Home Education ଅଦାଲତି ଯୁଦ୍ଧ ଯୋଗୁଁ ସଙ୍କଟରେ ବିଶ୍ୱବିଦ୍ୟାଳୟ

ଅଦାଲତି ଯୁଦ୍ଧ ଯୋଗୁଁ ସଙ୍କଟରେ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଅଦାଲତି ଲଢେଇରେ ସରକାରୀ ନିୟନ୍ତ୍ରଣାଧିନ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଏହି ଲଢେଇ ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ପ୍ରାୟ ୨୫୦୦ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବା ଆଶଙ୍କା କରାଯାଉଛି ।

ଖର୍ଚ୍ଚକାଟ ପ୍ରସଙ୍ଗରେ ମିତବ୍ୟୟିତା ଅବଲମ୍ବନ ଲାଗି ପ୍ରାୟ ୨୩ବର୍ଷ ତଳେ କେନ୍ଦ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତଦନୁଯାୟୀ ଚାକିରି କ୍ଷେତ୍ରରେ ନୂଆ ନିଯୁକ୍ତି ଉପରେ କଟକଣା ଜାରି ସହ ବ୍ୟାପକ ପଦ ପଦବୀ ଉଚ୍ଛେଦ କରାଯାଇଥିଲା । ଫଳରେ ବର୍ଷ ବର୍ଷ ଧରି ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ଏହି ପଦବୀ ପୂରଣ ପୂର୍ବରୁ ବିଶ୍ୱବିଦ୍ୟାଳୟମାନେ କୁଳାଧିପତିଙ୍କ ଅନୁମୋଦନ କ୍ରମେ କରାଉଥିଲେ । କିନ୍ତୁ ଆର୍ଥିକ କଟକଣା ଆଳରେ ଅର୍ଥ ବିଭାଗରୁ ଉଚ୍ଚଶିକ୍ଷା ବିଭାଗ ମାଧ୍ୟମରେ ଅନୁମତି ନିଆଯିବା ପରେ ସୀମିତ ନିଯୁକ୍ତି ଲାଗି ଲମ୍ବା ପ୍ରକ୍ରିୟା ଆରମ୍ଭ ହେଉଥିଲା ।

୨୦୨୦ ମସିହାରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ଆଣି ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କ୍ଷମତା ବିଶ୍ୱବିଦ୍ୟାଳୟଗୁଡିକ ହାତରୁ କାଢି ନେଇଛନ୍ତି । ଫଳରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକର ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦବୀ ପୂରଣ ଦାୟିତ୍ୱ ଓଡିଶା ଲୋକସେବା ଆୟୋଗଙ୍କୁ ଦିଆଯାଇଛି । ସରକାରୀ କଲେଜର ଅଧ୍ୟାପକ ସହିତ କ ଓ ଖ ଶ୍ରେଣୀଭୁକ୍ତ ଅନ୍ୟ ପଦବୀଗୁଡିକ ଲାଗି ରାଜ୍ୟ ଲୋକସେବା ଆୟୋଗ ଯେଭଳି ପ୍ରାର୍ଥୀ ଚୟନ କରନ୍ତି ସେହିଭଳି ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଏହି ଆୟୋଗ ନୂଆ ଆଇନ୍‍ ଆଧାରରେ ସୀମିତ ସଂଖ୍ୟକ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଶିକ୍ଷକ ନିଯୁକ୍ତି ସମେତ ନୂଆ ଆଇନ୍‍ରେ ଥିବା ଆଉ କେତେକ ବ୍ୟବସ୍ଥା ୟୁଜିସି ଆଇନ୍‍ର ବିରୁଦ୍ଧାଚରଣ କରୁଥିବା ଦର୍ଶାଇ ଆୟୋଗ ପକ୍ଷରୁ ଓଡିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ତାହା ଖାରଜ ମଧ୍ୟ ହୋଇଯାଇଥିଲା । ତେବେ ଇତି ମଧ୍ୟରେ ଆୟୋଗ ସୁପ୍ରିମ୍‍କୋର୍ଟରେ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଏସଏଲ୍‍ପି ରୁଜୁ କରିଛନ୍ତି ଏବଂ ତାହାକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍‍ ଜାରି କରିବା ସହ ସୁପ୍ରିମ୍‍କୋର୍ଟ ତିନି ମାସ ଲାଗି ସଂଶୋଧିତ ଆଇନ୍‍ ଉପରେ ରହିତାଦେଶ ଜାରି କରିଛନ୍ତି । ଏହା ସତ୍ୱେ ବି ନିଯୁକ୍ତି ପ୍ରକ୍ରିୟା ଜାରି ରହିବାରୁ ଆୟୋଗ ଉଦ୍‍ବେଗପ୍ରକାଶ କରି ଏହା ସୁପ୍ରିମ୍‍କୋର୍ଟଙ୍କ ଆଦେଶର ଅବମାନନା ବୋଲି ଦର୍ଶାଇ ପତ୍ର ଲେଖିବାପରେ ଏବେ ପ୍ରାର୍ଥୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦହୋଇ ଯାଇଛି । ଏ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କ’ଣ ଆସିବ ତାହା ଉପରେ ସମସ୍ତଙ୍କ ନଜର ।

ଇତି ମଧ୍ୟରେ ପ୍ରାୟ ପ୍ରତି ମାସରେ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରୁ କେତେକ ଅବସର ନେଉଛନ୍ତି । ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ଲାଗି ବି ଭିନ୍ନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏ ପରିପ୍ରେକ୍ଷୀରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ପଦବୀ ସଂଖ୍ୟା ବଢି ଚାଲୁଥିବାବେଳେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଯୋଗୁଁ ଗ୍ରୀଷ୍ମାବକାଶ ପରେ ଛାତ୍ରଛାତ୍ରୀମାନେ ପାଠପଢାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହାଛଡା ବିଶ୍ୱବିଦ୍ୟାଳୟଗୁଡିକର ପ୍ରଶାସନିକ ଓ ଗବେଷଣା କାର୍ଯ୍ୟ ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହୋଇ ଚାଲିଛି । (ତଥ୍ୟ)