ଭୁବନେଶ୍ୱର : ଆସିକାରେ ଥିବା ରାଜ୍ୟର ସବୁଠାରୁ ପୁରୁଣା ଚିନିକଳର ସ୍ଥିତି ବର୍ଷକୁ ବର୍ଷ ଦୟନୀୟ ହୋଇପଡୁଛି । ଏହାର ପ୍ରତିକାର କରାନଗଲେ ଯେ କୌଣସି ସମୟରେ ଅନ୍ୟ ସମବାୟ ଚିନିକଳଗୁ୍ଡ଼ିକ ଭଳି ଏହା ବନ୍ଦ ହୋଇପାରେ ବୋଲି ଆଖୁ ଚାଷୀମାନେ ଆଶଙ୍କା କରୁଛନ୍ତି ।
ବର୍ଷକୁ ବର୍ଷ ଆସିକା ଚିନିକଳର ଉତ୍ପାଦନ କମିବାରେ ଲାଗିଛି । ଗୋଟିଏ ସମୟରେ ଆସିକା ଚିନିକଳ ପାଇଁ ୫ ହଜାରରୁ ଅଧିକ ଚାଷୀ ଆଖୁ ଯୋଗାଉଥିଲେ ଏବଂ ଏହା ଲାଭରେ ବି ଚାଲୁଥିଲା । ଚାଷୀମାନେ ବି ଆଖୁ ବିକ୍ରୟ କରି ବେଶ୍ ଲାଭବାନ ହେଉଥିଲେ । ୨୦୨୩-୨୪ ବର୍ଷ ବେଳକୁ ଏହି ଚିନିକଳକୁ ଆଖୁ ଯୋଗାଉଥିବା ଚାଷୀଙ୍କ ସଂଖ୍ୟା ୧୪୬୭କୁ ହ୍ରାସ ପାଇଥିବାବେଳେ ତାହା କମିକମି ଗତ ଆର୍ôଥକ ବର୍ଷରେ ୧୧୧୭ରେ ସୀମିତ ଥିଲା ବୋଲି ସରକାରୀ ତଥ୍ୟରୁ ଜଣାପଡିଛି ।
ସେହିଭଳି ୨୦୨୩-୨୪ ବର୍ଷରେ ଆସିକା ଚିନିକଳରେ ୪୯,୨୫୫ ମେଟ୍ରିକ ଟନ୍ ଆଖୁ ପେଡ଼ାଯାଇ ୩୮,୯୩୬ କ୍ୱିଣ୍ଟାଲ ଚିନି ଉତ୍ପାଦନ କରାଯାଇଥିଲା । ସରକାରୀ ହିସାବ ମୁତାବକ ୨୦୨୫-୨୬ ବର୍ଷରେ ଏଠାରେ ୨୧,୧୦୭ ମେଟ୍ରିକ୍ ଟନ୍ ଆଖୁ ପେଡ଼ାଯାଇ ମାତ୍ର ୧୩,୦୨୮ କ୍ୱିଣ୍ଟାଲ ଚିନି ଉତ୍ପାଦିତ ହୋଇଥିଲା । ଦୁଇବର୍ଷ ଭିତରେ ଏଠାରେ ଆଖୁ ଚାଷ କରାଯାଉଥିବା ଜମିର ପରିମାଣ ୨୧୫୩ ଏକରରୁ ୧୨୧୯ ଏକରକୁ କମିଛି । ମୋଟାମୋଟି ଭାବେ ଆସିକାରେ ଏବେ ଗୋଟିଏ କ୍ୱିଣ୍ଟାଲ ଆଖୁରୁ ମାତ୍ର ୭ କିଲୋ ଚିନି ଉତ୍ପାଦିତ ହେଉଥିବା କୁହାଯାଉଛି । ଏଭଳି ଧାରା ଅବ୍ୟାହତ ରହିଲେ ନୟାଗଡ଼, ବଡ଼ମ୍ବା, ବରଗଡ଼ ଓ ବଲାଙ୍ଗୀରର ସମବାୟ ଚିନିକଳ ଭଳି ଆସିକା ଚିନିକଳର ବି ଅପମୃତ୍ୟୁ ହେବା ଆଶଙ୍କା କରାଯିବା ସ୍ୱାଭାବିକ ।
