ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୋଲିସ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସ୍ୱରୂପ ରାଜଧାନୀ ଭୁବନେଶ୍ୱର ପାଇଁ ନୂଆ ଡିସିପି ଭାବେ ନିଯୁକ୍ତି ମିଳିଛି ।
ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିବା ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡକ୍ଟର ସରବଣା ବିବେକ ଏମଙ୍କୁ ବଦଳି କରାଯାଇ ଭୁବନେଶ୍ୱରର ନୂଆ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସେ ବର୍ତ୍ତମାନର ଡିସିପି ଜଗମୋହନ ମୀନାଙ୍କ ସ୍ଥାନ ନେବେ । ସୂଚନାଯୋଗ୍ୟ ଯେ, ଜଗମୋହନ ମୀନା ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏଭଳି ପରିସ୍ଥିତିରେ ରାଜଧାନୀର ଆଇନଶୃଙ୍ଖଳା ବଜାୟ ରଖିବା ସହ ପାର୍ବଣ ଋତୁରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଡକ୍ଟର ସରବଣାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଅନ୍ୟପକ୍ଷରେ, ଡକ୍ଟର ସରବଣା ବିବେକଙ୍କ ବଦଳି ପରେ ଖାଲି ପଡ଼ିଥିବା ବ୍ରହ୍ମପୁର ଏସପି ପଦବୀରେ ୨୦୧୯ ବ୍ୟାଚ୍ର ଯୁବ ଆଇପିଏସ୍ ଅଧିକାରୀ ଅଭିନବ ସୋନକରଙ୍କୁ ନିଯୁକ୍ତି ଦିଆଯାଇଛି। ସୋନକର ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଢେଙ୍କାନାଳ ଏସପି ଭାବେ ୨୦୨୨ ବ୍ୟାଚ୍ର ଆଇପିଏସ୍ ମାନେ ଅଜିଙ୍କ୍ୟ ବି ମାନେଙ୍କୁ ବଦଳି କରାଯାଇଛି। ଆଜିଙ୍କ୍ୟ ଏବେ ପାରାଦୀପରେ ଅତିରିକ୍ତ ଏସପି ଭାବେ ଦାୟିତ୍ୱରେ ଅଛନ୍ତି ।
ଏହା ବ୍ୟତୀତ, ରାଜ୍ୟ ପୋଲିସ ମୁଖ୍ୟାଳୟରେ ସହକାରୀ ଏସପି ଭାବେ କାର୍ଯ୍ୟରତ ଥିବା ୨୦୨୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏ.ବି. ଶିଳ୍ପାଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ବରଗଡ଼ ଜିଲ୍ଲାର ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି । ଏହି ବଦଳି ପ୍ରକ୍ରିୟାକୁ ତୁରନ୍ତ ଲାଗୁ କରିବାକୁ ବିଜ୍ଞପ୍ତିରେ ଦର୍ଶାଇ ଦିଆଯାଇଛି।

