Home News in Odia ଭୂଦାନ ଜମିର ସୁରକ୍ଷା ପାଇଁ ସମୟବଦ୍ଧ ପଦକ୍ଷେପ

ଭୂଦାନ ଜମିର ସୁରକ୍ଷା ପାଇଁ ସମୟବଦ୍ଧ ପଦକ୍ଷେପ

ଭୁବନେଶ୍ୱର : ଭୂଦାନ ଓ ଗ୍ରାମଦାନ ଜମିର ଐତିହାସିକ ରେକର୍ଡକୁ ସୁରକ୍ଷିତ କରିବା, ବର୍ତ୍ତମାନର ରେକର୍ଡ ଅଫ୍ ରାଇଟ୍ସ୍ ସହ ତାହାକୁ ସମନ୍ୱିତ କରିବା ଏବଂ ଏହି ଜମି ସମ୍ପର୍କିତ ପ୍ରଶାସନିକ ଓ ଆଇନଗତ ଜଟିଳତାର ସ୍ଥାୟୀ ସମାଧାନ ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ସମୟବଦ୍ଧ ପଦକ୍ଷେପ ଗ୍ରହଣ କରାଯାଇଛି।

ଏଥିପାଇଁ ଭୂଦାନ ଓ ଗ୍ରାମଦାନ ଜମିର ରାଜ୍ୟବ୍ୟାପୀ ପ୍ରାମାଣିକ ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତି ନିମନ୍ତେ ମାନକ କାର୍ଯ୍ୟପ୍ରଣାଳୀ ଏସଓପି୨୦୨୬ କାର୍ଯ୍ୟକାରୀ କରାଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଆରଡିସି, ରାଜସ୍ୱ ପର୍ଷଦର ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି l

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରୁ ପ୍ରେରିତ ଆଚାର୍ଯ୍ୟ ବିନୋବା ଭାବେଙ୍କ ନେତୃତ୍ୱରେ ଭୂଦାନ ଆନ୍ଦୋଳନର ମୂଳ ଲକ୍ଷ୍ୟ ଥିଲା ସ୍ୱେଚ୍ଛାରେ ଦାନ ହୋଇଥିବା ଜମିକୁ ଭୂମିହୀନ ପରିବାରଙ୍କ ମଧ୍ୟରେ ନ୍ୟାୟସଙ୍ଗତ ଭାବେ ବଣ୍ଟନ କରିବା। ଏହି ଆନ୍ଦୋଳନ ଅଧୀନରେ ଓଡ଼ିଶାରେ ଭୂଦାନ ଯଜ୍ଞ ସମିତି ଦ୍ୱାରା ବହୁ ପରିମାଣର ଜମି ଗ୍ରହଣ କରାଯାଇଥିଲା। ଏହାର ଏକ ବଡ଼ ଅଂଶ ଭୂମିହୀନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲେ ମଧ୍ୟ ଉଲ୍ଲେଖନୀୟ ପରିମାଣର ଜମି ଏବେ ମଧ୍ୟ ବଣ୍ଟନ ହୋଇନାହିଁ। ଏଥିସହ ଅନେକ କ୍ଷେତ୍ରରେ ଆଇନସମ୍ମତ ଭାବେ ପ୍ରଦାନ କରାଯାଇଥିବା ଜମିର ମ୍ୟୁଟେସନ୍ ଜମିପଟ୍ଟା ରେ ହୋଇନଥିବାରୁ ପ୍ରକୃତ ହିତାଧିକାରୀମାନେ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି।

