Home Health ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି

୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି

ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ପୂର୍ବରୁ ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରିସାରିଛନ୍ତି । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଆଜି ଗଣମାଧ୍ୟମକୁ ଭୁବନେଶ୍ୱରରେ ହୋଇଥିବା ସେରୋ ସର୍ଭେ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରୁ କୋଭିଡ୍‌ ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି । ଓଡ଼ିଶାରେ ଖୋର୍ଦ୍ଧା ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଭାବରେ ଚିହ୍ନଟ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୩.୫୦ ଲକ୍ଷ କୋଭିଡ୍‌ ପରୀକ୍ଷଣ ହୋଇଛି । ଏଠାରେ ୩ଟି କୋଭିଡ୍‌ କେୟାର ସେଣ୍ଟର ଓ ୭ଟି କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ଅଛି, ଯେଉଁଥିରେ ୫୦୯ଟି ଆଇସିୟୁ ଶଯ୍ୟା ଓ ୨୧୬ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି ।

ଡାକ୍ତର ଶ୍ରୀମତୀ ପତି କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅକେଫାବର ୧୬ରୁ ୧୮ତାରିଖ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ସଂପନ୍ନ ହୋଇଛି । ଏଥି ପାଇଁ ଭୁବନେଶ୍ୱର ମହାନଗର ନିଗମର ୨୫ଟି ୱାର୍ଡରୁ ୧୪୦୩ଟି ନମୁନା ସଂଗ୍ରହ କରାଯାଇଥିଲା । ସେରୋ ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ପୂର୍ବରୁ ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରିସାରିଛନ୍ତି ।

ରାଜ୍ୟରେ ସ୍ୱତନ୍ତ୍ର ଭାବରେ ସେରୋ ସର୍ଭେ ସଂପନ୍ନ କରିବାରେ ଓଡ଼ିଶା ଦେଶରେ ଅନ୍ୟତମ ରାଜ୍ୟ ଏବଂ ଏହା ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ମହାନଗର ନିଗମ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା । ଏହି ସେରୋ ସର୍ଭେର ଫଳାଫଳ ଭବିଷ୍ୟତ ପାଇଁ ଆଶା ଓ ସମ୍ଭାବନା ସୃଷ୍ଟି କରିଛି । ଭୁବନେଶ୍ୱରରେ ଜୁଲାଇ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା । ସେହିପରି ଅଗଷ୍ଟ ୨୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା ।