Home Finance ଅଣଟିକସ ରାଜସ୍ୱର ସିଂହଭାଗ ଖଣିରୁ

ଅଣଟିକସ ରାଜସ୍ୱର ସିଂହଭାଗ ଖଣିରୁ

ଭୁବନେଶ୍ୱର : ଖଣିଜ କ୍ଷେତ୍ରରୁ ରାଜସ୍ୱ ଆୟ ବୃଦ୍ଧି ପାଇବା ଫଳରେ ଜୁନ୍‍ ଶେଷସୁଦ୍ଧା ଅଣଟିକସ ରାଜସ୍ୱ ଆଦାୟରେ ରେକର୍ଡ ପରିମାଣର ୧୬୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହି ସମୟରେ ମୋଟ୍‍ ୧୭,୬୫୬.୭୦ କୋଟିର ଅଣଟିକସ ରାଜସ୍ୱ ଆଦାୟ ହୋଇଛି ଯାହାକି ଗତବର୍ଷ ଏହି ସମୟରେ ୮୩୦୭.୫୪କୋଟି ଟଙ୍କା ଥିଲା ।

ଚଳିତବର୍ଷର ଜୁନ୍‍ ଶେଷ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଅଣଟିକସ ରାଜସ୍ୱ ଆଦାୟ ୧୫୯.୫୫ ପ୍ରତିଶତ ବୃଦ୍ଧି ପାଇଛି ଯାହାର କାରଣ ହେଉଛି ଖଣିଜ କ୍ଷେତ୍ରରୁ ବିପୁଳ ରାଜସ୍ୱ ସଂଗ୍ରହ । ଆଦାୟ ମୋଟ୍‍ ଅଣଟିକସ ରାଜସ୍ୱର ସିଂହଭାଗ ଖଣିଜ କ୍ଷେତ୍ରରୁ ଆସିଛି ଯାହା ଉପରେ କରୋନା ମହାମାରୀର ଧିମା ଅର୍ଥନୀତି ପ୍ରଭାବ ପକାଇ ପାରିନାହିଁ ।

ଜୁନ୍‍ ୩୦ ତାରିଖ ସୁଦ୍ଧା ଖଣି ରୟାଲିଟି ବାବଦରେ ୯୩୩୮.୨୯କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଗତବର୍ଷ ତୁଳନାରେ ୨୧୨.୨୩ ପ୍ରତିଶତ ଅଧିକ । ଗତବର୍ଷ ଏହି ସମୟରେ ରୟାଲିଟି ବାବଦରେ ୨୯୯୦.୮୩ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଚଳିତବର୍ଷ ତାହା ୬୩୪୭.୪୬କୋଟି ଟଙ୍କାରେ ପହଞ୍ଚିଛି ।

ବଜାରରେ ଲୁହାପଥର ଓ ଅନ୍ୟ ଖଣିଜ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ଖଣି ରାଜସ୍ୱ ପରିମାଣ ବି ବୃଦ୍ଧି ପାଇଛି । ଓଡିଶା ଏକ ଖଣି ପ୍ରଧାନ ରାଜ୍ୟ ହୋଇଥିବାବେଳେ ଏବେ ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ଲୁହାପଥର ଦର ଢେର ଅଧିକ ରହିଛି । ୨୦୨୧-୨୨ ର ବଜେଟ୍‍ ଆକଳନରେ ଖଣି ରାଜସ୍ୱ ବାବଦରେ ୧୩,୭୦୦କୋଟି ଟଙ୍କାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ମଇ ଶେଷସୁଦ୍ଧା ଓଡିଶା ଖଣି କ୍ଷେତ୍ରରୁ ୫୭୩୧.୭୩କୋଟି ଟଙ୍କା ଆଦାୟ କରିଥିବା ଇସ୍ପାତ ଓ ଖଣି ବିଭାଗର ଅଧିକାରୀମାନେ ସ୍ୱୀକାର କରିଛନ୍ତି । କେବଳ ଗୋଟିଏ ମାସରେ ୩୬୦୬.୫୬କୋଟି ଟଙ୍କା ଆଦାୟ ହୋଇପାରିଛି ।

୨୦୨୦-୨୧ ବର୍ଷରେ ଖଣିଜ କ୍ଷେତ୍ରରୁ ୧୩,୬୦୪.୮୯ କୋଟି ଟଙ୍କାର ଆଦାୟ ହୋଇଥିବାବେଳେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଆଉ ୧୦୦ କୋଟି ଯୋଗକରି ୧୩,୭୦୦ କୋଟିର ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ୨୦୨୦-୨୧ ବର୍ଷରେ କୋଭିଡ ମହାମାରୀ ସ୍ଥିତିରେ ବି ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୧୩,୬୦୪.୮୯ କୋଟିର ରାଜସ୍ୱ ଆଦାୟ କରିଥିଲେ । ତେବେ ୨୦୧୯-୨୦ ବର୍ଷରେ ମହାମାରୀ ନଥିବା ସମୟରେ ସରକାରଙ୍କୁ ଖଣିଜ କ୍ଷେତ୍ରରୁ ମାତ୍ର ୧୧ହଜାର କୋଟି ଟଙ୍କା ମିଳିଥିଲା ।

କେବଳ ଚଳିତ ମଇ ମାସରେ ରାଜ୍ୟ ସରକାର ରେକର୍ଡ ପରିମାଣର ୩୩୬୯.୬୮ କୋଟି ଟଙ୍କା ଆଦାୟ କରିଥିବାବେଳେ ଜୁନ୍‍ ମାସରେ ଏହା ୩୬୦୬.୫୬କୋଟି ଟଙ୍କା ରହିଛି । ତେବେ ୨୦୨୧-୨୨ ବର୍ଷରେ ଖଣି ରୟାଲିଟି ଆଦାୟ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି ।

ଅନ୍ୟ ଅଣଟିକସ ମଧ୍ୟରେ ଶିଳ୍ପ ଓ ଜଳକର ବାବଦରେ ୫.୭୭ ପ୍ରତିଶତ ଅଭିବୃଦ୍ଧି ହୋଇ ଏ ବାବଦରେ ଜୁନ୍‍ ଶେଷସୁଦ୍ଧା ୧୬୨.୪କୋଟି ଟଙ୍କା ଆଦାୟ ହୋଇଛି । ୨୦୨୦ ଜୁନ୍‍ ଶେଷସୁଦ୍ଧା ଏହା ୧୫୩.୫୫କୋଟି ଟଙ୍କା ଥିଲା । ଜଳସେଚନ ବାବଦରେ ଆଦାୟ ଜଳକରରେ ୫.୭୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଜଳଯୋଗାଣ ଓ ପରିମଳ କ୍ଷେତ୍ରରୁ ରାଜସ୍ୱ ଆଦାୟ ୬୪ ପ୍ରତିଶତ ଏବଂ ଜଙ୍ଗଲ ଓ ବନଜାତ ସାମଗ୍ରୀ କ୍ଷେତ୍ରରୁ ୫୮.୮୧ ପ୍ରତିଶତ କମ୍‍ ଆଦାୟ ହୋଇଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)