ଭୁବନେଶ୍ୱର : ୟୁପିଆଇକୁ ନେଇ କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଯୋଗୁଁ ସାଧାରଣ ଜନତା ଓ କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଥିବା ଅନୁଭବ କରି ବିଜେଡି ରାଜ୍ୟସଭା ସାଂସଦ ଡ଼ ସଂତୃପ୍ତ ମିଶ୍ର ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
କେନ୍ଦ୍ର ସରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ୟୁପିଆଇକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିଆସିଛନ୍ତି । ନାଗରିକ, ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଦୈନନ୍ଦିନ କାରବାରରେ ଡିଜିଟାଲ୍ ପେମେଣ୍ଟକୁ ପ୍ରାଧାନ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ଏମଡିଆର୍ ବ୍ୟବସ୍ଥା ନୀତିର ଏହି ପରିବର୍ତ୍ତନ ଅନେକ ପ୍ରଶ୍ନ ଉଠାଉଛି ।
ଡ଼ ସଂତୃପ୍ତ ମିଶ୍ର କହିଥିଲେ ଯେ, ୨ ହଜାର ଟଙ୍କାରୁ ଊଦ୍ଧ୍ୱର୍ ନେଣଦେଣ ଉପରେ କେନ୍ଦ୍ର ସରକାର ଯେଉଁ ଶୁଳ୍କ ଲାଗୁ କରିଛନ୍ତି, ଏହା ଦ୍ୱାରା ସାଧାରଣ ଜନତା, ସୀମିତ ଲାଭରେ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହାର ପ୍ରଭାବ ପଡ଼ିବ । ସରକାର ପୂର୍ବରୁ ୟୁପିଆଇକୁ ଏକ ସ୍ୱଳ୍ପ ଖର୍ଚ୍ଚ ଏବଂ ସହଜରେ ଉପଲବ୍ଧ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଭାବେ ପ୍ରୋତ୍ସାହିତ କରିଆସିଛନ୍ତି । କିନ୍ତୁ ଏବେ ୟୁପିଆଇକୁ ନେଇ ଯେଉଁ ପରିବର୍ତ୍ତନ କରାଯାଇଛି, ତାହାର ପରିଣାମ ବିଷୟରେ ଆକଳନ କରାଯିବା ଆବଶ୍ୟକ ।
ସରକାର କହୁଛନ୍ତି ଯେ, ଏହି ନୂଆ ନିୟମରେ ସିଧାସଳଖ ଭାବେ ଗ୍ରାହକ ମାନଙ୍କ ଠାରୁ ଶୁଳ୍ପ ଆଦାୟ କରାଯିବ ନାହିଁ । କିନ୍ତୁ କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟୀମାନେ ପ୍ରାୟତଃ ସୀମିତ ଲାଭ ମାର୍ଜିନ୍ରେ କାରବାର କରନ୍ତି, ତେଣୁ ଡିଜିଟାଲ୍ କାରବାର ସହିତ ଜଡ଼ିତ ଯେକୌଣସି ଅତିରିକ୍ତ ଖର୍ଚ୍ଚ ସେମାନଙ୍କ ବ୍ୟବସାୟିକ ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ । ବ୍ୟବସାୟୀମାନେ ଯେପରି ପରୋକ୍ଷ ଭାବେ ଏହି ଅତିରିକ୍ତ ଖର୍ଚ୍ଚକୁ ଅଧିକ ମୂଲ୍ୟ କିମ୍ୱା ଅନ୍ୟାନ୍ୟ ଶୁଳ୍କ ଆକାରରେ ଗ୍ରାହକଙ୍କ ଉପରେ ଲଦିବାକୁ ବାଧ୍ୟ ନହୁଅନ୍ତି, ସେଥିପାଇଁ ସରକାର କେଉଁ ବ୍ୟବସ୍ଥା କରିବେ ତାହା ସ୍ପଷ୍ଟ କରିବା ଆବଶ୍ୟକ । ଓଡ଼ିଶାର ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ ନୀରବ କାହିଁକି ? ଏହି ବ୍ୟବସ୍ଥା ରାଜ୍ୟର ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ ଓ ଗ୍ରାହକମାନଙ୍କ ଉପରେ ପ୍ରଭାବ ପକାଇପାରେ । ତେଣୁ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ କେନ୍ଦ୍ର ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମାଗିବା ସହ ସଂସଦରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟବାସୀଙ୍କ ଆଶଙ୍କାକୁ ଦୂର କରିବା ଉଚିତ ।
ଡ଼ ମିଶ୍ର ଆହୁରି କହିଥିଲେ ଯେ, ଡିଜିଟାଲ୍ ପେମେଣ୍ଟ ବ୍ୟବସାୟୀଙ୍କ ପାଇଁ ତୁଳନାତ୍ମକ ଭାବେ ଅଧିକ ମହଙ୍ଗା କିମ୍ୱା ଜଟିଳ ହୋଇଗଲେ ନୂତନ ବ୍ୟବସ୍ଥାର ଅପ୍ରତ୍ୟାଶିତ ପରିଣାମ ହୋଇପାରେ । ଭାରତ ଡିଜିଟାଲ୍ ପେମେଣ୍ଟର ଏକ ସଂସ୍କୃତି ଗଢ଼ିବାରେ ବର୍ଷ ବର୍ଷ ଧରି ପ୍ରୟାସ କରିଛି ଏବଂ ୟୁପିଆଇ ଦୈନନ୍ଦିନ ଆର୍ଥିକ କାରବାରର ଏକ ଅବିଚ୍ଛିନ୍ନ ଅଂଶ ହୋଇପାରିଛି । ତେଣୁ ଯେକୌଣସି ପରିବର୍ତ୍ତନକୁ ଯତ୍ନର ସହ ମୂଲ୍ୟାୟନ କରିବା ଆବଶ୍ୟକ । କେନ୍ଦ୍ର ସରକାର ଏମଡିଆର୍ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବା ଆବଶ୍ୟକ ।
ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାର ବ୍ୟାଙ୍କ, ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ, ଆର୍ଥିକ ପ୍ରଯୁକ୍ତି କମ୍ପାନୀ, ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା, ଗ୍ରାହକ ସଂଗଠନ ଏବଂ ପ୍ରଯୁକ୍ତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ୟୁପିଆଇ କେବଳ ଏକ ପେମେଣ୍ଟ ପ୍ଲାଟଫର୍ମ ନୁହେଁ, ଏହା ଭାରତର ଡିଜିଟାଲ୍ ଭିତ୍ତିଭୂମିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।
ପ୍ରତିଦିନ ଲକ୍ଷ ଲକ୍ଷ ନାଗରିକ, କ୍ଷୁଦ୍ର ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସେବା ପ୍ରଦାନକାରୀ ସଂସ୍ଥା ଏହା ଉପରେ ନିର୍ଭର କରନ୍ତି । ତେଣୁ ଏହି ନୂଆ ନିୟମ ଦ୍ୱାରା ଯେପରି କୌଣସି ସମସ୍ୟା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯାଉ । ୟୁପିଆଇ ସମ୍ପର୍କିତ ଯେକୌଣସି ବ୍ୟବସ୍ଥାରେ ଗ୍ରାହକ, କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟୀ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ଦୀର୍ଘମିଆଦୀ ସ୍ଥାୟୀତ୍ୱ ଓ ବିକାଶ ସୁନିଶ୍ଚିତ କରାଯାଉ ।

