ଭୁବନେଶ୍ୱର : ବିଶିଷ୍ଟ ଓଡିଆ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ରାଜ୍ୟସଭା ଆସନଟି ଓଡିଶାର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୂରଣ କରିବା ପରିବର୍ତ୍ତେ ଏହାକୁ ମହେଶ ଜେଠମାଲାନିଙ୍କ ହାତରେ ଟେକି ଦିଆଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟସଭାର ୧୨ଟି ଆସନ ରାଷ୍ଟ୍ରପତିଙ୍କ ମନୋନୀତ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାଯାଇଥାଏ । ରାଜ୍ୟସଭା ଗଠନ ହେବା ପରଠାରୁ ୨୦୧୮ ମସିହା ଯର୍ପ୍ୟନ୍ତ ଜଣେ ହେଲେ ଓଡିଆଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟଭାବେ ନିଯୁକ୍ତି ଦିଆଯାଇନଥିଲା । ଏହା କେନ୍ଦ୍ରୀୟ ଅବହେଳାର ଅନ୍ୟତମ ନମୂନା ହୋଇଥିବାବେଳେ ୨୦୧୮ ମସିହାରେ ଓଡିଆ ସ୍ଥପତି ରଘୁନାଥ ମହାପାତ୍ରଙ୍କ ମନୋନିତ ସଦସ୍ୟଭାବେ ରାଜ୍ୟସଭାରେ ଆସନ ମିଳିଥିଲା । ତେବେ କୋଭିଡରେ ରଘୁନାଥଙ୍କର ମୃତ୍ୟୁ ପରେ ଗତମାସ ୯ତାରିଖରୁ ଏହି ଆସନଟି ଖାଲିପଡିଥିଲା । ତାଙ୍କର କ୍ରିୟାକର୍ମ ସରିବା ପୂର୍ବରୁ ଆଉ ଦୁଇ ପୁଅ ମଧ୍ୟ କୋଭିଡରେ ପ୍ରାଣ ହରାଇଛନ୍ତି ।
ଏହି ଦାରୁଣ ଦୁଃଖ ତାଙ୍କ ପରିବାର ଓ ରାଜ୍ୟବାସୀ ଭୁଲିବା ପୂର୍ବରୁ ବରିଷ୍ଠ ବିଜେପି ନେତା ତଥା ଆଇନ୍ଜୀବୀ ମହେଶ ଜେଠାମାଲାନିଙ୍କୁ ରଘୁନାଥଙ୍କ ସ୍ଥାନରେ ରାଜ୍ୟସଭା ସଦସ୍ୟ ଭାବେ ନିଯୁକ୍ତି ଦିଆଯାଉଥିବା ଖବରମାନ ପ୍ରକାଶ ପାଇଛି । ମହେଶ ହେଉଛନ୍ତି ପୂର୍ବତନ ଆଇନ୍ମନ୍ତ୍ରୀ ରାମ ଜେଠାମାଲାନିଙ୍କ ପୁଅ ଏବଂ ବିଜେପିର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ ।
ରଘୁନାଥଙ୍କ ମୃତ୍ୟୁପରେ ବିଜେପି ସମ୍ପର୍କରେ ଥିବା ଓଡିଶାର କବି, ଲେଖକ, ସାମ୍ବାଦିକ ଓ କଳାକାର ରଘୁନାଥଙ୍କ ଆସନରେ ରାଜ୍ୟସଭାରେ ବସିବାପାଇଁ ପାଗ ଭିଡିଥିଲେ । ତେବେ ଓଡିଶାକୁ ଏହି ସଦସ୍ୟ ପଦବୀରୁ ବଞ୍ଚିତ କରାଯାଇ ମହେଶ ଜେଠମାଲାନିଙ୍କୁ ତାହା ଦିଆଯାଇଛି । ବିଜେପି ନେତାମାନେ କହୁଛନ୍ତି ଯେ ନୃତ୍ୟଶିଳ୍ପୀ ଡକ୍ଟର ସୋନାଲ ମାନସିଂହ ରାଜ୍ୟସଭାର ମନୋନିତ ସଦସ୍ୟ ମଧ୍ୟ ଅଛନ୍ତି ।
ଏକଥା ସତ୍ୟ ଯେ ସୋନାଲଙ୍କ ଜନ୍ମ ଗୁଜୁରାଟରେ ଓ ତାଙ୍କ ଜେଜେବାପା ସର୍ଦ୍ଦାର ପଟେଲଙ୍କ ସହ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ଏବଂ ସ୍ୱାଧୀନତାପରେ ତାଙ୍କୁ ରାଜ୍ୟପାଳ ପଦବୀ ମିଳିଥିଲା । ସୋନାଲ ଭାରତନାଟ୍ୟମରେ ପ୍ରଥମେ ଦକ୍ଷତା ହାସଲ କରିଥିଲେ । ସୋନାଲ ପରବର୍ତ୍ତୀ ସମୟରେ ଓଡିଶୀନୃତ୍ୟ ଶିକ୍ଷା କରିଥିଲେ । ବିଶିଷ୍ଟ ଓଡିଆ କବି ମାୟାଧର ମାନସିଂହଙ୍କ ସୁପୁତ୍ର ଲଳିତ ମାନସିଂହଙ୍କୁ ସେ ୧୯୬୫ରେ ବିବାହ କରିଥିଲେ ମଧ୍ୟ ୧୯୭୪ରୁ ସେମାନଙ୍କର ଛାଡପତ୍ର ହୋଇସାରିଛି ।
ସୋନାଲ ମାନସିଂହଙ୍କ ଠିକଣା ଦିଲ୍ଲୀ ରହିଥିବାରୁ ତାଙ୍କୁ ଓଡିଆ ବୋଲି ଗ୍ରହଣ କରିବା ଠିକ୍ ହେବନାହିଁ ବୋଲି ବିରୋଧିମାନେ କହୁଛନ୍ତି । ରଘୁନାଥ ମହାପାତ୍ରଙ୍କ ମୃତ୍ୟୁପରେ ଖାଲି ହୋଇଥିବା ଆସନଟି ଜଣେ ଓଡିଆଙ୍କୁ ଦିଆଯାଇଥିଲେ ବିଜେପିର ଓଡିଆ ପ୍ରୀତି ଜଣାପଡିଥାନ୍ତା ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ସମୟରେ କଂଗ୍ରେସ ଓ ଜନତାଦଳ ଅନ୍ୟ ରାଜ୍ୟର ନେତାମାନଙ୍କୁ ଓଡିଶାରୁ ରାଜ୍ୟସଭାକୁ ପଠାଉଥିଲା । କିନ୍ତୁ ପରେ ଓଡିଶାର ପୂର୍ବତନ ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଓଡିଶା ବାହାରୁ ରାଜ୍ୟସଭାକୁ ନେଇଛି ।
ତେବେ ୨୦୧୯ ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନର ଯୋଧପୁରରେ ଜନ୍ମିତ ପୂର୍ବତନ ଓଡିଶା କ୍ୟାଡର ଆଇଏଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସହାୟତାରେ ବିଜେପି ଓଡିଶାରୁ ରାଜ୍ୟସଭାକୁ ପଠାଇଛି । ନିକଟ ଭବିଷ୍ୟତରେ ରାଜ୍ୟସଭାର ଅନ୍ୟ କୌଣସି ମନୋନିତ ଆସନ ଖାଲି ହେବାର ସମ୍ଭାବନା ନଥିବାରୁ ରାଜ୍ୟସଭାରେ ଓଡିଆ ସାଂସଦଙ୍କ ଆସନ ଏବେ ଗୋଟିଏ ଉଣା ହୋଇଯିବ । (ତଥ୍ୟ)