ଭୁବନେଶ୍ୱର : ୨୦୨୬ ପୂର୍ବରୁ ସରକାରୀ ସେବାରୁ ଅବସର ଗ୍ରହଣ କରିଥିବା ପ୍ରାୟ ୭୦ ଲକ୍ଷ ପୁରାତନ ପେନ୍ସନଭୋଗୀ ପେନ୍ସନ ସଂଶୋଧନ ସମ୍ପର୍କିତ ବିଭିନ୍ନ ପଦକ୍ଷେପକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ପେନ୍ସନ ବୈଧତା ଆଇନ, ୨୦୨୫ ଏବଂ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ବିଚାର ଓ ସୁପାରିଶ ପରିସରରୁ ପୁରାତନ ପେନ୍ସନଭୋଗୀଙ୍କ ପେନ୍ସନ ସଂଶୋଧନକୁ ବାଦ ଦିଆଯାଇଥିବାରୁ ପେନ୍ସନଭୋଗୀମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଛି।
ଅଡିଟ ଓ ଆକାଉଣ୍ଟସ ପେନ୍ସନଭୋଗୀ ସଂଘର କହିବା ଅନୁଯାୟୀ, ଅବସର ଗ୍ରହଣର ତାରିଖକୁ ଆଧାର କରି ପେନ୍ସନଭୋଗୀଙ୍କ ମଧ୍ୟରେ ପାର୍ଥକ୍ୟ କରାଯିବା ପ୍ରକ୍ରିୟା ପୂର୍ବରୁ ମଧ୍ୟ ବିବାଦର କାରଣ ହୋଇଆସିଛି। ୧୯୭୯, ୨୦୦୮ ଏବଂ ଏବେ ୨୦୨୫ ମସିହାରେ ଏ ସମ୍ପର୍କରେ ବିଭିନ୍ନ ଅଭିସନ୍ଧି ମୂଳକ ପଦକ୍ଷେପ ନିଆଯାଇଥିବା ସେମାନେ ଦର୍ଶାଇଛନ୍ତି।
ଷଷ୍ଠ କେନ୍ଦ୍ରୀୟ ବେତନ ଆୟୋଗ ୧ ଜାନୁଆରୀ ୨୦୦୬ରୁ ବେତନ ଓ ପେନ୍ସନ ସଂଶୋଧନ ପାଇଁ ସୁପାରିଶ କରିଥିଲା । ତେବେ ୨୦୦୮ ମସିହାରେ ଅବସର ଗ୍ରହଣର ବର୍ଷ ଆଧାରରେ ପେନ୍ସନ ସଂଶୋଧନ ପାଇଁ ଦୁଇଟି ଭିନ୍ନ ସୂତ୍ର ଜାରି କରାଯାଇଥିଲା। ଗୋଟିଏ ସୂତ୍ର ୨୦୦୬ ପୂର୍ବରୁ ଅବସର ନେଇଥିବା ପେନ୍ସନଭୋଗୀଙ୍କ ପାଇଁ ଏବଂ ଅନ୍ୟଟି ୨୦୦୬ ପରେ ଅବସର ନେଇଥିବା ପେନ୍ସନଭୋଗୀଙ୍କ ପାଇଁ ଲାଗୁ କରାଯାଇଥିଲା।
ଏହା ଫଳରେ ପେନ୍ସନ ସଂଶୋଧନରେ ଅସଙ୍ଗତି ସୃଷ୍ଟି ହୋଇଥିବା ଅଭିଯୋଗ କରି କେତେକ ପେନ୍ସନଭୋଗୀ ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ । ଦୀର୍ଘ ଆଇନଗତ ଲଢ଼େଇ ପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୦୦୬ ପୂର୍ବରୁ ଅବସର ନେଇଥିବା ପେନ୍ସନଭୋଗୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ପେନ୍ସନ ସଂଶୋଧନ ସୂତ୍ର ଲାଗୁ କରିବା ସହିତ ୧ ଜାନୁଆରୀ ୨୦୦୬ରୁ ବକେୟା ପେନ୍ସନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା ପେନ୍ସନଭୋଗୀ ସଂଗଠନ ପକ୍ଷରୁ କୁହାଯାଇଛି । ଏହି ରାୟ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଅପିଲ୍ ମଧ୍ୟ ଖାରଜ ହୋଇଥିବା ସେମାନେ ଦାବି କରିଛନ୍ତି।
