Home General ପିଡ଼ିଏସ ଚାଉଳ ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବିକ୍ରି

ପିଡ଼ିଏସ ଚାଉଳ ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବିକ୍ରି

ଭୁବନେଶ୍ୱର : ରାଜ୍ୟରେ ସାଧାରଣ ଲୋକଙ୍କୁ ଦିଆଯାଉଥିବା ପିଡିଏସ ଚାଉଳ ପଶୁଖାଦ୍ୟ ବୋଲି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିବା ଏବଂ ଏ ସଂକ୍ରାନ୍ତରେ କଟକ ଜିଲ୍ଲା କଂଗ୍ରେସ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ପରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯାଇଥିଲା ।

ଏବେ ମିଲ ମାଲିକ ଓ ଯୋଗାଣ ବିଭାଗର ମଧୂଚନ୍ଦ୍ରିକାରେ ପିଡିଏସ ଚାଉଳ ବଜାରରେ ବିକ୍ରି ହେଉଛି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବଜାରରେ ଯେଉଁ ଚାଉଳ ମିଳୁଛି ତାହା ପିଡ଼ିଏସ ଚାଉଳ ବୋଲି ଚର୍ଚ୍ଚା ହେଉଛି । ଏହି ଚାଉଳ ପ୍ୟାକେଟର କୌଣସି ସଂସ୍ଥାର ଠିକଣା ଉଲ୍ଲେଖ ନାହିଁ, ପ୍ୟାକେଟ ପ୍ରସ୍ତୁତ ତାରିଖ ଓ ବ୍ୟାଚ ନମ୍ବର ଦର୍ଶାଯାଇ ନାହିଁ ।

କମ୍ପାନୀର ଜିଏସଟି ନମ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଲାଇସେନ୍ସ ନମ୍ବର, ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନ ନିର୍ଦ୍ଧାରଣ ନିଶ୍ଚତରୂପେ ସ୍ଥାନିତ ହେବା କଥା । ମାତ୍ର କ’ଣ ପାଇଁ ଏହି ପ୍ୟାକେଟ ଉପରେ ତାହା ରଖାଯାଇ ନାହିଁ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ପିଡିଏସ ଚାଉଳକୁ ଚୋରାରେ ବିକ୍ରି କରାଯାଉଛି ବୋଲି ସୁନ୍ଦରଗଡ଼ ଜିଲ୍ଲାରେ ଛକ ବଜାରରେ ଆଲୋଚନା ହେଉଛି ।

ସଂପୃକ୍ତ ଜିଲ୍ଲାର କିଛି ମିଲ ମାଲିକ ବଜାରକୁ ଏହି ଚାଉଳ ପଠାଇଥିବା ଜଣାପଡ଼ିଛି । ଯୋଗାଣ ବିଭାଗରେ ମାସିକ ୩ ହଜାର କୁଇଣ୍ଟାଲ ପିଡିଏସ ଚାଉଳ ଦୁର୍ନୀତି ହେଉଥିବାର ଯେଉଁ ଅଭିଯୋଗ ହେଉଛି ଏହି ଚାଉଳ ସେଥିରେ ଅନ୍ତର୍ଭୁକ୍ତ ରହିଛି । “ଶ୍ରୀ ଓମ୍‌” ବ୍ରାଣ୍ଡରେ ଚାଉଳ ବିକୁଥିବା ଦୋକାନୀମାନେ ନିର୍ଦ୍ଦିଷ୍ଟ ମିଲର୍ସମାନଙ୍କର ଠିକଣା କହିପାରିବେ ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟ ସରକାର ପିଡିଏସ ଚାଉଳ ପେଷିବା ପାଇଁ ୧୬ଟି ରାଇସମିଲକୁ ସୁନ୍ଦରଗଡ଼ ଜିଲ୍ଲାରେ ଅନୁମତି ଦେଇଛନ୍ତି । ଏହି ରାଇସମିଲ୍‌ର ପ୍ରତିଷ୍ଠା ପାଇଁ ସରକାର ୫୦ ପ୍ରତିଶତ ଅର୍ଥ ଛାଡ଼ ମଧ୍ୟ ଦେଇଛନ୍ତି । ଏଥିପାଇଁ ମିଲ ମାଲିକମାନେ କେବଳ ରାଜ୍ୟ ସରକାରଙ୍କ ଧାନ ପେଷେଇବୋ ବୋଲି ସର୍ତ ରହିଛି । ବାହାର ଧାନକୁ ପେଷେଇବା ପାଇଁ ଅନୁମତି ନାହିଁ । ମାତ୍ର ଏହି ମିଲ ମାଲିକମାନେ ଦଲାଲମାନଙ୍କ ସହାୟତାରେ ଧାନକିଣି ପେଷାଉଛନ୍ତି ।

ସରକାରୀ କଟକଣା ଭିତରେ ଧାନବିକ୍ରି କରିପାରୁନଥିବା ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଦଲାଲଙ୍କ ମାଧ୍ୟମରେ କିଣୁଛନ୍ତି । ସେହି ଧାନର ଚାଉଳ ଏବଂ ପିଡିଏସ ଚାଉଳକୁ ମିଶାଇ ଅସାଧୁ ମିଲ ମାଲିକ ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ଚାଉଳ ବିକୁଛନ୍ତି ବୋଲି ସୁନ୍ଦରଗଡ଼ ଜିଲ୍ଲା ହାଟବଜାରରେ ଆଲୋଚନା ହେଉଛି । ଯୋଗାଣ ବିଭାଗକୁ ଅସାଧୁ ମିଲ ମାଲିକଙ୍କ କବଳରୁ ରକ୍ଷା କରାଯାଉ । ଯୋଗାଣମନ୍ତ୍ରୀ ନିଜ ବିଭାଗର ସ୍ୱଚ୍ଛତା ପ୍ରତିପାଦନ କରିବାପାଇଁ ତୁରନ୍ତ ମିଲମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ କହିଛନ୍ତି ।