Home General କୁକୁଡା ଚାଷର ଲାଭ ଖାଉଛନ୍ତି ବାହାର କମ୍ପାନୀ

କୁକୁଡା ଚାଷର ଲାଭ ଖାଉଛନ୍ତି ବାହାର କମ୍ପାନୀ

ଭୁବନେଶ୍ୱର : ଓଡିଶା ସରକାର କୁକୁଡା ଚାଷକୁ ଅଗ୍ରାଧିକାର ଦେବା ସହିତ କୁକୁଡା ଫାର୍ମ ନିର୍ମାଣ ପାଇଁ ବ୍ୟାପକ ସବସିଡ୍‍ ପ୍ରଦାନ କରୁଛନ୍ତି । ହେଲେ ଲାଭ ଖାଉଛନ୍ତି ରାଜ୍ୟ ବାହାରର ସଂସ୍ଥା । ଓଡିଶାରେ କୁକୁଡା ମାଂସ ଦର କେତେ ରହିବ ତାହାର ଚାବିକାଠି ଏବେ ଏହିସବୁ ବ୍ୟବସାୟିକ ସଂସ୍ଥା ହାତରେ ରହୁଛି ।

ସରକାରଙ୍କ ହିସାବରେ ଓଡିଶାରେ ପାଖାପାଖି ୨୪ହଜାର ବ୍ରଏଲର କୁକୁଡା ଫାର୍ମ ରହିଛି । ଏହାବାଦ୍‍ ପାଖପାଖି ୨ଶହ ଅଣ୍ଡାଦିଆ କୁକୁଡାଫାର୍ମ ରହିଛି । ତେବେ କୁକୁଡା ଚାଷ ପାଇଁ ରାଜ୍ୟ ସରକାର ମୋଟା ଅଙ୍କର ସବସିଡ୍‍ ଯୋଗାଇ ଦେଉଛନ୍ତି । ବ୍ରଏଲର କୁକୁଡା ହେଉ କିମ୍ବା ଅଣ୍ଡା ଦିଆ କୁକୁଡା ଫାର୍ମ ହେଉ ଏହାର ନିର୍ମାଣ ଠାରୁ ଆରମ୍ଭ କରି ଚିଆଁ କିଣିବା ପର୍ଯ୍ୟନ୍ତ ସବୁଥିରେ ସରକାରୀ ସହାୟତା ଦିଆଯାଉଛି ।

ହେଲେ ସରକାରୀ ସହାୟତାରେ ତିଆରି ହେଉଥିବା କୁକୁଡା ଫାର୍ମଗୁଡିକ କିନ୍ତୁ ରାଜ୍ୟ ବାହାରର କୁକୁଡା ଚାଷ କରୁଥିବା ସଂସ୍ଥା ନିୟନ୍ତ୍ରଣରେ ରହୁଛି । ଆନ୍ଧ୍ର, ଛତିଶଗଡ ସହିତ ଓଡିଶାର କିଛି କୁକୁଡା ବ୍ୟବସାୟୀ ଏବେ ରାଜ୍ୟର କୁକୁଡା ଚାଷ ଠାରୁ ଆରମ୍ଭ କରି କୁକୁଡା ମାଂସର ଦର ସ୍ଥିର କରୁଛନ୍ତି । ବଜାର ସ୍ଥିତିକୁ ଦେଖି ଦିନକୁ ଦୁଇ ତିନି ଥର ଦର ବଢାଇ ଦେଉଛନ୍ତି ।

ଏହି କମ୍ପାନୀମାନେ ଗାଁ ଗହଳର ଫାର୍ମମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ କୁକୁଡା ଚିଆଁ, ଦାନା, ଔଷଧ ଆଦି ଯୋଗାଇ ଦେଉଛନ୍ତି । କୁକୁଡା ବଡ ହେବାପରେ ସେମାନେ ନେବାପାଇଁ ଚୁକ୍ତି କରୁଛନ୍ତି । ଫଳରେ ଫାର୍ମ ମାଲିକ କୁକୁଡାକୁ ବଜାରରେ ବିକ୍ରି କରିପାରୁ ନାହାନ୍ତି ।

