ଭୁବନେଶ୍ୱର : ବୁଧବାର ରାଜ୍ୟବ୍ୟାପୀ ‘ଓଡ଼ିଶା ବନ୍ଦ’ ଡାକରାକୁ ନେଇ ସତର୍କ ହୋଇଛି ରାଜ୍ୟ ପ୍ରଶାସନ। ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।
ସେପଟେ ଏହି ବନ୍ଦକୁ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ କରିଥିବା ନେଇ ରାଜ୍ୟରେ ଏହାକୁ ନେଇ ରାଜନୈତିକ ତାତି ବଢ଼ିଛି। ଏମିତିରେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଏଡ଼ାଇବା ପାଇଁ ଆବଶ୍ୟକ ପ୍ରତିଷେଧକ ଓ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ବନ୍ଦ ସମୟରେ ଜିଲ୍ଲାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ରାସ୍ତାରୋକ, ଗାଡ଼ିମୋଟର ଚଳାଚଳରେ ବାଧା, ଟାୟାର ଜାଳିବା ଏବଂ ଟ୍ରାଫିକ ସମସ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରାଯାଇଛି। ତେଣୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।
ବନ୍ଦ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯେପରି ସ୍ୱାଭାବିକ ଭାବେ ଚାଲିପାରିବ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଶେଷକରି ହସ୍ପିଟାଲ, ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାରର ‘ଓଡ଼ିଶା ବନ୍ଦ’କୁ ନେଇ ସାରା ରାଜ୍ୟରେ ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଉଛି।

