Home Health ନିଆଳି ପନିରରେ ମିଶୁଥିଲା ଡିଟରଜେଣ୍ଟ

ନିଆଳି ପନିରରେ ମିଶୁଥିଲା ଡିଟରଜେଣ୍ଟ

କଟକ : ବଜାରରେ ବିକ୍ରି ହେଉଥିବା ପନିର ଠିକ୍ ନା ଅପମିଶ୍ରିତ ଆସିଛି ରିପୋର୍ଟ । କାରଣ ଅଗଷ୍ଟ ୧୯ରେ କଟକରୁ ଜବତ ହୋଇଥିବା ପ୍ରାୟ ୭୩ କ୍ଵିଣ୍ଟାଲ ପନିର ଅପମିଶ୍ରିତ ବୋଲି ମିଳିଛି ପ୍ରମାଣ । ଆହୁରି ମଧ୍ୟ ରିପୋର୍ଟରେ ଯେଉଁ ତଥ୍ୟ ରହିଛି ତାହା ଅତି ସାଂଘାତିକ । ଏହି ପନିରରେ ମିଶୁଥିଲା ମଇଦା ଏବଂ ତା ସହିତ ମିଶାଯାଉଥିଲା ଡିଟରଜେଣ୍ଟ । ଯାହା ସ୍ବାସ୍ଥ୍ୟ ପାଇଁ ମାରାତ୍ମକ ।

ସଂଗୃହୀତ ପନିର ନମୁନାର ପରୀକ୍ଷଣ ହରିୟାଣାରେ ହୋଇଛି। ଯାହାର ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ନିକଟରେ ପହଞ୍ଚିଛି ବୋଲି କହିଛନ୍ତି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ। ସବୁଠାରୁ ବଡ଼ କଥା ହେଲା ଏହି ସବୁ ପନିର ଆସିଥିଲା ନିଆଳିରୁ । ଗତ ଅଗଷ୍ଟ ୧୯ ସଂଧ୍ୟାରେ କଟକ ଲିଙ୍କ ରୋଡ଼ ନିକଟରୁ ଏହି ସବୁ ପନିର ଜବତ କରିଥିଲା କଟକ ମ୍ୟୁନିସପାଲିଟି କର୍ପୋରେସନ୍ ବା କେଏମ୍ସିର ଖାଦ୍ୟ ସୁରକ୍ଷା ଟିମ୍ । ଜବତ ହୋଇଥିବା ପ୍ରାୟ ୭୩ କ୍ଵିଣ୍ଟାଲ ପନିରକୁ ସେହି ରାତିରେ ହିଁ ନଷ୍ଟ କରାଯାଇଥିଲା ଓ ଏହାର ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଆଉ ଏବେ ତାହାର ରିପୋର୍ଟରୁ ହୋଇଛି ବଡ଼ ଖୁଲାସା।

ତେବେ ଜବତ ହୋଇଥିବା ଅପମିଶ୍ରିତ ପନିର ନିଆଳିରୁ ଆମଦାନୀ ହେବାଟା ସ୍ପଷ୍ଟ ହୋଇସାରିଛି । କିନ୍ତୁ ନିଆଳି ପନିର କେବଳ କଟକ ଆସୁନାହିଁ ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମଧ୍ୟ ସପ୍ଲାଏ କରାଯାଉଛି । ତେଣୁ ଅପମିଶ୍ରଣ କରୁଥିବା ଲୋକଙ୍କ ଉପରେ ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ଅପେକ୍ଷା ।