ଏଠାରେ ଉଲ୍ଲେଖନୀୟ ଯେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବରଗଡ଼ର ତୋରାଠାରେ ଆରମ୍ଭ କରାଯାଇଥିବା ସମବାୟ ଚିନିକଳ ପରିଚଳାନାଗତ ତ୍ରୁଟିଯୋଗୁ ୨୦୧୭ ମସିହାରୁ ବନ୍ଦ ହୋଇପଡିଛି । ସେହିଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୧୯୮୨ ମସିହାରେ ଆରମ୍ଭ କରାଯାଇଥିବା ବଡ଼ମ୍ବା ସମବାୟ ଚିନିକଳ ୩୦ ବର୍ଷ ଚାଲି ୨୦୧୨ରୁ ଅଚଳ ହୋଇ ପଡିଛି । ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ୧୯୯୦ରେ ଆରମ୍ଭ ହୋଇଥିବା ନୟାଗଡ଼ ଚିନିକଳ ୨୦୧୫ରେ ଓ ୧୯୯୨ରେ ଆରମ୍ଭ୍ ହୋଇଥିବା ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନିକଳ ୨୦୧୪ ମସିହାରୁ ବନ୍ଦ ହୋଇପଡିଛି । ମୋଟାମୋଟି ଭାବେ ୨୦୧୨ରୁ ୨୦୧୭ ମଧ୍ୟରେ ଏହି ୪ଟିଯାକ ଚିନିକଳ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ବନ୍ଦ ହୋଇଥିଲା । ଏଥିଯୋଗୁ ଆଖୁ ଚାଷୀମାନେ କ୍ଷତିଗ୍ରସ୍ତ ହେବା ସଂଗେସଂଗେ ଚିନିକଳରେ ନିଯୁକ୍ତ ଶ୍ରମିକ ଓ କର୍ମଚାରୀମାନେ ମଧ୍ୟ କାମଧନ୍ଦା ହରାଇଥିଲେ ।
ବରଗଡ଼ର ତୋରାଠାରେ ଥିବା ସମବାୟ ଚିନିକଳର ଆଇନ୍ଗତ ସମାପନ ହୋଇଯାଇଥିବାରୁ ଏହା ଆଉ ପୁନର୍ଜୀବନ ଲାଭ କରିବା ସମ୍ଭାବନା ନାହିଁ । ନୟାଗଡ଼, ବଡମ୍ବା ଓ ବଲାଙ୍ଗୀର ସମବାୟ ଚିନିକଳଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ବାରମ୍ବାର କୁହାଯାଉଛି । ଇତିମଧ୍ୟରେ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ପ୍ରାୟ ୨୨୦ କୋଟି ଟଙ୍କା ବ୍ୟୟ କରି ବଡମ୍ବା ଚିନିକଳକୁ ୩/୪ବର୍ଷ ଭିତରେ କାର୍ଯ୍ୟକ୍ଷମ କରିବ ବୋଲି ଆଶା କରାଯାଉଛି । ବଲାଙ୍ଗୀର ଓ ନୟାଗଡ଼ ଚିନିକଳ ସଂକ୍ରାନ୍ତରେ କଥାବାର୍ତ୍ତା ଚାଲିଥିଲେ ବି ଚୂଡ଼ାନ୍ତ ଘୋଷଣା ଆସିନାହିଁ । ଆଖୁ ଚାଷ ପାଇଁ ଓଡ଼ିଶାର ଅନୁକୂଳ ଭିତ୍ତିଭୂମି ଥିବା ଏବଂ ଏହା ଏକ ଅର୍ଥକରୀ ଫସଲ ହୋଇଥିବାବେଳେ ଚିନିକଳଗୁଡ଼ିକ ବନ୍ଦ ହୋଇଯାଉଥିବାରୁ କୃଷି ଅର୍ଥନୀତି ବ୍ୟାହତ ହେଉଛି ଏବଂ ଚାମୁଚାଏ ଚିନି ପାଇଁ ଓଡ଼ିଶାବାସୀଙ୍କୁ ଅନ୍ୟ ରାଜ୍ୟ ଏମିତିକି ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି । (ତଥ୍ୟ)

