ଭୁବନେଶ୍ୱର : ରାଜ୍ୟରେ ବୈଦ୍ୟୁତିକ ଯାନ (ଇଭି)ର ବିକ୍ରି ବଢାଇବା ଲାଗି ରାଜ୍ୟ ସରକାର ଏହି ଯାନ ଉପରୁ ମୋଟରଯାନ ଟିକସ ଓ ପଞ୍ଜିକରଣ ଫି ଛାଡ କରିଥିଲେ । ହେଲେ ଆଞ୍ଚଳିକ ପରିବହନ ଦପ୍ତରଗୁଡିକ ଇଭି ଯାନରୁ ଏହି ଟିକସ ଆକାରରେ ୭୫ଲକ୍ଷ ଟଙ୍କାର ଆଦାୟ କରିଥିଲେ । ଏଭଳି ଅନିୟମିତତାକୁ ଧରିଛନ୍ତି ସିଏଜି ।
ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ଜୀବାସ୍ମ ଇନ୍ଧନ ବ୍ୟବହାର ହ୍ରାସ ସହିତ ପ୍ରଦୂଷଣକୁ ରୋକିବାର ଆବଶ୍ୟକତାକୁ ବିଚାର କରି ଓଡିଶା ସରକାର ଶକ୍ତି ମନ୍ତ୍ରଣ।।ଳୟ, ଭାରତ ସରକାରଙ୍କ ସହିତ ମିଳିତ ଭାବେ ଓଡିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ମସିହାରେ କାର୍ଯ୍ୟକାରୀ କରିଛନ୍ତି । ଏହାର ଲକ୍ଷ୍ୟ ଥିଲା ୨୦୨୫ ଶେଷ ସୁଦ୍ଧା ୨୦ପ୍ରତିଶତ ଇଭି ଚଳାଚଳ କରିବା । ସରକାର ରାଜ୍ୟର ସମସ୍ତ ଇଭି ପାଇଁ ମୋଟରଯାନ ଟିକସ ଏବଂ ପଞ୍ଜିକରଣ ଫି ଛାଡକୁ ଅନୁମତି ଦେଇଥିଲେ ଏବଂ ୨୦୨୩ ରେ ନୀତିରେ ସଂଶୋଧନ କରି ଆହୁରି ପ୍ରୋତ୍ସାହନ ପ୍ରଦାନ କରିଥିଲେ ।
ହେଲେ ସିଏଜି ତାଙ୍କ ଯାଞ୍ଚରୁ ଜାଣିବାକୁ ପାଇଲେ ଯେ ୨୦୨୧ ଅକ୍ଟୋବରରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ମୋଟ ୯୧,୮୯୯ଟି ଇଭି ପଞ୍ଜିକୃତ ହୋଇଛି ଏବଂ ୬୫୩ଟି ଇଭିରୁ ୭୩ଲକ୍ଷ ୭୫ହଜାର ଟଙ୍କାର ମୋଟରଯାନ କର ଏବଂ ୧ଲକ୍ଷ ୨୨ ହଜାର ଟଙ୍କାର ପଞ୍ଜିକରଣ ଫି ଆଦାୟ ହୋଇଛି । କେବଳ ୯ଟି ଆଞ୍ଚଳିକ ପରିବହନ ଦପ୍ତରରେ ୩୭୯ ଟି ଇଭିରୁ ୪୪ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇଥିଲା ।
ସିଏଜି ଦେଖିବାକୁ ପାଇଥିଲେ ଯେ ରାଜ୍ୟ ସରକାର ପଞ୍ଜିକରଣ ଫି ଛାଡ କରିଥିବାବେଳେ ଏଗୁଡିକର ଆଦାୟ ଆଦୌ ଠିକ୍ ନଥିଲା । ଆରଟିଓମାନେ ଠିକଣା ଭାବେ ସରକାରୀ ନିର୍ଦ୍ଦେଶ ପାଳନରେ ବିଫଳ ହୋଇଥିଲେ । ଛାଡ ପାଇଥିବା ଯାନଗୁଡିକ ଉପରେ ମୋଟରଯାନ ଟିକସ ଏବଂ ପଞ୍ଜିକରଣ ଶୁଳ୍କ ଆଦାୟ ମଧ୍ୟ ସୂଚାଇଥିଲା ଯେ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏହା ହୋଇନଥିଲା ।
ରାଜ୍ୟ ସରକାରଙ୍କ ନଜରକୁ ଏହା ଅଣାଯିବା ପରେ ସରକାର କହିଥିଲେ ଯେ ଇଭି ଯାନରୁ ଟିକସ ଛାଡ ପାଇଁ ଏନଆଇସି ଦ୍ୱାରା ବାହନ ସଫ୍ଟୱରର ତ୍ରୁଟି ଯୋଗୁଁ ଇଭି ଯାନ ଉପରୁ ଟିକସ ଆଦାୟ ହୋଇଯାଇଥିଲା । ତେଣୁ ନୂତନ ଯାନ ପଞ୍ଜିକରଣ ସମୟରେ ଅଧିକ ସତର୍କରହିବାକୁ ଆରଟିଓମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେତେକ ଇଭି ମାଲିକଙ୍କୁ ଟଙ୍କା ଫେରସ୍ତ ହୋଇଥିବା ନେଇ ମଧ୍ୟ ସରକାର ସଫେଇ ଦେଇଥିଲେ ।
ହେଲେ ସିଏଜି ଦର୍ଶାଇଛନ୍ତି ଯେ କର ମୂଲ୍ୟାୟନ ସମୟରେ ବାହାନରେ ଛାଡକୁ ସଠିକ ଭାବେ ନିଆଯାଇ ନଥିଲା । ଭୁଲ୍ ଭାବେ ଆଦାୟ ହୋଇଥିବା ଟିକସ ଓ ଫି କେବଳ ଆବେଦନକାରୀଙ୍କ ପାଇଁସୀମିତ ରଖିବା ପରିବର୍ତ୍ତେ ସମସ୍ତ ଇଭି ମାଲିକଙ୍କୁ ସରକାରଙ୍କ ଦ୍ୱାରା ଫେରସ୍ତ କରାଯିବା ଉଚିତ୍ ଥିଲା । (ତଥ୍ୟ)

