ନୂଆଦିଲ୍ଲୀ : ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ବିବାଦ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଆଜି ଶେଷ ହୋଇଛି। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିବେଳେ ଡିଜି ପଦବୀ ଖାଲି ହେବା ପୂର୍ବରୁ ଲେଭଲ-୧୬ ଓ ଲେଭଲ-୧୫ ଅଫିସରଙ୍କ ନାମ ଏକାଠି ପଠାଯିବା, ମେ ମାସରେ ତାଲିକା ପଠାଇବା ପରେ ଅଗଷ୍ଟ ୧୦ ତାରିଖରେ ନୂଆ ପଦୋନ୍ନତି ଦେଇ ପରବର୍ତ୍ତୀ ତାଲିକା ଯୋଡ଼ିବା ଓ ଜଣେ ବରିଷ୍ଠ ଅଫିସରଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରାଯିବାକୁ ନେଇ ଖଣ୍ଡପୀଠ ଆଜି ଆଇନଗତ ପ୍ରଶ୍ନ ଉଠାଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି.ମୋହନଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଆଜି ପ୍ରାୟ ଦେଢ଼ଘଣ୍ଟା ଧରି ଶୁଣାଣି କରିଥିଲେ। ମଧ୍ୟାହ୍ନ ବିରତି ପରେ ଶୁଣାଣି ଆରମ୍ଭ ହେବାମାତ୍ରେ ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା କହିଥିଲେ ଯେ, ସରକାର କାହାକୁ ନିଜର ‘ବ୍ଲୁ-ଆଏଡ୍ ବୟ’ ଭାବି ଆଗକୁ ଆଣିନାହାନ୍ତି। ଓଡ଼ିଶା ଗୋଟିଏ ଛୋଟ ରାଜ୍ୟ ଓ ସେଠାରେ ଡିଜି ପାହ୍ୟାରେ ମାତ୍ର ଦୁଇଟି କ୍ୟାଡର ଓ ଦୁଇଟି ଏକ୍ସକ୍ୟାଡର ପଦବୀ ରହିଛି। ତତ୍କାଳୀନ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେଇସାରିଥିବା ବେଳେ ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ର ନଭେମ୍ବର ୩୦ରେ ଅବସର ନେବେ। ଯଦି ରାଜ୍ୟ କେବଳ ୩ଟି ନାଁ ପଠାଇଥାନ୍ତା, ତେବେ ସେହି ୩ଟି ନାଁ ହିଁ ୟୁପିଏସସିରୁ ଫେରି ଆସିଥାନ୍ତା ଓ ପ୍ରକୃତ ଚୟନ ପାଇଁ ବିକଳ୍ପ ରହି ନଥାନ୍ତା।
୧୯୯୪ ବ୍ୟାଚର ସଞ୍ଜିବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱା ୩୦ବର୍ଷ ଚାକିରି ପୂରଣ କରି ୨୦୨୪ ଜାନୁୟାରୀ ୧ରୁ ଲେଭଲ-୧୬ ପାଇଁ ଯୋଗ୍ୟ ଥିଲେ ମଧ୍ୟ ସାଢ଼େ ତିନି ବର୍ଷ ଧରି ପଦୋନ୍ନତି ଅପେକ୍ଷାରେ ରହିଥିଲେ ଓ ସେମାନେ ୨୦୨୮ ମସିହାରେ ଅବସର ନେବେ। ତେଣୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଅସ୍ଥାୟୀ ଏକ୍ସ କ୍ୟାଡର ପଦବୀ ମଞ୍ଜୁର କରାଇବାର ପ୍ରକ୍ରିୟା ୨୦୨୪ ମସିହାରୁ ଆରମ୍ଭ ହୋଇଥିଲା ଓ ୨୦୨୬ ଫେବୃୟାରୀ ୪ ତାରିଖରେ ଚିଠି ଲେଖାଯାଇଥିଲା, ଯାହାକି ମଇ ମାସରେ ୟୁପିଏସସିକୁ ତାଲିକା ପଠାଯିବାର ବହୁ ପୂର୍ବର ଘଟଣା। କେନ୍ଦ୍ର ସରକାରଙ୍କ ଅନୁମୋଦନରେ ୨୦୨୬ ଅଗଷ୍ଟ ୧୦ତାରିଖରେ ରାଜ୍ୟ ସ୍କ୍ରିନିଂ କମିଟି ଦ୍ୱାରା ଶ୍ରୀ ପଣ୍ଡା ଓ ଶ୍ରୀ ଜେଠୁୱାଙ୍କୁ ପଦୋନ୍ନତି ଦିଆଯାଇଥିଲା। ପଦବୀ ଖାଲି ହେବା ତାରିଖ ସୁଦ୍ଧା ସେମାନେ ଲେଭଲ-୧୬ରେ ଥିବାରୁ ସେମାନଙ୍କ ନାମ ବିଚାରକୁ ନିଆଯିବା ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ବୋଲି ସଲିସିଟର ଜେନେରାଲ ଯୁକ୍ତି ବାଢ଼ିଥିଲେ।