ରାଜ୍ୟର ଗତ ଆର୍ଥିକ ବର୍ଷରେ ୧ଲକ୍ଷ ୬୪ହଜାର ମେଟ୍ରିକ ଟନ୍‍ କୁକୁଡା ମାଂସ ଉତ୍ପାଦନ ହୋଇଛି । ଏଗୁଡିକୁ ରାଜ୍ୟ ଭିତରେ ବ୍ୟବହାର ସହିତ ରାଜ୍ୟ ବାହାରକୁ ପଠାଯାଉଛି । ତେବେ ଦିନ ରାତି ଫାର୍ମରେ ପରିଶ୍ରମ କରୁଥିବା ଓଡିଆ କୁକୁଡା ଚାଷୀମାନେ କିନ୍ତୁ ବଜାର ଦର ଅନୁଯାୟୀ ପାରିଶ୍ରମିକ ପାଉନାହାନ୍ତି । ସେମାନେ କେତେ ଅର୍ଥ ପାଇବେ ତାହା ପ୍ରଥମରୁ ହିଁ କମ୍ପାନୀମାନେ ସ୍ଥିର କରିଦେଉଛନ୍ତି । ଫଳରେ କମ୍ପାନୀମାନେ ରାଜ୍ୟରେ ଏକଜୁଟ ହୋଇ ଏବେ କୁକୁଡା ମାଂସର ଦର ବଢାଇବା ସହିତ ଫାର୍ମ ମାଲିକମାନଙ୍କୁ ୧ଶୋଷଣ କରିବାରେ ଲାଗିଛନ୍ତି ।

ରାଜ୍ୟ ସରକାର ବି ଏତେ ବଡ ବ୍ୟବସାୟ ପ୍ରତି ଯେଭଳି ଦୃଷ୍ଟି ଦେବାକଥା ତାହା କରୁନଥିବା ଅଭିଯୋଗ ହେଉଛି । ବିଶେଷକରି ବଜାରରେ କୁକୁଡା ମାଂସର ଦର କେତେ ରହିବ ତାହା ସ୍ଥିର କରିବାପାଇଁ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ । କୁକୁଡା ଫାର୍ମଗୁଡିକରେ ପୁଞ୍ଜି ଖଟାଉଥିବା ବ୍ୟବସାୟୀଙ୍କୁ ଏହା ବେଶ୍‍ ସୁହାଉଛି । ମନ ହେଲେ ଦର ବଢାଉଛନ୍ତି, ମନ ହେଲେ ଦର ହ୍ରାସ କରୁଛନ୍ତି ।

ଏହି ବଡ ବଡ ପୁଞ୍ଜିମାନଙ୍କ ମେଣ୍ଟ ପାଇଁ ଓଡିଶାର କୁକୁଡା ଚାଷୀମାନେ ଯେଭଳି ଲାଭ ପାଇବାକଥା ତାହା ପାଉ ନାହାନ୍ତି । ଯେଉଁମାନେ ଏମାନଙ୍କ ଠାରୁ ଦୂରେଇ ରହୁଛନ୍ତି ସେମାନଙ୍କ ଉତ୍ପାଦିତ କୁକୁଡା ସହଜରେ ବଜାରରେ ପ୍ରବେଶ କରିପାରୁ ନାହିଁ । ଏମାନେ କେବଳ ଚାଷୀଙ୍କୁ ଶୋଷଣ କରୁନାହାନ୍ତି କୁକୁଡା ରପ୍ତାନିରେ ଲିପ୍ତ ବ୍ୟବସାୟୀଙ୍କୁ ବି ଏକ ପ୍ରକାର ଚିପୁଡି ଦେଉଛନ୍ତି । କାରଣ କମ୍ପାନୀମାନଙ୍କର ମନଇଚ୍ଛା ଦର ବୃଦ୍ଧି ଯୋଗୁଁ ଏହି ରପ୍ତାନିକାରୀମାନେ ମଧ୍ୟ କ୍ଷତି ସହୁଛନ୍ତି । ସରକାର ଯଦି ତୁରନ୍ତ କୁକୁଡାମାଂସ ଓ ଅଣ୍ଡାର ଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ରାଜ୍ୟରେ କୁକୁଡା ଚାଷ ଆଗକୁ ଯିବା ବଦଳରେ ପଛୁଆ ଗତି କରିବ ଏବଂ ଏଥିରେ କର୍ମନିଯୁକ୍ତିର ହାର ହ୍ରାସ ପାଇବ ବୋଲି କିଛି କୁକୁଡା ଚାଷୀ ମତ ଦେଉଛନ୍ତି । (ତଥ୍ୟ)