ପେନ୍ସନଭୋଗୀ ସଂଗଠନଗୁଡ଼ିକର ଅଭିଯୋଗ ଅନୁଯାୟୀ, ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଆଇନ, ୨୦୨୫ ମାଧ୍ୟମରେ ପେନ୍ସନଭୋଗୀଙ୍କ ବର୍ଗୀକରଣ ଏବଂ ଅବସର ଗ୍ରହଣର ତାରିଖ ଆଧାରରେ ପାର୍ଥକ୍ୟ ରଖିବାର ବ୍ୟବସ୍ଥା କରିଛନ୍ତି । ଉକ୍ତ ଆଇନର ଧାରା ୧୪୭ ରୁ ୧୫୦ ପର୍ଯ୍ୟନ୍ତ ବ୍ୟବସ୍ଥା ଏହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥାକୁ ୧୯୭୨ ମସିହାରୁ ପଛୁଆ ଭାବେ କାର୍ଯ୍ୟକାରୀ କରାଯାଇଥିବା ମଧ୍ୟ ସେମାନେ ଦର୍ଶାଇଛନ୍ତି।
ଏଥିସହିତ, ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ବିଚାର ଓ ସୁପାରିଶ ପରିସରରେ ୨୦୨୬ ପୂର୍ବରୁ ଅବସର ନେଇଥିବା ପେନ୍ସନଭୋଗୀଙ୍କ ପେନ୍ସନ ସଂଶୋଧନକୁ ସାମିଲ କରାଯାଇନଥିବା ନେଇ ମଧ୍ୟ ପେନ୍ସନଭୋଗୀ ସଂଗଠନଗୁଡ଼ିକ ଆପତ୍ତି ଉଠାଇଛନ୍ତି।
ଏହି ସମସ୍ତ ପ୍ରସଙ୍ଗକୁ ନେଇ ସାରା ଭାରତର ବିଭିନ୍ନ ପେନ୍ସନଭୋଗୀ ସଂଗଠନ ଜୁଲାଇ ୨୦୨୫ରୁ ଆନ୍ଦୋଳନ ଜାରି ରଖିଥିବା ଜଣାପଡ଼ିଛି।
ଏହି ଆନ୍ଦୋଳନର ଅଂଶ ଭାବେ ଭାରତୀୟ ଅଡିଟ୍ ଓ ଆକାଉଣ୍ଟସ୍ ବିଭାଗର ପେନ୍ସନଭୋଗୀମାନେ ଦୁଇଟି ପ୍ରମୁଖ ଦାବିକୁ ନେଇ ଶନିବାର, ୧୯ ସେପ୍ଟେମ୍ବର ୨୦୨୬ରେ ଭୁବନେଶ୍ୱର ଷ୍ଟେସନ ଛକ ନିକଟସ୍ଥ ଧାରଣା-ସ୍ଥଳରେ ଧାରଣାରେ ବସି ଥିଲେ ।
ପେନ୍ସନଭୋଗୀଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ “ପେନ୍ସନ ବୈଧତା ଆଇନ, ୨୦୨୫” ର ବ୍ୟବସ୍ଥାଗୁଡ଼ିକୁ ପ୍ରତ୍ୟାହାର, ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର କାର୍ଯ୍ୟପରିସର ସଂଶୋଧନ କରାଯାଇ ୨୦୨୬ ପୂର୍ବରୁ ଅବସର ନେଇଥିବା ପେନ୍ସନଭୋଗୀଙ୍କ ପେନ୍ସନ ସଂଶୋଧନକୁ ସାମିଲ ଆଦି ରହିଛି ।
ଅଡିଟ ଓ ଆକାଉଣ୍ଟସ ପେନ୍ସନଭୋଗୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଅବସରପ୍ରାପ୍ତ କର୍ମଚାରୀମାନେ ଦୀର୍ଘ ସରକାରୀ ସେବା ପରେ ପେନ୍ସନ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କ ପେନ୍ସନ ସମ୍ପର୍କିତ ଦାବିଗୁଡ଼ିକର ନ୍ୟାୟସଙ୍ଗତ ସମାଧାନ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ । ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ।

