Home Agriculture ଅକ୍ଟୋବର ୮ରେ କୃଷି କନ୍‌କ୍ଲେଭ୍‌

ଅକ୍ଟୋବର ୮ରେ କୃଷି କନ୍‌କ୍ଲେଭ୍‌

ଭୁବନେଶ୍ୱର : ଚାଷୀଙ୍କ ଆୟବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ କୃଷି-କନ୍‌କ୍ଲେଭ୍‌ର ଆୟୋଜନ କରାଯିବ । ଏଥିରେ ଦେଶର କୃଷି ଉତ୍ପଦ ସହ ଜଡ଼ିତ ନାମୀଦାମୀ କଂପାନୀଗୁଡ଼ିକ ଅଂଶଗ୍ରହଣ କରିବେ । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରସ୍ତାବିତ ଏହି କନ୍‌କ୍ଲେଭ୍‌କୁ ‘ଓଡ଼ିଶା-କୃଷି କନ୍‌କ୍ଲେଭ୍‌’ ନାମକରଣ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହି ଆୟୋଜନର ନୋଡାଲ ବିଭାଗ ରହିବ । ଏହି କନ୍‌କ୍ଲେଭ୍‌ ଅକ୍ଟୋବର ୮ ତାରିଖରେ ଆୟୋଜିତ ହେବ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଂପାନୀଗୁଡ଼ିକୁ ଏଥିରେ ଯୋଗଦେବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିବା ବ୍ୟବସ୍ଥା କରାଯାଇଛି ।

ଚିହ୍ନିତ କୃଷି କଂପାନୀଗୁଡ଼ିକୁ ଆମନ୍ତ୍ରଣ କରିବା ଦାୟିତ୍ୱ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ସଚିବଙ୍କ ଉପରେ ନ୍ୟସ୍ତ କରାଯାଇଛି । କନ୍‌କ୍ଲେଭ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ଉଚ୍ଚ ମାନର ପୁସ୍ତିକା ମୁଦ୍ରଣ କରାଯାଇ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ େୱବ୍‌ସାଇଟ୍‌ରେ ପୋଷ୍ଟ କରାଯିବ ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଯୋଗଦେଇ ନୁଡୁଲ୍ସ ପ୍ରସ୍ତୁତକାରୀ ଓ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ସଂସ୍ଥାଗୁଡ଼ିକୁ ଆମନ୍ତ୍ରଣ କରିବାକୁ ପ୍ରସ୍ତାବ ରଖିଥିଲେ । ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଅର୍ଥ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିିଲେ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଜି. ରଘୁପ୍ରସାଦ ଗୋଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ରାଜ୍ୟରେ ତାଙ୍କର ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବା ପାଇଁ ବାର୍ତ୍ତାଳାପ କରିବେ ବୋଲି କହିବା ସହ କନ୍‌କ୍ଲେଭ୍‌ରେ ଯୋଗଦେବାକୁ ସି-ଫୁଡ୍‌ କର୍ପୋରେସନ୍‌ ସହ ଯୋଗାଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ ଏ ସଂକ୍ରାନ୍ତରେ ଏକ କ୍ଷୁଦ୍ର ଭିଡ଼ିଓ ପ୍ରସ୍ତୁତ କରି ସରକାରୀ ସ୍କିମ୍‌ଗୁଡ଼ିକୁ ପ୍ରଦର୍ଶନ ସହ ବିଭିନ୍ନ ଅଞ୍ଚଳର କୃଷି ଉତ୍ପାଦଗୁଡ଼ିକୁ ଏଥିରେ ସ୍ଥାନୀୟ କରିବେ ବୋଲି କହିଥିଲେ । ଓଡ଼ିଶାରେ ସ୍ୱତନ୍ତ୍ର କିସମର ଚିନାବାଦାମ ଓ କଳା ମୁଗ ଯାହା ଅତି ଉଚ୍ଚ ମାନ ଗୁଣଯୁକ୍ତ । ଏ ଗୁଡ଼ିକର ବ୍ରାଣ୍ଡିଂ କରିବାକୁ ହେବ ।

ଡାବର ଓ ପାତଞ୍ଜଳି କଂପାନୀକୁ ଏହି କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରି ଆମନ୍ତ୍ରଣ କରାଯିବାକୁ ଇନ୍‌ଭେଷ୍ଟ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ପ୍ରସ୍ତାବ ଦେଇଥିଲେ । ସେହିପରି ଓଡ଼ିଶା ଜୀବିକା ମିଶନର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ମାନସୀ ନିମ୍ବାଲ ବି୍ରଟାନିଆ ଓ ହର୍ଲିକ୍ସ ସହ ଯୋଗାଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଓସମାର ସଦସ୍ୟ ସଚିବ ବିଶ୍ୱରଞ୍ଜନ ସାମଲ, ଓରମାସ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଅରିନ୍ଦମ୍‌ ଡାକୁଆ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ପାଣି, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ, ନାଫେଡ୍‌ର ରାଜ୍ୟ ମୁଖ୍ୟ ଭବ୍ୟା ଆନନ୍ଦ, ପ୍ରାଣୀସଂପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ଲୋକନାଥ ବେହେରା, ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ କୁମାର ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଅଂଶଗ୍ରହଣ କରିଥିଲେ ।