ବିଭିନ୍ନ ସ୍ଥାନରେ ଭୂଦାନ ଜମିର ସଠିକ୍ ଓ ପ୍ରାମାଣିକ ରେକର୍ଡ ଉପଲବ୍ଧ ନଥିବା ଏବଂ ଏକୀକୃତ ଡାଟାବେସ୍ ନଥିବାରୁ ବିଭିନ୍ନ ଆଇନଗତ ଓ ପ୍ରଶାସନିକ ଜଟିଳତା ସୃଷ୍ଟି ହୋଇଆସୁଥିଲା l ତେଣୁ ଏକ କେନ୍ଦ୍ରୀକୃତ, ସନ୍ଧାନଯୋଗ୍ୟ ଓ ପ୍ରାମାଣିକ ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତ ହେଲେ ଐତିହାସିକ ରେକର୍ଡର ଅସଙ୍ଗତି ଚିହ୍ନଟ ଓ ସୁଧାର କରିବା ସହ ଅବ୍ୟବହୃତ ଭୂଦାନ ଜମିକୁ ଚିହ୍ନଟ କରି ସୁରକ୍ଷିତ କରାଯାଇପାରିବ। ଏହା ଭୂମିହୀନ ପ୍ରକୃତ ହିତାଧିକାରୀଙ୍କ ସ୍ୱାର୍ଥରେ ଏହି ଜମିର ସୁଚିନ୍ତିତ ବ୍ୟବହାରକୁ ସହାୟତା କରିବ। ପ୍ରକାଶ ଥାଉ କି, ରାଜସ୍ୱ ବିଭାଗ ପକ୍ଷରୁ ବସୁନ୍ଧରା ଯୋଜନା ଅଧୀନରେ ଯୋଗ୍ୟ ଭୂମିହୀନ ପରିବାରକୁ ଜମି ପ୍ରଦାନ ବ୍ୟବସ୍ଥା କରାଯାଇଆସୁଛି l

ତେବେ, ଭୂଦାନ ଜମି ହସ୍ତାନ୍ତର ଉପରେ ଆଇନଗତ ପ୍ରତିବନ୍ଧକ ଥିବା ସତ୍ତ୍ୱେ କେତେକ ସ୍ଥାନରେ ଅନଧିକୃତ ବାଣିଜ୍ୟିକ ଦଖଲ ଓ ବେଆଇନ ହସ୍ତାନ୍ତର ଭଳି ଅନିୟମିତତା ରହିଥିବା ରାଜସ୍ୱ ବିଭାଗର ଦୃଷ୍ଟିଗୋଚର ହୋଇଛି l ଏହି ପରିପ୍ରେକ୍ଷୀରେ ରେକର୍ଡର ସମନ୍ୱୟ ଓ ପୁନଃଯାଞ୍ଚ ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ଅଧିକାର ସୁରକ୍ଷା ଏବଂ ଆଇନର ଅନୁପାଳନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ଏକ ପ୍ରମୁଖ ଉଦ୍ଦେଶ୍ୟ।

ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ସମୟବଦ୍ଧ ମିଶନ୍ ଅଧୀନରେ ରାଜ୍ୟର ସମସ୍ତ ଭୂଦାନ ଜମିର ପ୍ରାମାଣିକ ଓ ସନ୍ଧାନଯୋଗ୍ୟ ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏହି ଡାଟାବେସ୍ ପାଇଁ ପୁରୁଣା ଐତିହାସିକ ରେକର୍ଡର ସୁରକ୍ଷା ଓ ତାହାର ଡିଜିଟାଇଜେସନ୍‌କୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।

ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଦପ୍ତର ପରିସରରେ ଭୂଦାନ ଯଜ୍ଞ ସମିତିର ସ୍ଥାନୀୟ କମିଟିଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ସ୍ଥାନ ଓ ସୁରକ୍ଷିତ ରେକର୍ଡ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଇଜେସନ୍ ଆରମ୍ଭ ପୂର୍ବରୁ ଅନୁମୋଦିତ ଅଧିକାରୀଙ୍କ ମାଧ୍ୟମରେ ଏହି ଐତିହାସିକ ରେକର୍ଡଗୁଡ଼ିକୁ ଆନୁଷ୍ଠାନିକ ଭାବେ ପ୍ରଶାସନର ହେପାଜତକୁ ନିଆଯିବ।

ଏହି ମିଶନ୍‌ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବିଭିନ୍ନ ସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି। ଓଡ଼ିଶା ଭୂଦାନ ଯଜ୍ଞ ସମିତି ସୁରକ୍ଷିତ ପ୍ରଶାସନିକ ହେପାଜତରେ ଥିବା ସମସ୍ତ ପ୍ରାଥମିକ ଐତିହାସିକ ଓ ଆଇନସମ୍ମତ ରେକର୍ଡର ଡିଜିଟାଇଜେସନ୍ କରିବ। ଏନଆଇସି ଭୂମି ରେକର୍ଡ ପରିଚାଳନା ବ୍ୟବସ୍ଥା ସହ ସମନ୍ୱିତ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ବିକଶିତ କରିବ ଏବଂ କେନ୍ଦ୍ରୀକୃତ ଡାଟାବେସ୍ ପ୍ରସ୍ତୁତ କରିବ। ଏହା ମାଧ୍ୟମରେ ଭୁଲେଖରୁ ଆବଶ୍ୟକ ତଥ୍ୟ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ।

ତହସିଲଦାରମାନେ ଏହି ପ୍ରକ୍ରିୟାର ପ୍ରମୁଖ କାର୍ଯ୍ୟକାରୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସେମାନେ ଉପଲବ୍ଧ ଭୂଦାନ ରେଜିଷ୍ଟର ଓ ଡିଜିଟାଇଜ୍ ହୋଇଥିବା ଭୂଦାନ ରେକର୍ଡକୁ ଭୁଲେଖ ଡାଟାବେସ୍ ସହ ତୁଳନା ଓ ସମନ୍ୱୟ କରି ଭୁଦାନ ପାର୍ସଲ ରେଜିଷ୍ଟ୍ରାର ପ୍ରସ୍ତୁତ କରିବେ। ସେହିପରି ଉପଜିଲ୍ଲାପାଳମାନେ ତହସିଲ୍ ସ୍ତରର ପ୍ରଗତିକୁ ସିଧାସଳଖ ତଦାରଖ କରିବେ, ଜିଲ୍ଲାପାଳମାନେ ସମଗ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକୁ ତଦାରଖ ଓ ସମନ୍ୱୟ କରିବେ ଏବଂ ଆରଡିସି ମାନେ ନିୟମିତ ଭାବେ, ଅନ୍ତତଃ ମାସକୁ ଥରେ, ବିଭାଗୀୟ ପ୍ରଗତିର ସମୀକ୍ଷା କରିବେ।

ଡିଜିଟାଲ୍ ଡାଟାବେସ୍‌ର ଅନ୍ତିମ ପ୍ରସ୍ତୁତି ନହେବା ପର୍ଯ୍ୟନ୍ତ ଭୂଦାନ ଜମି ସମ୍ପର୍କିତ ସମସ୍ତ ପଞ୍ଜୀକରଣ ଓ ମ୍ୟୁଟେସନ୍ କାର୍ଯ୍ୟକୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଠୋର ଭାବେ ନିଷିଦ୍ଧ କରାଯାଇଛି। ସମ୍ପୃକ୍ତ ସମସ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କୁ ଏସଓପି ଅନୁଯାୟୀ କାର୍ଯ୍ୟ କରି ଡାଟାବେସ୍ ପ୍ରସ୍ତୁତିରେ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପଦକ୍ଷେପ ମାଧ୍ୟମରେ ଭୂଦାନ ଜମିର ଐତିହାସିକ ରେକର୍ଡର ସୁରକ୍ଷା, ପ୍ରାମାଣିକ ଡିଜିଟାଲ୍ ତଥ୍ୟଭଣ୍ଡାର ସୃଷ୍ଟି, ପ୍ରକୃତ ହିତାଧିକାରୀଙ୍କ ଅଧିକାର ସୁରକ୍ଷା ଏବଂ ଭୂଦାନ ଜମି ସମ୍ପର୍କିତ ଅନିୟମିତତା ରୋକିବା ଦିଗରେ ଏକ ସୁସଂଗଠିତ ଓ ସମନ୍ୱିତ ପ୍ରଶାସନିକ ବ୍ୟବସ୍ଥା ସୁନିଶ୍ଚିତ ହେବ ବୋଲି ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି l