ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ପ୍ରକାରର ବ୍ୟାଙ୍କ୍ ଚାଷୀମାନଙ୍କୁ ଯେତିକି ପରିମାଣର କୃଷି ଋଣ ପ୍ରଦାନ କରୁଛନ୍ତି ତାହାର ପାଖପାଖି ଅଧା ଅର୍ଥ କେବଳ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ପ୍ରଦାନ କରୁଛନ୍ତି । ସବୁଠାରୁ କମ୍ କୃଷିଋଣ ପ୍ରଦାନ କରୁଛନ୍ତି ଘରୋଇ ବ୍ୟାଙ୍କ୍ ।
୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ଥିବା ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ୍, ୧୯ଟି ଘରୋଇ ବ୍ୟାଙ୍କ୍, ଦୁଇଟି ଆଞ୍ଚଳିକ ବ୍ୟାଙ୍କ୍, ୫ଟି କ୍ଷୁଦ୍ର ବ୍ୟାଙ୍କ୍ ଓ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ମିଶି ମୋଟ୍ ୩୫,୧୫୬ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ତେବେ ଏଥି ମଧ୍ୟରୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ କେବଳ ୧୬,୯୧୭.୩୩ କୋଟି ଟଙ୍କା ପ୍ରଦାନ କରିଛି ।
ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକ ୧୨,୪୯୮.୯୫ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିଥିବାବେଳେ ଏଥି ମଧ୍ୟରୁ ସର୍ବାଧିକ ୬୦୧୮.୨୧ କୋଟି ଟଙ୍କା ଭାରତୀୟ ଷ୍ଟେଟବ୍ୟାଙ୍କ୍ ପ୍ରଦାନ କରିଛି । ଏହା ପଛକୁ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୧୨୩୮.୭୦ କୋଟି ଟଙ୍କାର ଋଣ ଦେଇଥିବାବେଳେ ସବୁଠାରୁ କମ୍ ୩୦.୩୪ କୋଟି ଟଙ୍କା ଦେଇଛି ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ।
ସେହିଭଳି ୧୯ଟି ଘରୋଇ ବ୍ୟାଙ୍କ୍ ମୋଟ୍ ୩୪୫୮.୩୧ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିଥିବାବେଳେ ଏଥି ମଧ୍ୟରେ ସର୍ବାଧିକ ୮୧୬ କୋଟି ଟଙ୍କା ଆକ୍ସିସ ବ୍ୟାଙ୍କ୍ ପ୍ରଦାନ କରିଥିବାବେଳେ ଏଚଡିଏଫ୍ସି ଓ ଆଇସିଆଇସିଆଇ ବ୍ୟାଙ୍କ ୭୦୦ କୋଟି ଟଙ୍କାରୁ ଅଧିକ କରି କୃଷି ଋଣ ଦେଇଛନ୍ତି । ତେବେ ସବୁଠାରୁ କମ୍ ୯ଲକ୍ଷ ଟଙ୍କାର କୃଷି ଋଣ ସିଟି ୟୁନିଅନ ବ୍ୟାଙ୍କ୍ ଦେଇଥିବାବେଳେ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ୍ ୧୬ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଛି ।
ସେହିଭଳି ଦୁଇଟି ଆଞ୍ଚଳିକ ବ୍ୟାଙ୍କ ୨୧୭୭.୧୨ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିଥିବାବେଳେ ଏଥି ମଧ୍ୟରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ର ୧୧୪୬.୩୮ କୋଟି ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ର ୧୦୩୧.୭୩ କୋଟି ଟଙ୍କା ରହିଛି । ଅନ୍ୟ ପକ୍ଷରେ ରାଜ୍ୟରେ ଥିବା ୫ଟି କ୍ଷୁଦ୍ର ବ୍ୟାଙ୍କ୍ ୧୦୪.୩୫ କୋଟି ଟଙ୍କାର କୃଷି ଋଣ ଦେଇଛନ୍ତି ।
ରାଜ୍ୟର କୃଷକଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ସବୁଠାରୁ ଆଗରେ ଥିବାବେଳେ ଦୁଇଟି ଆଞ୍ଚଳିକ ବ୍ୟାଙ୍କ୍ ମଧ୍ୟରେ ୨ହଜାର କୋଟି ଟଙ୍କାର ଅଧିକ ପରିମାଣର କୃଷି ଋଣ ଦେଉଛନ୍ତି । ହେଲେ ସରକାରୀ ଅର୍ଥ ଜମା ସଂଗ୍ରହ କ୍ଷେତ୍ରରେ କିନ୍ତୁ ରାଷ୍ଟ୍ରାୟତ ବିଶେଷକରି ଘରୋଇ ବ୍ୟାଙ୍କ୍ମାନେ ଆଗରେ ରହିଛନ୍ତି ।
ଓଡିଶା ବଜାର ସମେତ ବିଭିନ୍ନ ସରକାରୀ ବିଭାଗ, ଉଦ୍ୟୋଗ ଓ ସଂସ୍ଥା ଆଦିରୁ ଏମାନେ କୋଟି କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରୁଥିବାବେଳେ କୃଷି ଋଣ ପ୍ରଦାନ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହିସବୁ ବ୍ୟାଙ୍କ୍ଗୁଡିକ ଘର, ଗାଡି ସମେତ ବ୍ୟକ୍ତିଗତ ଆଦି ଋଣ ଦେବାକୁ ଯେତେ ଆଗ୍ରହ ଅନୁରୂପ ଆଗ୍ରହ କୃଷି କ୍ଷେତ୍ର ପ୍ରତି ଦେଖାଉ ନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)