ଭୁବନେଶ୍ୱର : ପଲିଥିନ୍ ଚଢଉରୁ ବର୍ଷକୁ ବର୍ଷ ସରକାର ଲକ୍ଷାଧିକ ଟଙ୍କାର ଜୋରିମାନା ଅର୍ଥ ଆଦାୟ କରୁଥିବାବେଳେ ରାଜ୍ୟରୁ କିନ୍ତୁ ନିମ୍ନମାନର ପଲିଥିନ୍ କାରବାର ବନ୍ଦ ହୋଇପାରୁ ନାହିଁ । ସରକାରୀ ଚଢଉରେ ପଲିଥିନ୍ ନିୟନ୍ତ୍ରଣ ସୀମିତ ରହୁଥିବାରୁ ରାଜ୍ୟରେ ଦିନକୁ ଦିନ ପଲିଥିନ୍ ହାଉଜାଉ ହେବାରେ ଲାଗିଛି ।
ପରିବେଶ ପ୍ରଦୂଷିତ କରୁଥିବା ଏକକ ପଲିଥିନ୍ ନିଷେଧ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାରେ ଅଭିଯାନ ଚଳାଇଥିବାବେଳେ । କେନ୍ଦ୍ର ସରକାର ବହୁ ଆଡମ୍ବରରେ ପୁରୀରୁ ଏହି ଅଭିଯାନ ଚଳାଇଥିଲେ । ହେଲେ ପଲିଥିନ୍ ନିୟନ୍ତ୍ରଣ ଏହି ଅଭିଯାନରେ ସୀମିତ ରହିଛି । ତେବେ ରାଜ୍ୟ ସରକାର ମଝିରେ ମଝିରେ ଏକକ ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ ଚଢଉ କରୁଛନ୍ତି । ରାସ୍ତାକଡ ଦୋକାନୀ, ଛୋଟ ବ୍ୟବସାୟୀଙ୍କ ଉପରେ ଚଢଉ କରି ଜୋରିମାନା ଆଦାୟ କରୁଛନ୍ତି ।
୨୦୨୩-୨୪ ବର୍ଷରେ ପଲିଥିନ୍ ଚଢଉରୁ ୧୦ଲକ୍ଷ ଟଙ୍କାର ଜୋରିମାନା ଅର୍ଥ ଆଦାୟ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଜୋରିମାନା ଆଦାୟ ପରିମାଣ ୩୫ଲକ୍ଷ ଟଙ୍କାକୁ ଟପିଯାଇଛି । ଏହି ଅର୍ଥ ସହରାଞ୍ଚଳରେ ହୋଇଥିବା ଚଢଉରୁ ଆଦାୟ ହୋଇଛି । ଗାଁ ଗହଳରେ ଯଦି ପଲିଥିନ୍ ଉପରେ ଚଢଉ କରାଯିବ ସେତେ ଏହି ଅର୍ଥ ଢେର ଅଧିକ ହେବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି ।
ପରିବେଶକୁ ପ୍ରଦୂଷିତ କରୁଥିବା ଅତି ନିମ୍ନମାନର ପଲିଥିନ୍କୁ ବ୍ୟବସାୟୀମାନେ ଗାଁ ଗହଳକୁ ପଠାଇ ଦେଉଛନ୍ତି । ଏହିସବୁ ପଲିଥିନ୍ ଏତେ ନିମ୍ନମାନର ଯେ ଏଥିରେ ଖାଦ୍ୟ ସାମଗ୍ରୀ ପୂରାଇ କିଛି ସମୟ ରଖିଲେ ସେଥିରେ ଜରିର ରଙ୍ଗ ଲାଗି ଯାଉଛି । ଯେହେତୁ ଗାଁ ଗହଳରେ କେହି ପଲିଥିନ୍ ଉପରେ ଚଢଉ କରୁନାହାନ୍ତି ତେଣୁ ବ୍ୟବସାୟୀମାନେ ଏହାକୁ ଅତି ସହଜରେ ସେଠାରେ କାରବାର କରୁଛନ୍ତି ।
ସେହିଭଳି ସହରାଞ୍ଚଳରେ କେବଳ ଏକକ ପଲିଥିନ୍ ନୁହେଁ, ବିଭିନ୍ନ କମ୍ପାନୀର ଖାଦ୍ୟ ସାମଗ୍ରୀ ପ୍ୟାକେଟ୍, ଗୁଟ୍ଖା ଜରି ଆଦି ପରିବେଶକୁ ଅତ୍ୟନ୍ତ ପ୍ରଦୂଷଣ କରିବାରେ ଲାଗିଛି । ସେହିଭଳି ବିଭିନ୍ନ କମ୍ପାନୀର କ୍ଷୀର ପ୍ୟାକେଟ ଜରି ମଧ୍ୟ ବହୁ ମାତ୍ରାରେ ବାହାରୁଛି । ଅତୀତରେ ଭୁବନେଶ୍ୱର ସହରରୁ କ୍ଷୀର ଜରି ପ୍ୟାକେଟଗୁଡିକ ସ୍ୱତନ୍ତ୍ର ଭାବେ ସଂଗ୍ରହ ପାଇଁ ବିଏମ୍ସି ଘୋଷଣା କରିଥିବାବେଳେ ଏହା କେବଳ ଘୋଷଣାରେ ରହିଯାଇଛି ।
ପରିବେଶକୁ ଦୃଷ୍ଟିରେ ରଖି ୨୦ମାଇକ୍ରୋନରୁ କମ୍ ମାନର ପଲିଥିନ୍ର ଉତ୍ପାଦନ, ମହଜୁଦ ଓ ବିକ୍ରୟ ଉପରେ କଟକଣା ଲାଗିଥିବାବେଳେ ପ୍ରଶାସନର କୋହଳ ମନୋଭାବରୁ ନିୟମକୁ କିନ୍ତୁ କେହି ମାନୁନାହାନ୍ତି । ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଥିବାବେଳେ ସହରରେ ଉଡୁଥିବା ପଲିଥିନ୍ ଓ ଜରି ଆଦି ନାଳଗୁଡିକୁ ଜାମ୍ କରିବାର ଆଶଙ୍କା ରହିଛି । ତେଣୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରୁ କିଭଳି ନିମ୍ନମାନର ପଲିଥିନ୍ କାରବାର ବନ୍ଦ ହେବ ସେ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରିବେଶବିତ୍ମାନେ ମତ ଦେଉଛନ୍ତି । (ତଥ୍ୟ)

