Home Culture ଘୋଡା ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ

ଘୋଡା ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ

ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ପ୍ରତିମୂର୍ତ୍ତି ହଟାଇବା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ସମୃଦ୍ଧ ଐତିହ୍ୟ ଓ କୀତ୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୋଦ୍ଧା ମୂର୍ତ୍ତି । ଏହାକୁ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ କର୍ତ୍ତୃପକ୍ଷ ବିଚାର କରନ୍ତୁ ।

ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି । ଏହା ଆମ ଐତିହ୍ୟର ପରିଚୟ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ସବୁ ମହଲରୁ ନାପସନ୍ଦ କରାଯାଉଛି । ୧୯୬୪ ମସିହାରେ କୋଣାର୍କ ଘୋଡା ଓ ଯୋଦ୍ଧାକୁ ଓଡିଶା ଶାସନର ପ୍ରଦୀକ ରୂପେ ଗ୍ରହଣ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ୧୯୮୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଓଡିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ଘୋଡା ଓ ଯୋଦ୍ଧା ମୂର୍ତ୍ତିକୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରାଯାଇଥିଲା ।

ତେବେ ସ୍ମାର୍ଟସିଟି ପ୍ରକଳ୍ପ ଲାଗି ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବାପରେ ଉଭୟ ବିଜେପି ଓ କଂଗ୍ରେସ ଏହା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହେବାପରେ ମାଷ୍ଟର କ୍ୟାଣ୍ଟନରୁ ଘୋଡା ମୂର୍ତ୍ତି ହଟୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।