Home General ଆରମ୍ଭ ହେଲା ଆଙ୍ଗନ୍‍ କା ଉତ୍ସବ

ଆରମ୍ଭ ହେଲା ଆଙ୍ଗନ୍‍ କା ଉତ୍ସବ

ଭୁବନେଶ୍ୱର : ରାଜ୍ୟରେ ଶିଶୁ, ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗର ସମ୍ମିଳନୀ କକ୍ଷରୁ ‘ଆଙ୍ଗନ୍ କା ଉତ୍ସବ’ ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି।

ଏହି ସମାରୋହ ଅବସରରେ ମହିଳା ଓ ଶିଶୁ କଲ୍ୟାଣକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଯୋଗଦାନକୁ ସ୍ୱୀକୃତି ଦେଇ, ଉପମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଶାଢ଼ୀ ଭତ୍ତା ବାବଦକୁ ୧୩୯୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯେଉଁଥିରେ କେନ୍ଦ୍ର ସରକାର ୬୦୦ ଟଙ୍କା ଏବଂ ରାଜ୍ୟ ସରକାର ୯୦୦ ଟଙ୍କା ପ୍ରଦାନ କରିବେ। ସମୁଦାୟ ୨୨.୩୦ କୋଟି ଟଙ୍କାର ବ୍ୟୟବରାଦରେ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନୱାଡି କର୍ମୀ ଓ ସହାୟିକା ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ।

ଏଥିସହ ରାଜ୍ୟର ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ ବୋଝ କମାଇବା ପାଇଁ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ‘ଦୀପ୍ତି’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଡିସକମର ମିଳିତ ସହଯୋଗରେ ବିକଶିତ ଏହି ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଟ୍ରାକିଂ ସିଧାସଳଖ ସମ୍ପାଦିତ ହେବ ଏବଂ ଏହି ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରଥମ ବିଭାଗ ହୋଇଥିବାରୁ ଅନ୍ତର୍ଭୁକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ସାଧୁବାଦ୍ ଜଣାଇଛନ୍ତି। ଏହାଦ୍ୱାରା ଅଙ୍ଗନବାଡ଼ି କର୍ମୀମାନେ ବିଜୁଳି ବିଲ୍ ଦେବାର ଆର୍ଥିକ ଦାୟିତ୍ୱରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହେବ। ଏହି ପଦକ୍ଷେପ ଅଙ୍ଗନବାଡ଼ି କର୍ମୀଙ୍କ ବହୁମୂଲ୍ୟ ସମୟ ବଞ୍ଚାଇବ, ଯାହାକୁ ସେମାନେ ଶିଶୁ ଓ ମା’ମାନଙ୍କର ସେବାରେ ନିୟୋଜିତ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଶିଶୁ ଓ ମାତୃ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ସମୁଦାୟର ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏହି ଅଭିଯାନକୁ ଏକ ଆର୍ଥପୂର୍ଣ୍ଣ ମାଧ୍ୟମ କରିବାକୁ ସେ ଆହ୍ଵାନ କରିଛନ୍ତି।