ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାଫଳ ବାହାରିବାର ଗୋଟିଏ ଦିନ ପରେ ଆଜି ରାଜଧାନୀରେ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି । କୋଭିଡ ପାଇଁ ପରୀକ୍ଷା ବାତିଲ ଲାଗି ପୂର୍ବରୁ ରାସ୍ତାରୋକ ହୋଇଥିବାବେଳେ ଆଜି କିନ୍ତୁ ପରୀକ୍ଷା ଫଳ ବିଭ୍ରାଟକୁ ନେଇ ରାସ୍ତାରୋକ କରିଛନ୍ତି ।
ଓଡିଶା ଶିକ୍ଷା ଇତିହାସରେ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ନବମ ଓ ଦଶମଶ୍ରେଣୀ ପରୀକ୍ଷା ନମ୍ବରକୁ ଆଧାର କରି ମାଧ୍ୟମିକ ଶିକ୍ଷାବୋର୍ଡ କର୍ତ୍ତୃପକ୍ଷ ପିଲାଙ୍କ ଫଳ ପ୍ରକାଶ ପାଇଁ ନୂଆ ଫର୍ମୁଲା ପ୍ରସ୍ତୁତ କରିଥିଲେ । ତଦନୁଯାୟୀ ଚଳିତବର୍ଷ ରାଜ୍ୟରେ ରେକର୍ଡ ସଂଖ୍ୟକ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାଶ୍ କରିଛନ୍ତି ।
ପ୍ରଥମଥର ପାଇଁ ରେଡର୍କ ପାଶ୍ ହାରକୁ ନେଇ ଆଲୋଚନା ଚାଲିଥିବାବେଳେ ଆଜି ରାଜ୍ୟର ବହୁ ସ୍ଥାନରେ ଛାତ୍ରଛାତ୍ରୀମାନେ ପାଇଥିବା ନମ୍ବରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ବିଦ୍ୟାଳୟକୁ ଯାଇ ଶିକ୍ଷକମାନଙ୍କ ସହିତ ଯୁକ୍ତିତର୍କ କରିଛନ୍ତି । ଖୋଦ ରାଜଧାନୀରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ପ୍ରକଟ କରିବା ସହିତ ରାସ୍ତାରୋକ ବି କରିଛନ୍ତି ।
ଆଶା ଠାରୁ କମ୍ ନମ୍ବର ପାଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବି ବିଦ୍ୟାଳୟରେ ହାଜର ହୋଇ ଶିକ୍ଷକମାନଙ୍କ ସହିତ ଯୁକ୍ତିତର୍କ କରୁଥିବାବେଳେ କେତେକ ସ୍ଥାନରେ ପୁଲିସ୍ ପହଞ୍ଚି ସ୍ଥିତି ସମ୍ଭାଳିଛନ୍ତି । କଟକରେ ଏକ ବେସରକାରୀ ବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜିଥିବାବେଳେ ରାଜଧାନୀରେ ବି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।
ତେବେ ପରୀକ୍ଷାଫଳରେ ନମ୍ବର ବିଭ୍ରାଟ ପାଇଁ ଶିକ୍ଷକମାନେ ବୋର୍ଡ କର୍ତ୍ତୃପକ୍ଷଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ବୋର୍ଡ ପକ୍ଷରୁ ନମ୍ବର ହିସାବରେ କୌଣସି ତ୍ରୁଟି ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏପରିକି ପରୀକ୍ଷାଫଳ ପ୍ରକାଶ ପାଇବାରେ ଯେଉଁ କେତେକ ପରୀକ୍ଷାର୍ଥୀଙ୍କ ନମ୍ବର ବୃଦ୍ଧି ପାଇଛି ତାହା ବି ନିୟମ ଅନୁସାରେ ହୋଇଥିବା କୁହାଯାଇଛି ।
ଅନ୍ୟ ପକ୍ଷରେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖିଥିବା କେତେକ ଛାତ୍ରଛାତ୍ରୀ ବୋର୍ଡ ଦ୍ୱାରା ସ୍ଥିରୀକୃତ ଫର୍ମୁଲାରେ ଅଧିକ ନମ୍ବର ପାଇବେ ବୋଲି ନିଶ୍ଚିତ ହୋଇ ବିଭିନ୍ନ ଘରୋଇ ବିଜ୍ଞାନ କଲେଜ ଓ କୋଚିଂ ସେଣ୍ଟରରେ ଆଗତୁରା ନାମ ଲେଖାଇଥିବାବେଳେ ଏବେ ନିଜର କମ୍ ନମ୍ବର ଦେଖି ହତାଶ ହୋଇଛନ୍ତି । ଏ ସଂକ୍ରାନ୍ତରେ କେତେକ ବିଦ୍ୟାଳୟ କର୍ତ୍ତୃପକ୍ଷ ବୋର୍ଡ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଫେରାଦ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଏହା ରୂପ ନେବ ତାହା ଉପରେ ସମସ୍ତଙ୍କ ନଜର ।