ମାତ୍ର ଖଣ୍ଡପୀଠ ଏହା ଉପରେ କଡ଼ା ଆପତ୍ତି ଉଠାଇ କହିଥିଲେ ଯେ, ପ୍ରିୟ ବା ଅପ୍ରିୟ କଥା ଏଠାରେ ଉଠୁନାହିଁ, ମୂଳ କଥା ହେଉଛି ନିୟମ ଅନୁସାରେ ଢାଞ୍ଚା ଓ ପ୍ରକ୍ରିୟା ପାଳନ ହୋଇଛି କି ନାହିଁ। ମଇ ମାସରେ ପ୍ରସ୍ତାବ ପଠାସାରିବା ପରେ, ଅଗଷ୍ଟ ୧୦ତାରିଖରେ ନିଜ ଆଡୁ ପଦୋନ୍ନତି ଦେଇ କୋର୍ଟଙ୍କ ବିନାନୁମତିରେ ସେହି ନାମଗୁଡ଼ିକୁ ପୁରୁଣା ତାଲିକାରେ ପଛପଟୁ ଯୋଡ଼ିବା ସୁପ୍ରିମକୋର୍ଟଙ୍କ ନିୟମାବଳୀର ଉଲ୍ଲଂଘନ। ଯଦି କୌଣସି ଅସାଧାରଣ ସ୍ଥିତି ଥିଲା, ତେବେ ରାଜ୍ୟ ସରକାର ଧାରା କୋର୍ଟଙ୍କ ଅନୁମତି ଲୋଡ଼ିବା ଆବଶ୍ୟକ ଥିଲା।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ୟୁପିଏସସି ନିୟମାବଳୀ ଅନୁପାଳନ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ନିୟମ ଅନୁସାରେ ପଦବୀ ଖାଲି ହେବାର ୩ମାସ ପୂର୍ବରୁ ଲେଭଲ-୧୬ ତାଲିକାରୁ ଯୋଗ୍ୟ ଅଧିକାରୀଙ୍କ ନାମ ୟୁପିଏସସିକୁ ପଠାଯିବା କଥା। କିନ୍ତୁ ରାଜ୍ୟ ସରକାର ଲେଭଲ-୧୬ ସହିତ ଲେଭଲ-୧୫ର ନାଁକୁ ମିଶାଇ ପଠାଇ ଉଭୟ ଧାରାକୁ ଏକାକାର କରିଦେଇଛନ୍ତି। ଯଦି ଲେଭଲ-୧୬ରେ ଯୋଗ୍ୟ ଅଫିସର ଉପଲବ୍ଧ ନାହାନ୍ତି କିମ୍ବା ୟୁପିଏସସି ସେମାନଙ୍କୁ ଅନୁପଯୁକ୍ତ ମନେକରେ, କେବଳ ସେହି ପରିସ୍ଥିତିରେ ହିଁ ଲେଭଲ-୧୫ ଅଫିସରଙ୍କ ନାମ ବିଚାରକୁ ଆସିପାରିବ। ରାଜ୍ୟ ସରକାର ପୂର୍ବରୁ ଅନୁମାନ ଲଗାଇ ଲେଭଲ-୧୬ ଅଫିସର ଅନୁପଯୁକ୍ତ ହୋଇଯିବେ ବୋଲି ଭାବି ଉଭୟ ତାଲିକା ଏକାଠି ପଠାଇବା ଦ୍ୱାରା ୟୁପିଏସସିକୁ ଏକ ପ୍ରକାର ପ୍ରରୋଚିତ ବା ପ୍ରମ୍ପ୍ଟ କରାଯାଉଛି।
ସେହିପରି ବରିଷ୍ଠ ଆଇପିଏସ ଅଫିସର ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଆସିଥିବା ସିବିଆଇ ଚିଠିକୁ ଅନୁଧ୍ୟାନ କରି ଖଣ୍ଡପୀଠ କହିଥିଲେ ଯେ, ଏହି ଚିଠିରେ ସମ୍ପୃକ୍ତ ଅଫିସରଙ୍କ ନାମରେ କୌଣସି ଏଫଆଇଆର୍ ନାହିଁ କିମ୍ବା ସେ ଅଭିଯୁକ୍ତ ହୋଇନାହାନ୍ତି, ବରଂ ଏହା କେବଳ ଏକ ସମ୍ଭାବ୍ୟ ଯାଂଚର ସୂଚନା ଥିଲା। ଯଦି କେବଳ ଏପରି ଏକ ଚିଠି ଆଳରେ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଏତେ ବ୍ୟାପକ ବିଚାରଧୀନ କ୍ଷମତା ଦିଆଯାଏ, ତେବେ ଭବିଷ୍ୟତରେ ଏହାର ବ୍ୟାପକ ଅପବ୍ୟବହାର ହେବ ଓ ପ୍ରଶାସନିକ ସ୍ତରରେ ଯୋଗ୍ୟ ଅଫିସରଙ୍କୁ ଅଣଦେଖା କରି ମନଇଚ୍ଛା କାର୍ଯ୍ୟ କରିବାର ପରମ୍ପରା ବୃଦ୍ଧି ପାଇବ।

