Home News in Odia ଅଗ୍ନିଶମ ବାହିନୀରେ ପଦବୀ ଖାଲି

ଅଗ୍ନିଶମ ବାହିନୀରେ ପଦବୀ ଖାଲି

ଭୁବନେଶ୍ୱର : ଅଗ୍ନିକାଣ୍ଡ ଠାରୁ ଆରମ୍ଭ କରି ଦୈବୀ ଦୁର୍ବିପାକ ପର୍ଯ୍ୟନ୍ତ ସମସ୍ତ ଜରୁରୀ ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀକୁ ଖୋଜା ପଡୁଥିବାବେଳେ ଏହି ବିଭାଗରେ କିନ୍ତୁ ପାଖାପାଖି ହଜାରେ ପଦବୀ ଖାଲି ପଡିଛି । ଏହି ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ଅଗ୍ନିଶମ ବିଭାଗ ଅଧିନରେ ମୋଟ୍‍ ୫୬୮୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ଏଥି ମଧ୍ୟରେ ସର୍ବାଧିକ ୩୬୪୬ ହେଉଛନ୍ତି ଆଗ୍ନିକ । ଏଥି ସହିତ ୬୯୩ଜଣ ଆଗଧାଡିର ଆଗ୍ନିକ ଥିବାବେଳେ ୩୮୮ଜଣ ଡ୍ରାଇଭର ହାବିଲଦାର ଓ ୩୬୪ଜଣ ଆଗ୍ନିକ ଡ୍ରାଇଭର ଅଛନ୍ତି । ଏହାବାଦ୍‍ ରୋଷେୟା ଠାରୁ ଆରମ୍ଭ କରି ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଅଧିକାରୀଙ୍କ ପଦବୀ ରହିଛି ।

ତେବେ ଆଗ୍ନିକ ପଦବୀରେ ୫ଶହରୁ ଅଧିକ ଖାଲି ପଡିଥିବାବେଳେ ୧୬୧ ସହକାରୀ ଷ୍ଟେସନ ଅଫିସର ପଦବୀ ମଧ୍ୟରୁ ୧୬୦ଟି ଖାଲି ପଡିଛି । ସେହିଭଳି ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ୨୩ଟି ଷ୍ଟେସନ ଅଫିସର ପଦବୀ ଖାଲି ଥିବାବେଳେ ସିଧାସଳଖ ନିଯୁକ୍ତି ପାଇଁ ଥିବା ଷ୍ଟେସନ ଅଫିସର ମଧ୍ୟରୁ ୩୫ଟି ପୂରଣ ହୋଇପାରି ନାହିଁ । ୧୩ଟି ଡେପୁଟି ଫାୟାର ଅଫିସର ପଦବୀ ମଧ୍ୟରୁ ୬ଟି ଖାଲି ପଡିଥିବା ଜଣାଯାଇଛି ।

ତେବେ ରାଜ୍ୟ ଅଗ୍ନିଶମ ବାହିନୀରେ ଏତେ ସଂଖ୍ୟକ ପଦବୀ ଖାଲି ପଡିଥିବାବେଳେ ଏହାକୁ ପୂରଣ ପାଇଁ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ରାଜ୍ୟ ଗୃହ ବିଭାଗ ଅଧିନରେ ଥିବା ଏହି ସଂସ୍ଥାରେ ଖାଲି ପଡିଥିବା ପଦବୀ ତୁରନ୍ତ ପୂରଣ ଲାଗି ମତପ୍ରକାଶ ପାଉଛି । କାରଣ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ସମୟରେ ଅଗ୍ନିଶମ ବାହିନୀର ଯେତିକି ଆବଶ୍ୟକ ପଡୁନାହିଁ ତାହାଠାରୁ ଅଧିକ ଆବଶ୍ୟକ ହେଉଛି ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ । ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଥିବା ଓଡିଶା ଉପକୂଳରେ ଅଗ୍ନିଶମ ବାହିନୀ ରକ୍ଷାକର୍ତ୍ତା ସାଜିଛନ୍ତି ।

କେବେଳ ଓଡିଶା ନୁହେଁ ପଡୋଶୀ ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ସୁଦୂର ତାମିଲନାଡୁ ପର୍ଯ୍ୟନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଓଡିଶା ଅଗ୍ନିଶମ ବାହିନୀର କାର୍ଯ୍ୟ ସମଗ୍ର ଦେଶରେ ପ୍ରଶଂସନୀୟ ହୋଇପାରିଛି । ତେଣୁ ଏଭଳି ସ୍ଥିତିରେ ଅଗ୍ରାଧିକାର ଭିତ୍ତିରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here