ଭୁବନେଶ୍ୱର : ଭୁବନେଶ୍ୱର ମାଛ ବଜାରରେ ଆଉ ରହିବ ନାହିଁ ପୂତି ଗନ୍ଧମୟ ପରିବେଶ। ଦୂର ହେବ ୟୁନିଟ୍-୪ ମାଛ ବଜାରରେ ଦେଖାଯାଉଥିବା ଭିଡ ଓ ଟ୍ରାଫିକ ସମସ୍ୟା। ଆସନ୍ତା ୨୦୨୮ ମାର୍ଚ୍ଚ ଶେଷ ସୁଦ୍ଧା ପାଣ୍ଡରା ଠାରେ ପ୍ରାୟ ୫.୪ ଏକର ଜମିରେ ପାଖାପାଖି ୫୧ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଅତ୍ୟାଧୁନିକ ମାଛ ବଜାର କାର୍ଯ୍ୟ ସମ୍ପନ୍ନ ହେବ।
ଯେଉଁ ନୂଆ ବଜାର ନିର୍ମିତ ହେଉଛି ସେଠାରେ ୪୦ଟି ହୋଲସେଲ କାଉଣ୍ଟର ସମେତ ୧୦୦ଟି ପିଣ୍ଡି ରହିବ। ଆଜି ଉତ୍ତର ଭୁବନେଶ୍ୱରର ପାଣ୍ଡରା ଠାରେ ନିର୍ମାଣାଧୀନ ଆଧୁନିକ ହୋଲସେଲ୍ ମାଛ ବଜାର ପ୍ରକଳ୍ପର ସ୍ଥଳ ପରିଦର୍ଶନ କରିବା ପରେ ଏଭଳି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଞ୍ଚଳ ପରିଦର୍ଶନ ପରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଆକାର ନେଉଥିବା ଦେଖିବା ନିଶ୍ଚିତ ଭାବେ ଏକ ସ୍ୱପ୍ନ ସାକାର ହେବାର ଅନୁଭୂତି ଦେଉଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସୂଚନାଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱପ୍ନର ପ୍ରକଳ୍ପ ଭାବରେ ତାଙ୍କର ଲଗାତାର ପ୍ରୟାସ ପରେ ବିଏମସି ଦ୍ୱାରା ଏହି ପ୍ରକଳ୍ପର ଟେଣ୍ଡର କରାଯାଇ ଗତ ଏପ୍ରିଲ ୨୦୨୬ ମସିହାରୁ ସାଇଟ୍ ହସ୍ତାନ୍ତର କରାଯାଇଛି। ଏପରିକି ସାଂସଦଙ୍କ ପ୍ରତ୍ୟକ୍ଷ ପ୍ରୟାସରେ ବିଏମସି ପକ୍ଷରୁ ମାମଲା ମୁକ୍ତ ବା ଲିଟିଗେଶନ ଫ୍ରି ଜମି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହୋଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ଆଧୁନିକ ହୋଲସେଲ୍ ଓ ରିଟେଲ୍ ମାଛ ବଜାର ପ୍ରତିଷ୍ଠା କରିବା ସହିତ ୟୁନିଟ୍-୪ ମାଛ ବଜାରରେ ବର୍ତ୍ତମାନ ଦେଖାଦେଉଥିବା ଭିଡ଼ ଓ ଟ୍ରାଫିକ୍ ସମସ୍ୟାର ସମାଧାନ କରିବା।
ଏହି ପରିଦର୍ଶନ ସମୟରେ ସାଂସଦଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ବିଏମସି ଅଧିକାରୀମାନଙ୍କ ସହିତ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିବା ସହ ପାଣ୍ଡରା ଗ୍ରାମବାସୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

