ଭୁବନେଶ୍ୱର : ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଛପା ଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଏକ ସବିଶେଷ ରିପୋର୍ଟ ତଲବ କରିଛି । ଏତେ ସଂଖ୍ୟକ ଭୁଲ୍ କିପରି ରହିଲା, ଏହା ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଛପା ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନିକଟରେ ଶେଷ ହୋଇଥିବା ରାଜ୍ୟ ବିଧାନସଭା ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଲିଖିତ ଉତ୍ତରରେ ସ୍ୱୀକାର କରିଥିଲେ ଯେ, ପିଲାଙ୍କ ବହିରେ ତଥ୍ୟଗତ, ବନାନ ଏବଂ ମୁଦ୍ରଣ ଜନିତ ପ୍ରାୟ ୧୭୪୧ଟି ତ୍ରୁଟି ଚିହ୍ନଟ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନିମ୍ନମାନର ବହି ଛପା ଓ ପ୍ରକାଶନ ପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ଜଣେ ସୂଚନା ଅଧିକାର କର୍ମୀ ତଥା ଅଭିଯୋଗକାରୀ ପ୍ରଦୀପ ପ୍ରଧାନ ଏହି ମାମଲାର ପର୍ଦ୍ଦାଫାଶ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବହି ଛପା ଦାୟିତ୍ୱକୁ ବେଆଇନ ଭାବେ ପରିଚାଳନା କରାଯାଇଥିଲା। ଏପରିକି ଜଣେ ବରିଷ୍ଠ ଅଧିକାରୀଙ୍କ ପତ୍ନୀଙ୍କ ନାମରେ ଏକ କମ୍ପାନୀ ଖୋଲାଯାଇ ବହି ଛପା ଏବଂ ସାମଗ୍ରୀ ଯୋଗାଣ କାମ ହାତେଇ ନିଆଯାଇଥିଲା। ଏଥିସହ ଯେଉଁ ବ୍ୟକ୍ତିମାନେ ବିଷୟ ବିଶେଷଜ୍ଞ ଥିଲେ, ସେମାନେ ହିଁ ପୁସ୍ତକର ସମୀକ୍ଷକ ଏବଂ ପ୍ରୁଫ୍ ରିଡର୍ ଭାବେ କାର୍ଯ୍ୟ କରିଥିଲେ, ଯାହାକି ଶିକ୍ଷା ବିଭାଗର ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଘୋଟାଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରୁ ଚାଲିଆସୁଥିବା ବେଳେ ପ୍ରଶାସନ ମୂଳ ମୁଦ୍ରଣ ଦୁର୍ନୀତିକୁ ଘୋଡ଼ାଇବାକୁ ଚେଷ୍ଟା କରିଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଭାବେ ଜଣାଇବା ପରେ ବି କୌଣସି ପଦକ୍ଷେପ ନ ନିଆଯିବାରୁ ସେ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ପିଏମ୍ଓର ହସ୍ତକ୍ଷେପ ପରେ ବର୍ତ୍ତମାନ ଗଣଶିକ୍ଷା ବିଭାଗର ଉତ୍ତରକୁ ଅପେକ୍ଷା କରାଯାଇଛି । ତେବେ ରାଜ୍ୟରେ ଏବେ ନୂଆ ସରକାର ଥିବାରୁ ଏହି ଆର୍ଥିକ ଅନିୟମିତତାକୁ ବରଦାସ୍ତ ନକରି ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏକ ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ଜୋର୍ ଧରିଛି।

