Home General ଆଉ ନାହାନ୍ତି ଗାନ୍ଧୀମଣିଷ ରାଧାମୋହନ

ଆଉ ନାହାନ୍ତି ଗାନ୍ଧୀମଣିଷ ରାଧାମୋହନ

ଭୁବନେଶ୍ୱର : ବିଶିଷ୍ଟ ପରିବେଶବିତ୍‍ ତଥା ଗାନ୍ଧୀମଣିଷ ପ୍ରଫେସର ରାଧାମୋହନ ଆଉ ନାହାନ୍ତି । ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଯାଇଛି ।

ଷାଠିଏ ଦଶକରେ ଅର୍ଥନୀତି ଅଧ୍ୟାପକ ହିସାବରେ ସେ ତାଙ୍କର କର୍ମମୟ ଜୀବନ ଆରମ୍ଭକରି ପୁରୀ ଠାରୁ ଢେଙ୍କାନାଳ, ମୟୁରଭଞ୍ଜ ଆଦି ବିଭିନ୍ନ ଜିଲ୍ଲାର ସରକାରୀ କଲେଜମାନଙ୍କରେ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ବେଶ୍‍ ସୁନାମ ଅର୍ଜନ କରିଥିଲେ ।

ପାଠପଢିବା ବେଳଠାରୁ ସେ ମହାତ୍ମାଗାନ୍ଧୀଙ୍କ ଦର୍ଶନ ବିଶେଷକରି ସରଳ ଜୀବନ ଓ ଉଚ୍ଚ ଚିନ୍ତନରେ ପ୍ରଭାବିତ ହୋଇଥିଲେ । ପାଠ ପଢିବା ଓ ପଢାଇବା ସମୟରେ ସେ ସାମାଜିକ ସଂସ୍କାର, ଆର୍ଥିକ ବିକାଶ ଓ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଉପରେ ବିଶେଷ ଗୁରୁତ୍ୱଆରୋପ କରୁଥିଲେ ।

ଓଡିଶା ସରକାର ବିଜ୍ଞାନ, ବୈଷୟିକ ଓ ପରିବେଶ ବିଭାଗ ଅଶୀ ଦଶକରେ ଖୋଲିବାବେଳେ ସେ ବରିଷ୍ଠ ପରିବେଶବିଜ୍ଞାନୀ ଭାବେ ଦାୟିତ୍ୱ ଗ୍ରହଣ କରି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି । ସାକ୍ଷରତା କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଥିଲା ।

ଗାନ୍ଧୀ ଶତବାର୍ଷିକୀ ବର୍ଷରେ ଆରମ୍ଭ କରାଯାଇଥିବା ଜାତୀୟ ସେବା ଯୋଜନାରେ ସେ ସାମିଲ ହେବା ପରେ ପରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ଜାତୀୟ ସେବା ଯୋଜନାକୁ ବେଶ୍‍ ପ୍ରସାରିତ କରିଥିଲେ । ଓଡିଶାରେ ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କୁ କେନ୍ଦ୍ର ସରକାର ଆଞ୍ଚଳିକ ସଂଯୋଜକ ଭାବେ ମଧ୍ୟ ନିଯୁକ୍ତ କରିଥିଲେ ।

ଅବସର ଗ୍ରହଣ ପରେ ରାଧାମୋହନ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି । ନୟାଗଡର ଆଦିବାସୀ ବହୁଳ ରୋହିବାଙ୍କ ଅଞ୍ଚଳରେ ସେ ଜୈବିକ କୃଷିର ସଫଳ ପ୍ରୟୋଗ କରି ଏଥିରେ ବହୁ ଚାଷୀଙ୍କୁ ସାମିଲ କରାଇଥିଲେ । ଏଥିଲାଗି ତାଙ୍କୁ କେନ୍ଦ୍ର ସରକାରଙ୍କ ସମେତ ବହୁ ସଂସ୍ଥା ସମ୍ମାନିତ କରିଛନ୍ତି ।

ଓଡିଶାରେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ଯୁବକ ଯୁବତୀ ଗ୍ରାମତ୍ଥାନ, ପରିବେଶ ସୁରକ୍ଷା, ସାମାଜିକ ସଂସ୍କାର ଓ ଆର୍ଥିକ ବିକାଶ ଲାଗି ବହୁ ସ୍ୱେଚ୍ଛାସେବୀ ସଂସ୍ଥା ଗଢିଛନ୍ତି । ପ୍ରଫେସର ରାଧାମୋହନଙ୍କୁ ମଧ୍ୟ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଛନ୍ତି । ତାଙ୍କ ତିନି ଝିଅ ସାବରମତୀ, ବିଶ୍ୱଭାରତୀ ଓ ଅମରାବଦୀ ଏବେ ବି ସେବା ଓ ସାମାଜିକ ସଂସ୍କାର କାର୍ଯ୍ୟରେ ଜଡିତ ରହିଛନ୍ତି । ତାଙ୍କ ବିୟୋଗରେ ସାମାଜିକ ବିପ୍ଳବ କ୍ଷେତ୍ରରେ ଏକ ବଡ ଶୂନସ୍ଥାନ ସୃଷ୍ଟି ହୋଇଛି ।

ପ୍ରଫେସର ରାଧାମୋହନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ରାଜ୍ୟ ଜଣେ ବିଶିଷ୍ଟ ପରିବେଶବିତ୍‍ ଓ ଶିକ୍ଷାବିତ୍‍ଙ୍କୁ ହରାଇଲା ବୋଲି ଉଲ୍ଲେଖ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।