ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ବିରୋଧିଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏ ନେଇ ଆଲୋଚନା କରିଛନ୍ତି । ବିରୋଧିଦଳ ଏକାଧିକ ପ୍ରସଙ୍ଗ ଉଠାଇବାକୁ ଯାଉଥିବାବେଳେ ଗୃହ ଯେଭଳି ସୁରୁଖୁରୁରେ ଚାଲିବ ତାହା ଉପରେ ବାଚସ୍ପତି ଗୁରୁତ୍ବ ଦେଉଛନ୍ତି ।
ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ବିଧାନସଭାରେ ସଂକଳ୍ପ ଆଣିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ବିଜେଡିର ଏକ ପ୍ରତିନିଧି ଦଳ ବିଧାନସଭା ସଚିବଙ୍କୁ ଭେଟି ଏମଏମଡିଆର ପ୍ରସଙ୍ଗରେ ମୋସନ ଆଣିବାକୁ ନୋଟିସ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତନ ପ୍ରତାପ ଦେବ ଗୃହରେ ଏମଏମଡିଆର ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛନ୍ତି । ସଂଶୋଧିତ ଏମଏମଡିଆର ଆଇନ ଦ୍ୱାରା ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ରାଜ୍ୟ । ତେଣୁ ଏହି ଆଇନକୁ ପ୍ରତ୍ୟାହାର ପାଇଁ ବିଧାନସଭା ଗୃହରେ ସଂକଳ୍ପ ଆଣିବାକୁ ଦାବି କରିଛି ବିଜେଡି ।
ସେପଟେ ଏହି ସ୍ୱଳ୍ପକାଳୀନ ଅଧିବେଶନକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ସୁରୁଖୁରରେ ଚଳାଇବାକି ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।
ବୈଠକ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ସଂସଦୀୟ ପରମ୍ପରା ରକ୍ଷା ଓ ଜନହିତକର ପ୍ରସଙ୍ଗରେ ଗଠନମୂଳକ ଓ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ସମସ୍ତ ରାଜନୈତିକ ଦଳର ସକାରାତ୍ମକ ସହଯୋଗ ଲୋଡ଼ିଛନ୍ତି। ତାଙ୍କ ସରକାର ରାଜ୍ୟବାସୀଙ୍କ ସର୍ବାଙ୍ଗୀନ କଲ୍ୟାଣ ତଥା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସହମତି ଏବଂ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଦୃଢ଼ ପ୍ରତିବଦ୍ଧ ବୋଲି କହିଛନ୍ତି।
ସେହିପରି ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସ୍ପଷ୍ଟ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ଆଲୋଚନା ହେଲା। ବିରୋଧୀ ଦଳ ଏମଏମଡିଆର ଆକ୍ଟ ସଂଶୋଧନ ପ୍ରସଙ୍ଗ ଉଠାଇଛନ୍ତି ତାହା ଉପରେ ବାଚସ୍ପତି ବିଚାର କରିବେ। ଯାହାବି ପ୍ରସଙ୍ଗ ବିରୋଧୀ ଦଳ ଉଠାଇବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ତେବେ ଅଧିବେଶନରେ କେଉଁ ବିଲ୍ ଆସିବ ସେସମ୍ପର୍କରେ ବିଧାନସଭାର କାର୍ଯ୍ୟପରାମର୍ଶଦାତା କମିଟି ବିଚାର କରିବେ। ଏବେସୁଦ୍ଧା ୬ଟି ବିଲର ନୋଟିସ୍ ଆସିଛି ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିବା ମୁଡରେ ନାହିଁ ବିରୋଧୀ ବିଜେଡି। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚିରାଚରିତ ଢଙ୍ଗରେ ସର୍ବଦଳୀୟ ବୈଠକ ହୋଇଛି। ବିଧାନସଭା କେମିତି ଚାଲିବ ସେନେଇ ଆଲୋଚନା କଲେ। ଆମେ କିନ୍ତୁ ଏମଏମଡିଆର ଆକ୍ଟ ସଂଶୋଧନ କଥା ଉଠାଇଲୁ, ଓଡ଼ିଶାର ଯାହା କ୍ଷତି ହୋଇଛି ସେନେଇ ଆଲୋଚନା କରାଯାଉ, ନଚେତ୍ ଧନ୍ୟବାଦ ଦେଇ ଆଲୋଚନା କରାଯାଉ। ଆମେ ଅପେକ୍ଷା କରିଛୁ। ନହେଲେ ତା’ପରେ ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ। ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ସେହିପରି କଂଗ୍ରେସ ମଧ୍ୟ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ପଛଘୁଂଚା ଦେବନାହିଁ ବୋଲି ସ୍ପଷ୍ଟ କରିଛି। ବୈଠକ ପରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ବିଧାନସଭାକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି କହିଛନ୍ତି। ଆମେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଯେଉଁ ପ୍ରସ୍ତାବ ଦେଉଛୁ ତାକୁ ଆଲୋଚନା ପାଇଁ କହିଛୁ। ଏମଏମଡିଆର ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ଆଲୋଚନା ପାଇଁ ଆମେ କହିଛୁ। ଆମେ ଏ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବୁ ଓ ଏହାକୁ ଆଲୋଚନାକୁ ନେବାକୁ ଦାବି କରିବୁ। ଏଥିସହିତ ରାଜ୍ୟ ସରକାରଙ୍କ ବାରମ୍ବାର ବିବୃତି ସତ୍ତ୍ୱେ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ନହେବା ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଉଠାଇବ ବୋଲି ସେ କହିଛନ୍ତି।
ଆଜିର ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବିଜେଡି ବିଧାୟକ ଦଳର ଉପନେତା ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ମୁଖ୍ୟ ସଚେତକ ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଓ କଂଗ୍ରେସ ବିଧାୟକ ଅଶୋକ ଦାସ ଉପସ୍ଥିତ ଥିଲେ। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇନଥିଲେ।

