Home Infrastructure ଉପକୂଳରେ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ଯୋଜନା

ଉପକୂଳରେ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ଯୋଜନା

ଭୁବନେଶ୍ୱର : ଉପକୂଳର ୧୦ଟି ଜିଲ୍ଲା ତଟବର୍ତୀ ଅଂଚଳକୁ ସୁରକ୍ଷା ଦେବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଜାତୀୟ ବାତ୍ୟା ବିପର୍ଯ୍ୟୟ କ୍ଷତି ପରିଚାଳନା ପ୍ରକଳ୍ପ ଜରିଆରେ ରାଜ୍ୟର ୪ଟି ଜିଲ୍ଲା ଯଥା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୫୨ କିଲୋମିଟର ଦୀର୍ଘ ଲୁଣାବନ୍ଧର ସୁରକ୍ଷା କାର୍ଯ୍ୟ ଜଳ ସଂପଦ ବିଭାଗ ପକ୍ଷରୁ କରାଯାଇଛି ।

ବିଶ୍ୱ ବ୍ୟାଙ୍କ ସହାୟତାରେ ୨୦୧୩-୨୦୧୬ ଯୋଜନାରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା । ଏହା ମଧ୍ୟରେ ୫ଟି ବଡ ଧରଣର ବାତ୍ୟା ଯଥା ତିତ୍‌ଲି, ଫନି, ବୁଲ୍‌ବୁଲ୍ , ଅମ୍ଫାନ ତଥା ଏଥରର ୟାସ ପରେ ମଧ୍ୟ ଏହି ଲୁଣା ବନ୍ଧର ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ଲୁଣାବନ୍ଧର ସ୍ଥାୟିତ୍ୱ, ଓ ଦୃଢତାକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତିରେ ଦୁର୍ବଳ ସ୍ଥାନଗୁଡିକୁ ଚିହ୍ନଟ କରି ରାଜ୍ୟରେ ୧୬୫୦ କିଲୋମିଟର ଲୁଣାବନ୍ଧକୁ ପ୍ରାୟ ୬ହଜାରରୁ ୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କରାଯିବା ପାଇଁ ବିଭାଗ ତରଫରୁ ପ୍ରସ୍ତାବ ରହିଛି । ତେଣୁ ଅତୀତର ଅନୁଭୁତି ଓ ସଫଳତା ଆଧାରରେ ଆଗକୁ ଏହି ପ୍ରସ୍ତାବିତ ଉପକୂଳବର୍ତୀ ସମୁଦ୍ରତଟ ବନ୍ଧ ସୁଦୃଢୀକରଣ କାର୍ଯ୍ୟ କରାଯିବ ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂରଥ ପ୍ରକାଶ କରିଛନ୍ତି ।

ବାତ୍ୟା ୟାସ ପରବର୍ତ୍ତୀ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏକ ବୈଠକ ଆଜି ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନଙ୍କର ବିଭାଗୀୟ କାର୍ଯ୍ୟର ସଫଳତା ନେଇ ପୂର୍ବରୁ ଅଭିଜ୍ଞତା ରହିଛି । ସେମାନେ ଜାଣିଛନ୍ତି ଯେ, କାର୍ଯ୍ୟ କରିବାରେ କେଉଁଠି ଅସୁବିଧା ରହୁଛି ।

ସେମାନଙ୍କର ଶ୍ରେଷ୍ଠ ଅଭିଜ୍ଞତାକୁ ପାଥେୟ କରି ପୂର୍ବରୁ ଯୋଜନାରେ ରହିଥିବା କାର୍ଯ୍ୟ ଓ ଚଳିତ ବାତ୍ୟାଜନିତ କ୍ଷୟକ୍ଷତି ଆଧାରରେ ଏକ ବ୍ୟାପକ ନକ୍ସା ଓ ଯୋଜନା ପ୍ରସ୍ତୁତ କରି ତଦନୁସାରେ କାର୍ଯ୍ୟ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଦୁର୍ବଳ ନଦୀବନ୍ଧ, ଯେଉଁଠି କାମ ନିତାନ୍ତ ଆବଶ୍ୟକତା ରହିଛି, ସେଠାରେ ନିଷ୍ଠାର ସହ ଅଧିକାରୀ ଓ ଯନ୍ତ୍ରୀମାନେ ଏପରି କାର୍ଯ୍ୟ କରନ୍ତୁ, ଯାହାକି ଆଗାମୀ ଦିନରେ ତାହା ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପ୍ରତିରୋଧକ ହୋଇପାରିବ । ଜରୁରୀ ମରାମତି ଆବଶ୍ୟକତା ଥିବା କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ବୋଲି ପ୍ରକାଶ କରିବା ସହିତ ସେ କାମଗୁଡିକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି ।