ଭୁବନେଶ୍ୱର : ପିଆଇବି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପାଞ୍ଚଦିନିଆ ଆସାମ ଗସ୍ତ ଆରମ୍ଭ କରିଛି । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳରେ ପ୍ରମୁଖ ବିକାଶମୂଳକ ଏବଂ ରଣନୀତିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା ।
ପ୍ରାରମ୍ଭରେ ଏହି ପ୍ରତିନିଧି ଦଳ ବୋଗିବିଲ୍ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲ ଏବଂ ଐତିହାସିକ ବୋଗିବିଲ୍ ସେତୁ ବୁଲି ଦେଖିଛନ୍ତି । ସେତୁର ଇଞ୍ଜିନିୟରିଂ ଚମତ୍କାର ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ବେଶ୍ ପ୍ରଭାବିତ ହୋଇଛନ୍ତି । ସମନ୍ୱିତ ନଦୀ ଜଳମାର୍ଗ ଆଞ୍ଚଳିକ ବିକାଶକୁ କିଭଳି ଆଗେଇ ନେଉଛି ସେ ସମ୍ପର୍କରେ ଓଡ଼ିଶାର ସାମ୍ବାଦିକମାନେ ଜ୍ଞାନ ଆହରଣ କରିଛନ୍ତି । ଏଥିସହିତ ଓଡ଼ିଶା ଭଳି ଉପକୂଳ ଏବଂ ଖଣିଜ ସମୃଦ୍ଧ ରାଜ୍ୟ ପାଇଁ କିପରି ଅନୁରୂପ ଅନ୍ତର୍ଦେଶୀୟ ଜଳପଥ ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ସାମ୍ବାଦିକମାନେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
‘ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆର ଅଧିକାରୀ ଶ୍ରୀ ସୁନୀଲ ସିନ୍ଦେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୋଗିବିଲ୍ ଆଇଡବ୍ଲୁଟି ଟର୍ମିନାଲ୍ ନିର୍ମାଣର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ, ବ୍ରହ୍ମପୁତ୍ର ନଦୀରେ ଏହାକୁ ୨୦୨୩ରେ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଜାତୀୟ ଜଳପଥ-୨ ନାମରେ କାର୍ଯ୍ୟକ୍ଷମ ରହିଛି । ଏଠାରେ ଜାହାଜ ରହିବା ପାଇଁ ଅତ୍ୟାଧୁନିକ ବର୍ଥ ଭିତ୍ତିଭୂମି ରହିଛି । ଏହି ଟର୍ମିନାଲରେ ୧,୦୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଜାହାଜ ରହିବାର ବ୍ୟବସ୍ଥା ରହିଛି । ଏହାର ବାର୍ଷିକ ମାଲ୍ ପରିବହନ କ୍ଷମତା ପ୍ରାୟ ୬ ଲକ୍ଷ ମେଟ୍ରିକ୍ ଟନ୍ ।
ଦିବ୍ରୁଗଡ଼ରେ ଥିବା ଅଶୋଧିତ ତୈଳ ଓ ପେଟ୍ରୋଲିୟମ ଭଣ୍ଡାର ସହିତ ଚା’, କୋଇଲା, ପଥର ଗୁଣ୍ଡ ଏବଂ ସିମେଣ୍ଟ ପରିବହନ ପାଇଁ ବର୍ତ୍ତମାନ ଏଠାରୁ ବହୁମୁଖି ପରିବହନ ବ୍ୟବସ୍ଥା ରହିଛି । ନୁମାଲିଗଡ଼ ବିଶୋଧନାଗାର ସହ ସଂଯୁକ୍ତ ଏହି ଜଳମାର୍ଗ ଓ ଟର୍ମିନାଲ ବଡ଼ ପରିମାଣର ମାଲ ପରିବହନ ଲାଗି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କରିଡର ରୂପେ କାର୍ଯ୍ୟ କରୁଛି ।
