Home Health ନବରଙ୍ଗପୁରରେ ଖୁବ୍ ଶୀଘ୍ର ଆର.ଟି.ପି.ସି.ଆର ମେସିନ

ନବରଙ୍ଗପୁରରେ ଖୁବ୍ ଶୀଘ୍ର ଆର.ଟି.ପି.ସି.ଆର ମେସିନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କରେ କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଥିଲେ।

ମୁଖ୍ୟ ଶାସନ ସଚିବ ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ଡକ୍ଟର ମିଶ୍ର କୋଭିଡ୍ ପରିଚାଳନା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ନୂଆ ଆର୍.ଟି.ପି.ସି.ଆର୍ ମେସିନ ଚଳିତ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମେସିନ ଦ୍ଵାରା ଦୈନିକ ପ୍ରାୟ ୬୦୦ ନମୂନା ପରୀକ୍ଷା ହୋଇପାରିବ ଏବଂ ନବରଙ୍ଗପୁର ଜିଲ୍ଲାବାସୀଙ୍କ ନମୁନା ପରୀକ୍ଷା ନିମନ୍ତେ ବାହାରକୁ ପଠାଇବାର ଆବଶ୍ୟକତା ପଡ଼ିବ ନାହିଁ ।

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ନିର୍ମାଣଧୀନ ଥିବା ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ୍ ୱାଡ଼ର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା। କାର‌୍ୟ୍ୟାନ୍ୱୟନ ତ୍ଵରାନ୍ୱିତ କରି ଆସନ୍ତା ତିନି ରୁ ଚାରି ମାସ ମଧ୍ୟରେ ଉଭୟ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାଇ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଶୋଭା ରାଣୀ ମିଶ୍ର, ଉପ ଜିଲ୍ଲାପାଳ ଭାସ୍କର ରଇତ, ପ୍ରମୁଖ ଯୋଗଦେଇଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିଥିଲେ। ସେଠାରେ ଉପଲବ୍ଧ ଥିବା ହସ୍ପିଟାଲ୍ ବେଡ୍, ଆଇ.ସି.ୟୁ, ଭେନ୍ଟିଲିଟର୍, ଅମ୍ଳଜାନ, ଔଷଧ ପତ୍ର, ଡକ୍ଟର, ଚିକିତ୍ସା ସହାୟକ ଓ ଅନ୍ୟାନ୍ୟ ଚିକିତ୍ସା ବିଷୟ ନିରୀକ୍ଷଣ କରିଥିଲେ। ଏହି ସମୟରେ ମୁଖ୍ୟ ଶାସନ ସଚିବ ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ।

ସମୀକ୍ଷା ପରେ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜାରି କରାଯାଇଥିବା ଲକଡାଉନ୍ ଓ କୋଭିଡ୍ କଟକଣାର ସଠିକ୍ ପ୍ରବର୍ତ୍ତନ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ହାର କମିଛି । ଇତି ମଧ୍ୟରେ କୋଭିଡ ନମୁନା ପରୀକ୍ଷା ଓ ପୋଜିଟିଭ କେସ୍ର ଅନୁପାତ ଶତକଡ଼ା ୨୦ ରୁ ଶତକଡ଼ା ୧୩ କୁ ହ୍ରାସ ପାଇଛି ଦୈନିକ ସଂକ୍ରମଣ ମଧ୍ୟ ନିମ୍ନଗାମୀ ହୋଇଛି ।

ଆସନ୍ତା ଦିନ ମାନଙ୍କରେ କୋଭିଡ଼ ସଂକ୍ରମଣ ହାର ଆହୁରି ଅଧିକ କମିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ସଂକ୍ରମଣ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ଏବଂ ଏହାକୁ ଆହୁରି କମାଇବା ପାଇଁ ସମସ୍ତ କୋଭିଡ୍ ନିୟମର କଡାକଡି ଅନୁପାଳନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।