Home Agriculture ଅଣ-ବାସୁମତୀ ଚାଉଳ ରପ୍ତାନୀ ଉପରେ ଗୁରୁତ୍ୱ

ଅଣ-ବାସୁମତୀ ଚାଉଳ ରପ୍ତାନୀ ଉପରେ ଗୁରୁତ୍ୱ

ଭୁବନେଶ୍ୱର : କୃଷକମାନଙ୍କ ଆୟବୃଦ୍ଧି ଦିଗରେ ଅନ୍ୟ ଏକ ବଡ ପଦକ୍ଷେପ ଭାବେ ରାଜ୍ୟ ସରକାର ଓଡ଼ିଶାରୁ ଅଣ-ବାସୁମତୀ ସୁଗନ୍ଧଯୁକ୍ତ ଚାଉଳ ରପ୍ତାନୀ ବୃଦ୍ଧି ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଇତି ମଧ୍ୟରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ, ଭାରତ ସରକାରଙ୍କ କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟଦ୍ରବ୍ୟ ରପ୍ତାନୀ କର୍ତ୍ତୃପକ୍ଷ (ଆପେଡା), କୃଷି ବୈଜ୍ଞାନିକ, ଚାଉଳ ରପ୍ତାନୀକାରୀ ସଂଘର ପ୍ରତିନିଧି ପ୍ରମୁଖ ଯୋଗଦେଇ ରାଜ୍ୟରୁ ଚାଉଳ ରପ୍ତାନୀ ବୃଦ୍ଧି ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଓଡ଼ିଶାର କୃଷି-ଜଳବାୟୁ ଜୋନ୍, ରାଜ୍ୟରେ ବହୁପ୍ରକାର ସୁଗନ୍ଧିତ ଧାନ ଉତ୍ପାଦନ ନିମନ୍ତେ ପ୍ରାକୃତିକ ସମ୍ଭଳ, କୃଷକମାନଙ୍କର କୌଶଳ, ଚାଉଳ ରପ୍ତାନୀ ନିମନ୍ତେ ରାଜ୍ୟରେ ଥିବା ବନ୍ଦର ଓ ଭିତ୍ତିଭୂମି ଆଦିକୁ ବିଚାର କରି ଅଣ-ବାସୁମତୀ ଚାଉଳ ରପ୍ତାନୀ ନିମନ୍ତେ ଏକ ସହାୟକ ବାତାବରଣ ଓ ଆନୁଷ୍ଠାନିକ ବ୍ୟବସ୍ଥା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଜ୍ୟରୁ ଚାଉଳ ରପ୍ତାନୀର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆପେଡା କର୍ତ୍ତୃପକ୍ଷ ଓ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ମିଳିତଭାବେ କୃଷକ ସଂଘ, ରପ୍ତାନୀକାରୀ ସଂସ୍ଥା ଏବଂ କୃଷି ବିଭାଗ ଅଧିକାରୀମାନଙ୍କୁ ସାମିଲ କରି କ୍ଷେତ୍ରସ୍ତରରେ ଆଲୋଚନା ଓ କୃଷକ ଅନୁପ୍ରେରଣାଶିବିରମାନ ଆୟୋଜନ କରିବା ନିମନ୍ତେ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ଚାଷୀମାନେ ରପ୍ତାନୀ ଯୋଗ୍ୟ ଧାନ ଓ ଚାଉଳ ଉତ୍ପାଦନ ନିମନ୍ତେ ବିଶ୍ୱାସ ଓ ଭରଷା ପାଇବେ ବୋଲି ସେ କହିଥିଲେ ।

ଅଣ-ବାସୁମତୀ ସୁଗନ୍ଧଯୁକ୍ତ ଚାଉଳ ପାଇଁ ଧାନ ଚାଷ ନିମନ୍ତେ କ୍ଲଷ୍ଟର ପଦ୍ଧତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କୃଷି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଯେଉଁ ଅଂଚଳଗୁଡିକ ଏଥିପାଇଁ ଅଧିକ ଉପଯୋଗୀ ସେଗୁଡିକୁ ଚିହ୍ନଟ କରିବା ସହ ଅଣ-ବାସୁମତୀ ଧାନ ଉତ୍ପାଦନ ବୃଦ୍ଧି ନିମନ୍ତେ କୃଷକମାନଙ୍କୁ ଆବଶ୍ୟକୀୟ ବିହନ ଓ କୃଷି କୌଶଳ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଚାଉଳ ରପ୍ତାନୀ ପ୍ରକ୍ରିୟାସହ ସଂପୃକ୍ତ ଅଂଶୀଦାରମାନଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍ ଗଠନ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ରରେ ଚାଉଳ ରପ୍ତାନୀ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିର ଅଧ୍ୟୟନ ଏବଂ ଏହି ଆଲୋଚନା ଚକ୍ରରୁ ମିଳିଥିବା ପରାମର୍ଶ ଆଦିକୁ ସମନ୍ୱିତ କରି ରାଜ୍ୟ ପାଇଁ ଏକ ବାସ୍ତବବାଦୀ କାର୍ଯ୍ୟ ଯୋଜନା ତୁରନ୍ତ ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର କୃଷି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରପ୍ତାନୀ ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପରୀକ୍ଷାଗାର ଶୃଙ୍ଖଳ, ଭଣ୍ଡାର, ଚାଷୀମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ଖାଦ୍ୟାଭ୍ୟାସ ବିଷୟରେ ସଚେତନତା ସୃଷ୍ଟି, ଏବଂ କୃଷକଙ୍କ ପାଇଁ ସହଜଲବ୍ଧ ଓ ନିର୍ଭରଯୋଗ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ଆଦି ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା, ଆପେଡା ନିର୍ଦ୍ଦେଶକ ଡଃ ଅଙ୍ଗୁମୁଥୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, କୃଷି ନିର୍ଦ୍ଦେଶକ ଡଃ ମୁଥୁ କୁମାର, ଚାଉଳ ରପ୍ତାନୀକାରୀ ସଂଘ ସଭାପତି ଶ୍ରୀ ଭି.ଭି.ରାଓଙ୍କ ସମେତ ବରିଷ୍ଠ ବୈଜ୍ଞାନିକ, ଏବଂ ଅଧିକାରୀମାନେ ଆଲୋଚନା ଚକ୍ରରେ ନିଜ ନିଜର ସୁଚିନ୍ତିତ ବିଶ୍ଳେଷଣ ଉପସ୍ଥାପନ କରିଥିଲେ ।