Home Administration ଅଢେଇ ବର୍ଷରେ ସରିବ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ

ଅଢେଇ ବର୍ଷରେ ସରିବ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଧାୟକ ଏବଂ ବିଧାୟିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ ବାସଭବନ କାର୍ଯ୍ୟ ଅଗ୍ରଗତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।

ନିର୍ମିତ ହେବାକୁ ଥିବା ବହୁତଳ ବାସଭବନର ନିର୍ମାଣ କାର୍ଯ୍ୟ ପାଇଁ ୨୭୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବାବେଳେ ବଳକା ୧୨୫ କୋଟି ଟଙ୍କାକୁ ଆଗାମୀ ଦୁଇବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭାଗକୁ ପ୍ରଦାନ କରାଯିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଛନ୍ତି ।

ଆଜି ତାରିଖ ସୁଦ୍ଧା ବିଧାୟକ କଲୋନୀରୁ ୮ ଜଣ ବିଧାୟକ ପ୍ରଦତ୍ତ ଗୃହ ଛାଡ଼ିନାହାନ୍ତି । ସେମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଗୃହ ଛାଡ଼ିଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ବିଧାୟକମାନେ ଗୃହ ଛାଡ଼ିବା ପରେ ପୁରୁଣା ଗୃହକୁ ତୁରନ୍ତ ଭଙ୍ଗାଯିବ । ଟେଣ୍ଡର କାର୍ଯ୍ୟକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ କରାଯାଇ ପରବର୍ତ୍ତୀ ୧୦ରୁ ୧୫ ଦିନ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସର୍ବଭାରତୀୟ ସ୍ତରର ଲବ୍ଧପ୍ରତିଷ୍ଠିତ କୋଠା ଏବଂ ପ୍ରାସାଦ ନିର୍ମାଣ କରୁଥିବା କମ୍ପାନୀମାନେ କାର୍ଯ୍ୟାଦେଶ ପାଇବା ନିମନ୍ତେ ଆବେଦନ କରିଥିବା ସେ ପ୍ରକାଶ କରିଛନ୍ତି । ନୂତନ ବିଧାୟକ କଲୋନୀରେ ମାର୍କେଟ କମ୍ପ୍ଲେକ୍ସ, ବ୍ୟାୟାମ ସ୍ଥଳ, ଏକକାଳୀନ ୨୦୦୦ରୁ ୩୦୦୦ ଲୋକ ଭୋଜି ଖାଇବା ଭଳି କଲ୍ୟାଣମଣ୍ଡପ, ରେଳ ଓ ଉଡ଼ାଜାହାଜ ଟିକଟ ବୁକିଂ କାଉଣ୍ଟର, ଚିକିତ୍ସା ସୁବିଧା, ପୋଲିସ ଷ୍ଟେସନ୍‌ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ । ଏହି ବୈଠକରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ପୂର୍ତ୍ତ ଓ ଓବିସିସିର ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।