‘ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆର ଅଧିକାରୀମାନେ ଓଡ଼ିଶା ପାଇଁ ନଦୀ ମାର୍ଗରେ ପରିବହନ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେମାନେ ଓଡ଼ିଶାରେ ଜାତୀୟ ଅନ୍ତର୍ଦେଶୀୟ ଜଳପଥ-୫ (ଏନଡବ୍ଲୁ-୫) ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିସ୍ତୃତ ଏକ ଅଭ୍ୟନ୍ତରୀଣ ଜଳପଥ କରିଡର୍ ବୋଲି ସେମାନେ କହିଥିଲେ ।
ବ୍ରାହ୍ମଣୀ ଓ ମହାନଦୀ ଉପତ୍ୟକାକୁ ସଂଯୋଗ କରୁଥିବା ଏନଡବ୍ଲୁ-୫ ଓଡ଼ିଶାର ଶିଳ୍ପ ଓ ଖଣି କ୍ଷେତ୍ର ପାଇଁ ଏକ ସୁଲଭ ତଥା ପରିବେଶ-ଅନୁକୂଳ ପରିବହନ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ । ଏହା ତାଳଚେର ଓ କଳିଙ୍ଗନଗର ଭଳି ଶିଳ୍ପାଞ୍ଚଳକୁ ପାରାଦୀପ ଓ ଧାମରା ଭଳି ସାମୁଦ୍ରିକ ବନ୍ଦର ସହ ଯୋଡ଼ିବ । ସିଧାସଳଖ ନଦୀ-ସମୁଦ୍ର ସଂଯୋଗ ବା ବହୁମୁଖୀ ସଂଯୋଗ ଜରିଆରେ ଏହା ଜଳମାର୍ଗରେ ଦକ୍ଷ ପରିବହନ ବିକଳ୍ପ ଯୋଗାଇବ ଯାହାକି ଇନ୍ଧନ ସଞ୍ଚୟ କରିବା ସହିତ ରେଳ ଓ ରାଜପଥର ଅତ୍ୟଧିକ ଚାପଗ୍ରସ୍ତ ମାଲ୍ ପରିବହନ କରିଡରଗୁଡ଼ିକରେ ଭିଡ଼ କମାଇବାରେ ସହାୟକ ହେବ ।
ଏହି ଗସ୍ତ ସମୟରେ, ଗଣମାଧ୍ୟମ ପ୍ରତିନିଧି ଦଳ ଐତିହାସିକ ବୋଗିବିଲ ସେତୁ ମଧ୍ୟ ଦେଖିଥିଲେ। ଏହା ଏକ ଇଞ୍ଜିନିୟରିଂ ଆଶ୍ଚର୍ଯ୍ୟ ଯାହା ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ସଂଯୋଗକୁ ପୁନଃପରିଭାଷିତ କରିବ । ବ୍ରହ୍ମପୁତ୍ର ନଦୀ ଉପରେ ୪.୯୪ କିଲୋମିଟର ଲମ୍ବା ଏହି ସେତୁ ଦେଶର ସବୁଠାରୁ ଦୀର୍ଘତମ ରେଳ ଓ ସଡ଼କ ସେତୁ । ଏହା ଦିବ୍ରୁଗଡ଼ ଏବଂ ଧେମାଜି ମଧ୍ୟରେ ଯାତାୟାତ ସମୟକୁ ଯଥେଷ୍ଟ ହ୍ରାସ କରିଛି ।
ଏଥିସହିତ ଦେଶର ପୂର୍ବ ସୀମାରେ ରଣନୀତିକ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ସୁଦୃଢ଼ କରିଛି । ଏହି ଡବଲ୍-ଡେକ୍ ଟ୍ରାନଜିଟ୍ କରିଡର ଦୃଢ଼ ଆର୍ଥିକ କରିଡରକୁ ଉନ୍ମୁକ୍ତ କରିଛି । ଏହା ମଧ୍ୟ ବୋଗିବିଲ୍ ଘାଟ ସହିତ ଏକ ସମ୍ଭାବନା ପୂର୍ଣ୍ଣ ନଦୀ ପର୍ଯ୍ୟଟନ କେନ୍ଦ୍ର ରୂପେ ବିକଶିତ ହୋଇଛି ଏବଂ ସ୍ଥାନୀୟ ଆର୍ଥିକ ଓ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରୁଛି ।

