Home Environment ଅତିଥି ସଂଖ୍ୟାକୁ ନେଇ ଚିନ୍ତାରେ ଆୟୋଜକ

ଅତିଥି ସଂଖ୍ୟାକୁ ନେଇ ଚିନ୍ତାରେ ଆୟୋଜକ

141
0

ବିବାହ ଭଳି ସାମାଜିକ ଉତ୍ସବରେ ୨ଶହ ପର୍ଯ୍ୟନ୍ତ ଲୋକ ଯୋଗଦେଇ ପାରିବେ ବୋଲି ପୂର୍ବରୁ ଥିବା କଟକଣାକୁ କଡାକଡି କରି ଏବେ ଏହି ସଂଖ୍ୟା ୧୦୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ଶୀତ ବଢିଲେ ପୁଣି ପୂର୍ବବତ୍‍ ବିବାହ ଉତ୍ସବରେ ଉପସ୍ଥିତ ଲୋକଙ୍କ ସଂଖ୍ୟା ୫୦କୁ କମିବା ଆଶଙ୍କା ଉପୁଜିଛି । ଏ ପରିପ୍ରେକ୍ଷୀରେ ଭୁବନେଶ୍ୱର ପୌରାଞ୍ଚଳରେ ବିବାହ ଲାଗି ମଣ୍ଡପ ଓ ହୋଟେଲରେ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା କରିବାକୁ ପୂର୍ବରୁ ଅଗ୍ରୀମ ଦେଇଥିବା ଆୟୋଜକମାନେ ହରଡଘଣାରେ ପଡିଛନ୍ତି ।

କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଆଦି ଲାଗୁ କରାଯାଇଥିବାବେଳେ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଶୁଦ୍ଧିକ୍ରିୟାରେ ୨୦ଜଣ ଅଂଶଗ୍ରହଣ କରିବାଲାଗି ମାର୍ଗଦର୍ଶିକା ଥିଲା । ସେତେବେଳେ ଏହାର ଉଲ୍ଲଙ୍ଘନ ଅଭିଯୋଗରେ ଅନେକଙ୍କ ବିରୁଦ୍ଧରେ ମାମଲା ରୁଜୁ ଓ ଜୋରିମାନା ଆଦାୟ ସହ ବିବାହ ମଣ୍ଡପକୁ ମଧ୍ୟ କର୍ତ୍ତୃପକ୍ଷ ସିଲ୍‍ କରିଥିଲେ ।

ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ କମୁଥିବାବେଳେ ଗତମାସରେ ବିବାହ ଉତ୍ସବରେ ସର୍ବାଧିକ ୨୦୦ଶହ ପର୍ଯ୍ୟନ୍ତ ଲୋକ ସାମିଲ ହୋଇପାରିବେ ବୋଲି ଜାରି କଟକଣାରେ କୁହାଯାଇଥିଲା । ଏହାକୁ ଆଖିଆଗରେ ରଖି ଡିସେମ୍ବର ମାସ ଲାଗି ଅନେକ ଲୋକ ମଣ୍ଡପ ଓ ହୋଟେଲ ବୁକ୍‍ କରିଥିଲେ ଏବଂ ୨୦୦ ପର୍ଯ୍ୟନ୍ତ ଲୋକଙ୍କଲାଗି ଖାଦ୍ୟ ପ୍ରସ୍ତୁତପାଇଁ ଅଗ୍ରୀମ ଦେବା ସହ ନିମନ୍ତ୍ରଣପତ୍ର ମଧ୍ୟ ବାଣ୍ଟିଥିଲେ । ତେବେ ଦୁଇଶହ ପର୍ଯ୍ୟନ୍ତ ଅତିଥିଙ୍କ ପାଇଁ ନିମନ୍ତ୍ରଣପତ୍ର ବଣ୍ଟା ସରିଥିବାବେଳେ ଏବେ ବିବାହ ଭୋଜିରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ଶହେରେ ସୀମିତ ରଖିବାକୁ କୁହାଯାଇଛି ।

ବର କନ୍ୟାଙ୍କ ସମେତ ପୁରୋହିତ, ବନ୍ଧୁ ବାନ୍ଧବ ଓ ଅତିଥିମାନଙ୍କ ସଂଖ୍ୟା ଏତିକିରେ ସୀମିତ ରହିବ । ଫଳରେ ଯେଉଁମାନେ ଦୁଇଶହ ଲୋକଙ୍କ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିଛନ୍ତି ଏବେ ସେମାନଙ୍କ ବୁଦ୍ଧି ହଜିଗଲାଣି । ଥରେ ନିମନ୍ତ୍ରଣପତ୍ର ଦେବାପରେ ସେମାନଙ୍କ ମଧ୍ୟରୁ ପୁଣି କେଉଁମାନଙ୍କୁ ବାଛି ବାଛି ବାରଣ କରିବେ ତାହା ଏବେ ଆୟୋଜକମାନଙ୍କ ପାଇଁ ବଡ ସମସ୍ୟା ।

ଶୀତର ପ୍ରକୋପ ବଢିଲେ କରେନାର ପ୍ରକୋପ ବଢିବ ବୋଲି ବୈଜ୍ଞାନିକମାନଙ୍କ ଚେତାବନୀକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡିକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ଏବେ ଧିରେ ଧିରେ ଶୀତର ପ୍ରକୋପ ଅନୁଭୂତ ହେଉଥିବାବେଳେ ଆଗାମୀ ୧୦/୧୫ଦିନ ମଧ୍ୟରେ ଶୀତ ଅଧିକ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏ ପରିପ୍ରେକ୍ଷୀରେ ବିବାହ ଉତ୍ସବରେ ଜନସମାଗମକୁ ପୁଣି ପ୍ରଥମ ପର୍ଯ୍ୟାୟ କରୋନା ସମୟ ଭଳି ୫୦କୁ କମାଇ ଦିଆଯିବାର ଆଶଙ୍କା ବି ରହିଛି । ଦୁଇଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅଗ୍ରୀମ ନେଇଥିବା ହୋଟେଲ ଓ ମଣ୍ଡପଗୁଡିକ କଟକଣା କଡାକଡି ଭାବେ ପାଳନ କରିବେ । ଏଥିରେ ଖିଲାପ କଲେ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ସହ ମାମଲା ରୁଜୁ ହେବ ଏବଂ ସମ୍ପୃକ୍ତ ହୋଟେଲ ଓ ମଣ୍ଡପକୁ ବି ଦୀର୍ଘଦିନ ପାଇଁ ସିଲ୍‍ କରାଯିବାର ଆଶଙ୍କା ରହିଛି । 

LEAVE A REPLY

Please enter your comment!
Please enter your name here