Home Agriculture ଛେଳିଚାଷ ଲାଗି ଲୋକେ ଆଗ୍ରହୀ ନୁହନ୍ତି

ଛେଳିଚାଷ ଲାଗି ଲୋକେ ଆଗ୍ରହୀ ନୁହନ୍ତି

ଭୁବନେଶ୍ୱର : ଛେଳି ପାଳନ ଲାଗି ରାଜ୍ୟ ସରକାର ସହାୟତା ରାଶି ବଢାଇ ଚାଲିଥିବାବେଳେ ଲୋକେ କିନ୍ତୁ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଛେଳି ପାଳନ ଲାଗି ସରକାରୀ ସହାୟତା ନେଉଥିବା ହିତାଧିକାରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି ।

ବଜାରରେ ଛେଳିମାଂସର ଚାହିଦା ବେଶ୍‍ ଭଲ ରହିଥିବାରୁ ଅଧିକରୁ ଲୋକେ କିଭଳି ଛେଳି ପାଳନ କରିବେ ସେଥିବାପାଇଁ ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ୨୦୨୨-୨୩ ମସିହାରେ ଏ ବାବଦରେ ସରକାର ପାଖାପାଖି ୩୦ କୋଟି ଟଙ୍କା ଯୋଗାଇ ଦେଇଥିଲେ । ସେହିବର୍ଷ ୨୬ହଜାର ଲୋକ ଛେଳି ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଏହି ସରକାରୀ ଯୋଜନାର ଲାଭ ଉଠାଇଥିଲେ । ଏହା ପରବର୍ଷ ଅର୍ଥାତ୍‍ ୨୦୨୩-୨୪ ବର୍ଷରେ ପ୍ରୋତ୍ସାହନ ରାଶି ପରିମାଣ ୫୦ କୋଟି ଟଙ୍କାକୁ ଟପିଯାଇଥିବାବେଳେ ଚାଷୀଙ୍କ ସଂଖ୍ୟା ବି ୩୧ ହଜାରକୁ ଟପିଯାଇଥିଲା ।

ହେଲେ ଏହା ପରଠାରୁ ଆଉ ସରକାରୀ ପ୍ରୋତ୍ସାହନ ଜରିଆରେ ଛେଳିଚାଷ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୨୦୨୪-୨୫ ବର୍ଷରେ ରାଜ୍ୟ ସରକାର ଛେଳିଚାଷ ପ୍ରୋତ୍ସାହନ ରାଶିବାବଦରେ ୩୪ କୋଟି ୪୯ ଲକ୍ଷ ଟଙ୍କା ଯୋଗାଇ ଦେଇଥିବାବେଳେଏଥିରେ ମାତ୍ର ୧୧,୮୭୫ଜଣ ଲୋକେ ଉପକୃତ ହୋଇଥିଲେ । ୨୦୨୫-୨୬ ବର୍ଷରେ ପ୍ରୋତ୍ସାହନରାଶି ପରିମାଣ ୪୦ କୋଟି ଟଙ୍କାରୁ ଅଧିକ ଥିବାବେଳେ ହିତାଧିକାରୀଙ୍କ ସଂଖ୍ୟା ୮୭୩୦ ଜଣଙ୍କୁ ହ୍ରାସ ପାଇଥିଲା । ଚଳିତ ଆର୍ଥିକବର୍ଷରେ ହିତାଧିକାରୀଙ୍କ ସଂଖ୍ୟା ୨ହଜାର ତଳକୁ ଖସି ଆସିଛି ।

ଅନ୍ୟ ପକ୍ଷରେ କିନ୍ତୁ ଘୁଷୁରୀ ପାଳନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ସରକାରୀ ପ୍ରୋତ୍ସାହନ ପାଇଥିବା ଘୁଷୁରୀ ଚାଷୀଙ୍କ ସଂଖ୍ୟା ଶହେଜଣ ଥିବାବେଳେ ୨୦୨୫-୨୬ ବର୍ଷରେ ଏହି ଚାଷୀଙ୍କ ସଂଖ୍ୟା ୩୨୯ରେ ପହଞ୍ଚିଛି । ସରକାରୀ ପ୍ରୋତ୍ସାହନ ରାଶି ବି ଘୁଷୁରୀ ଚାଷ ପାଇଁ ବର୍ଷକୁ ବର୍ଷ ବଢିବାରେ ଲାଗିଛି ।

ରାଜ୍ୟରେ ଖାସି ମାସଂର ଚାହିଦା ବଢି ବଢି ଚାଲିଥିବାବେଳେ ଓଡିଶାର ମାଂସ ବ୍ୟବସାୟୀମାନେ ଏବେ ପଶ୍ଚିମବଙ୍ଗଭଳି ରାଜ୍ୟ ଉପରେ ଏଥିପାଇଁ ନିର୍ଭର କରୁଛନ୍ତି । ଅନ୍ୟ ରାଜ୍ୟରୁ ଦୈନିକ ଶହ ଶହ ଛେଳି ଓଡିଶାକୁ ଆସୁଥିବାବେଳେ ଓଡିଶାରେ କିନ୍ତୁ ବ୍ୟବସାୟଭିତ୍ତିକ ଛେଳି ଚାଷ ପାଇଁ ଲୋକେ ଆଗକୁ ନଆସିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ ପକ୍ଷରେ ରାଜ୍ୟରେ ଘୁଷୁରୀମାଂସର ସେଭଳି ବ୍ୟବସାୟକରଣ ହୋଇନଥିବାବେଳେ ଲୋକେ କିନ୍ତୁ ଏଥିପାଇଁ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି । (ତଥ୍ୟ)