାଷୀମାନେ ପଛାଉନାହାନ୍ତି ।

ଗାଈଗୋରୁଙ୍କୁ ଦାନା ଯୋଗାଇବା ପାଇଁ ଦୁଗ୍ଧ ଚାଷୀମାନେ ଏବେ ଘର ଘର ବୁଲି କ୍ଷୀର ବିକୁଥିବା ବେଳେ ଓମଫେଡ୍‍ କିନ୍ତୁ ଏକପ୍ରକାର ମୂକଦର୍ଶକ ସାଜିଛି । ଏହି ସରକାରୀ ସଂସ୍ଥା ଯେତିକି କ୍ଷୀର ସଂଗ୍ରହ କରୁଛି ତାହା ସମୁଦ୍ରକୁ ଶଙ୍ଖେଭଳି ହେଉଥିବାରୁ ଚାଷୀମାନେ ବାଧ୍ୟହୋଇ ଅଧା ଦାମରେ କ୍ଷୀର ବିକ୍ରି ଓ କ୍ଷୀରଜାତ ସାମଗ୍ରୀ ବିକ୍ରି କରୁଛନ୍ତି ।

ରାଜ୍ୟରେ ଲକ୍‍ଡାଉନ ଓ ସଟ୍‍ଡାଉନ ଜାରି ହେବାପରେ ଓମଫେଡ୍‍ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ବନ୍ଦ କରିଦେଇଥିଲା । ପ୍ରବଳ ଚାପ ଯୋଗୁ ଏବେ ଦୁଇତିନି ଦିନରେ ଥରେ କ୍ଷୀର ସଂଗ୍ରହ କରୁଛି । ଓମଫେଡ୍‍ ଦର୍ଶାଉଛି ଯେ ସଂଗୃହୀତ କ୍ଷୀର ବିକ୍ରି ହୋଇପାରୁନି କିମ୍ବା ଏହାକୁ ରଖିବାକୁ ବି ଜାଗା ନାହିଁ । ଓମଫେଡ୍‍ ଦୈନିକ ୪ଲକ୍ଷ ୫୪ହଜାର କିଲୋ ଦୁଗ୍ଧ ସଂଗ୍ରହ କରିଥାଏ । ସେହିଭଳି ଦୈନିକ ୩ଲକ୍ଷ ଲିଟର କ୍ଷୀର ବିକ୍ରି କରୁଥିବାବେଳେ କରୋନା କାଳରେ ତାହା ୨ ଲକ୍ଷ ଲିଟର ତଳକୁ ପଳାଇ ଆସିଛି ।

ଓମଫେଡର ଭୁବନେଶ୍ୱର ପ୍ଲାଣ୍ଟରେ ଦୁଗ୍ଧ ରଖିବା ପାଇଁ ଥିବା କ୍ଷମତା ସର୍ବାଧିକ ୯ଲକ୍ଷ ଲିଟର ହୋଇଥିବାରୁ ସଂଗୃହୀତ କ୍ଷୀର ରଖାଯାଇପାରିବ ନାହିଁ ବୋଲି ଓମଫେଡ୍‍ ସଫେଇ ଦେଉଛି । ଏଭଳି ସ୍ଥିତିରେ ଗାଁ ଗହଳରେ ଦୁଗ୍ଧଚାଷକୁ ଜୀବିକାର ମାଧ୍ୟମ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଗୋଟିଏ ପଟେ ଓମଫେଡ୍‍ କ୍ଷୀର ନେଉନଥିବା ବେଳେ ଅନ୍ୟପଟେ ଲକଡାଉନ ଯୋଗୁ ଦୋକାନ ବଜାର ବନ୍ଦ ରହୁଥିବାରୁ ବି ଏହା ବିକ୍ରି ହୋଇପାରୁନି ।

ଜଣେ ଜଣେ ଚାଷୀ ଦୈନିକ ୧୫/୨୦ ଲିଟର ଏପରିକି ଏହାଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଓମଫେଡ୍‍ ସମସ୍ତ କ୍ଷୀର ନେଉନଥିବା ବେଳେ ବଳକା କ୍ଷୀରକୁ ଏବେ ଚାଷୀମାନେ ଘର ଘର ବୁଲି ଲିଟର ପିଛା ୧୫/୨୦ ଟଙ୍କାରେ ବିକ୍ରି କରୁଛନ୍ତି । ସେହିଭଳି ଛେନା କିଲୋ ୫୦ରୁ ୬୦ ଟଙ୍କା ଓ ପନିର୍‍ କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । କରୋନା ଯୋଗୁ ଲୋକେ ଏହାକୁ ଶସ୍ତାରେ ନେବାକୁ ଅନେକ ସ୍ଥାନରେ ମଙ୍ଗୁନଥିବାରୁ ଚାଷୀମାନେ ବାଧ୍ୟ ହୋଇ ବାକିରେ ଦେଇ ପଳାଉଛନ୍ତି ।

ଚାଷୀଙ୍କ ଏଭଳି ଦୁର୍ଦ୍ଦିନ ସଂକ୍ରାନ୍ତରେ ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି ଯେ ଗାଈଗୋରୁଙ୍କ ମୁହଁରେ ଦାନା ଦେବା ପାଇଁ ଚାଷୀଙ୍କ ନିକଟରେ ପଇସା ନ ଥିବାରୁ ଓ ନିଜର ପେଟପାଟଣା ପାଇଁ ସେମାନେ ବାଧ୍ୟ ହୋଇ ଶସ୍ତାରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବିକୁଛନ୍ତି । ଓମଫେଡ୍‍ ଯେଉଁ ଚାଷୀଙ୍କ ସହ ଅନୁବନ୍ଧିତ ହୋଇ ରହିଛି ସେମାନଙ୍କଠାରୁ ସବୁ କ୍ଷୀର ନେଉଥିବାରୁ ଏଭଳି ଅବସ୍ଥା ଉପୁଜିଛି । ଓମଫେଡ୍‍ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିହୀନତା ଓ ବ୍ୟବସାୟ କ୍ଷେତ୍ରରେ ନିକମାପଣ ଯୋଗୁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଆଜି ରାସ୍ତାକୁ ଆସିଗଲେଣି ।(ତଥ୍ୟ)

LEAVE A REPLY

Please enter your comment!
Please enter your name here